Latest Odisha News

ଡାକ୍ତରଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଲେ ମମତା ବାନାର୍ଜୀ, ହଟିଲେ ପୋଲିସ କମିସନର

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ବିଳମ୍ବିତ ରାତିରେ କୋଲକାତା ପୁଲିସ କମିସନର ବିନୀତ ଗୋଏଲଙ୍କୁ ତାଙ୍କ ପଦରୁ ହଟାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି। ଜୁନିୟର ଡାକ୍ତରଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛନ୍ତି ମମତା ବାନାର୍ଜୀ।

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧ କରୁଥିବା ଜୁନିୟର ଡାକ୍ତରଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେମାନଙ୍କ ଦାବି ଗ୍ରହଣ କରିଛନ୍ତି। ପୁଲିସରେ ପରିବର୍ତ୍ତନ ବ୍ୟତୀତ ମେଡିକାଲ ଶିକ୍ଷା ନିର୍ଦ୍ଦେଶକ ଓ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକଙ୍କୁ ମଧ୍ୟ ପଦରୁ ହଟାଇ ଦିଆଯାଇଛି। ଡାକ୍ତରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଦୀର୍ଘ ଦିନ ଧରି ଆନ୍ଦୋଳନ କରି ଆସୁଥିବା ଜୁନିୟର ଡାକ୍ତରମାନଙ୍କ ସହ ୬ ଘଣ୍ଟା ଧରି ଆଲୋଚନା କରିବା ପରେ ମମତା ବାନାର୍ଜୀ ଏହି ନିଷ୍ପତ୍ତି ନେଇଛନ୍ତି। କୋଲକାତା ପୁଲିସର ଡେପୁଟି କମିସନର (ଉତ୍ତର) ଯାହାଙ୍କ ବିରୋଧରେ ପୀଡ଼ିତାଙ୍କ ପରିବାର ଲାଞ୍ଚ ଅଭିଯୋଗ ଆଣିଛନ୍ତି, ତାଙ୍କୁ ମଧ୍ୟ ହଟାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

\

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଜୁନିୟର ଡାକ୍ତରଙ୍କ ଦାବିକୁ ଦୃଷ୍ଟିରେ ରଖି କୋଲକାତା ପୁଲିସ କମିସନର ବିନୀତ କୁମାର ଗୋଏଲ ବୈଠକରେ ଇସ୍ତଫା ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ବିନୀତ ନୂଆ ସିପିଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବେ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଆମେ ଡାକ୍ତରଙ୍କ ୪ଟି ଦାବି ମଧ୍ୟରୁ ୩ଟିକୁ ଗ୍ରହଣ କରିଛୁ। ଡେପୁଟି କମିସନର ଉତ୍ତର (ଅଭିଷେକ ଗୁପ୍ତା)ଙ୍କୁ ମଧ୍ୟ ହଟାଇ ଦିଆଯିବ ଏବଂ ମଙ୍ଗଳବାର (ଆଜି) ନୂଆ ଡେପୁଟି କମିସନରଙ୍କ ଉପରେ ନିଷ୍ପତ୍ତି ନିଆଯିବ। ଏହାବ୍ୟତୀତ ଡାକ୍ତରଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦିଆଯିବ।

ମମତା ବାନାର୍ଜୀ କହିଛନ୍ତି ଯେ ଆନ୍ଦୋଳନକାରୀ ଡାକ୍ତରଙ୍କ ଚାରିଟି ଦାବିକୁ ସରକାର ଗ୍ରହଣ କରିଛନ୍ତି ଏବଂ ସେଥିମଧ୍ୟରୁ ଗୋଟିଏ ସିବିଆଇ ତଦନ୍ତ ଚାଲିଛି। ଅପରାହ୍ନ ୪ଟାରେ ବିନୀତ ନୂଆ ସିପିଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବେ।

ପୁଲିସ ବଦଳି ବ୍ୟତୀତ ମେଡିକାଲ ଶିକ୍ଷା ନିର୍ଦେଶକ କୌସ୍ତବ ନାୟକ ଓ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଦେବାଶିଷ ହାଲଦାରଙ୍କୁ ମଧ୍ୟ ପଦରୁ ହଟାଇ ଦିଆଯାଇଛି। କାମ ବନ୍ଦ ନକରିବାକୁ ସରକାର ଜୁନିୟର ଡାକ୍ତରମାନଙ୍କୁ ଅନୁରୋଧ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ସେ କହିଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରର ଭିତ୍ତିଭୂମି ସହ ଜଡିତ ସମସ୍ତ ପ୍ରସଙ୍ଗର ସମାଧାନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି ।

ଅନ୍ୟପଟେ ଆଜି ଅପରାହ୍ମରେ ଜୁନିୟର ଡାକ୍ତରଙ୍କ ଏକ ବୈଠକ ବସିବେ। ଏଥିରେ ଆନ୍ଦୋଳନର ଭବିଷ୍ୟତକୁ ନେଇ ଆଲୋଚନା ହେବ।

Comments are closed.