Latest Odisha News

ପୁଣି ରାଜ୍ୟସଭା ଯିବେ ମମତା ମହାନ୍ତ, ଭରିଲେ ନାମାଙ୍କନ

ଭୁବନେଶ୍ବର: ପୁଣି ରାଜ୍ୟସଭା ଯିବେ ମମତା ମହନ୍ତ । ଗତକାଲି ରାଜ୍ୟସଭା ପ୍ରାର୍ଥୀ ଭାବେ ମମତାଙ୍କ ନାଁ ଦେଇଛି ବିଜେପି । ଏହାପରେ ଆଜି ବିଧିବଦ୍ଧ ଭାବେ ବିଧାନସଭା ଯାଇ ମୁଖ୍ୟମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ବିଭିନ୍ନ ବରିଷ୍ଠ ବିଜେପି ନେତାଙ୍କ ଉପସ୍ଥିତିରେ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ମମତା ।

ତେବେ କୁଡୁମୀ ସମାଜର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ବିଜେଡି ରାଜ୍ୟସଭା ସାଂସଦ ମମତା ମହନ୍ତ ଏହି ନିକଟ ଅତୀତରେ ନିଜର ରାଜ୍ୟସଭା ସଦସ୍ୟ ପଦ ତ୍ୟାଗ କରିଥିଲେ । ତା ପରଦିନ ବିଜେପିରେ ଯୋଗ ଦେଇଥିଲେ ମମତା । ଏହାପରେ ମମତାଙ୍କୁ ରାଜ୍ୟସଭାକୁ ବିଜେପି ରିପିଟ୍ କରିପାରେ ବୋଲି ଚର୍ଚ୍ଚା ହୋଇଥିଲା । ଯାହା ଉପରେ ଗତକାଲି ବିରାମ ଦେଇ ମମତା ମହନ୍ତଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ଆଉ ଆଜି ଏନେଇ ବିଧାନସଭାରେ ନାମାଙ୍କନ ଭରିଛନ୍ତି ମମତା ।

ତେବେ କହିରଖୁଛୁ, ମୟୁରଭଞ୍ଜ ଜିଲ୍ଲାର ଜଣେ ଟାଣୁଆ ନେତ୍ରୀ ଭାବେ ପରିଚିତ ମମତା ମହନ୍ତ ୨୦୨୦ରେ ବିଜେଡି ସାଂସଦ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୨୬ରେ ତାଙ୍କର କାର୍ଯ୍ୟକାଳ ସରିବା ପୂର୍ବରୁ ଗତ ଜୁନ୍ ୩୧ ତାରିଖରେ ରାଜ୍ୟସଭା ପଦ ସହିତ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ଦେଇ ଦଳର ପ୍ରାଥମିକ ସଦସ୍ୟ ପଦ ମଧ୍ୟ ଛାଡିଥିଲେ ମମତା । ଦଳରେ ତାଙ୍କର ଆବଶ୍ୟକତା ଅନୁଭବ ନକରିବାରୁ ସେ ଦଳ ଛାଡିଥିଲେ ବୋଲି କହିଥିଲେ ।  ଏହାର ଗୋଟିଏ ଦିନ ପରେ ବିଜେପିରେ ସାମିଲ ହୋଇଥିଲେ ମମତା ।

ଯେଉଁଥିରେ ବିଜେଡିକୁ ଶକ୍ତ ଆଘାତ ଲାଗିଥିଲା । କାରଣ ବିଜେଡି ଏଥର ନିର୍ବାଚନ ହାରିଥିବା ବେଳେ ରାଜ୍ୟସଭାରେ ବିଜେଡିର ସଂଖ୍ୟା ଗରିଷ୍ଠତା ହିଁ ଥିଲା ବଳ । ହେଲେ ମମତା ମହନ୍ତଙ୍କ ଇସ୍ତଫା ପରେ ତାହା ୯ ରୁ ୮କୁ ଖସିଥିଲା । ଏଥିସହ ୯ ରାଜ୍ୟର ୧୨ଟି ଆସନ ଖାଲି ପଡିଥିବାରୁ ସେହି ଆସନ ପାଇଁ ସେପ୍ଟେମ୍ବର ୩ରେ ଉପନିର୍ବାଚନ ହେବା ନେଇ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ଯାହାକୁ ନେଇ ବିଜେପି ତାର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ବିଜେପି ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ମମତା ମହନ୍ତ ।

Comments are closed.