ନୂଆଦିଲ୍ଲୀ: ଆଜି ସଂସଦରେ ବିଜେପି ନେତୃତାଧିନ ଏନଡିଏ ସାଂସଦ ଏବଂ ଇଣ୍ଡି ବ୍ଲକ୍ ସାଂସଦମାନେ ଆମ୍ବେଦକର ବିବାଦକୁ ନେଇ ପରସ୍ପରକୁ ସମାଲୋଚନା କରି ପ୍ରତିବାଦ କରିବା ବେଳେ ଉପୁଜିଥିଲା ଠେଲାଠେଲି ପରିସ୍ଥିତି । ଏଥିରେ ବିଜେପିର ଦୁଇ ଜଣ ସାଂସଦ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ପ୍ରତାପ ଷଡଙ୍ଗୀ ଏବଂ ମୁକେଶ ରାଜପୁତ। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଯାହାପରେ ଉଭୟ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଏହି ଘଟଣାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ବିଜେପି ଘେରିଥିବା ବେଳେ ମୁହଁ ଖୋଲିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ତାଙ୍କ ଆଣ୍ଠୁରେ ବି ଆଘାତ ଲାଗିଥିବା କହିଛନ୍ତି। ବିଜେପି ସାଂସଦ ଠେଲି ଦେଇଥିବା ଅଭିଯୋଗ ନେଇ ସେ ବାଚସ୍ପତି ଓମ ବିର୍ଲାଙ୍କୁ ଲେଖିଥିବା ପତ୍ରରେ ଉଲ୍ଳେଖ କରିଛନ୍ତି।
ମଲ୍ଲିକାର୍ଜୁନ କହିଛନ୍ତି ଯେ ଏହି ଆକ୍ରମଣ କେବଳ ବ୍ୟକ୍ତିଗତ ଭାବେ ମୋ ଉପରେ ନୁହେଁ ବରଂ ରାଜ୍ୟସଭାରେ ଉପସ୍ଥିତ ଥିବା ବିରୋଧୀ ଦଳର ନେତା ତଥା କଂଗ୍ରେସ ସଭାପତିଙ୍କ ଉପରେ ମଧ୍ୟ ଆକ୍ରମଣ ଅଟେ।
ଖଡଗେ ଓମ ବିର୍ଲାଙ୍କୁ ଲେଖିଥିବା ପତ୍ରରେ କହିଛନ୍ତି ଯେ ୧୭ ମାର୍ଚ୍ଚ ୨୦୨୪ରେ ରାଜ୍ୟସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଡକ୍ଟର ଆମ୍ବେଦକରଙ୍କ ବିରୋଧରେ ଦେଇଥିବା ଅପମାନଜନକ ଭାଷଣକୁ ବିରୋଧ କରି ଆଜି ସକାଳେ ଇଣ୍ଡିଆ ଗଠବନ୍ଧନ ସାଂସଦମାନେ ଡକ୍ଟର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରୁ ମକର ଦ୍ୱାର ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ଯେତେବେଳେ ମୁଁ ବିଜେପି ସାଂସଦଙ୍କ ସହ ମକର ଦ୍ୱାରରେ ପହଞ୍ଚିଲି, ମୋତେ ଠେଲି ଦିଆଯାଇଥିଲା। ଯାହାଦ୍ୱାରା ମୁଁ ଭାରସାମ୍ୟ ହରାଇ ମକର ଦ୍ୱାର ସମ୍ମୁଖରେ ପଡ଼ିଯାଇଥିଲି ଓ ମୋ ଆଣ୍ଠୁରେ ଆଘାତ ଲାଗିଥିଲା। ତେବେ ପୂର୍ବରୁ ସେହି ଆଣ୍ଠୁର ଅସ୍ତ୍ରୋପଚାର ହୋଇସାରିଥିବା କଥା ମଧ୍ଯ ସେ କହିଛନ୍ତି।