Latest Odisha News

BREAKING NEWS

ପୁଣି ରାଜ୍ୟସଭା ଯିବେ ମମତା ମହନ୍ତ !

ଭୁବନେଶ୍ବର: ମମତାଙ୍କ ଜାଗାରେ କିଏ ଯିବେ ରାଜ୍ୟସଭା? ରିପିଟ୍ ହେବେ କି ମମତା ମହନ୍ତ ? କ’ଣ କହୁଛି ବିଜେପିର ରାଜ୍ୟସଭା ରଣନୀତି? ରାଜନୀତିରେ ଲମ୍ବା ଇନିଂସ ପାଇଁ କେଉଁ ଗୋଟି ଚଳାଇବେ ବିଜେପିର ଚାଣକ୍ୟ? କୁଡୁମୀ ନେତ୍ରୀ ମମତା ମହନ୍ତଙ୍କ ରାଜ୍ୟସଭା ୟୁଟର୍ଣ୍ଣ ପରେ ସରଗରମ ରାଜ୍ୟ ରାଜନୀତି । ରାଜ୍ୟସଭାରେ ବିଜେଡିର ସଂଖ୍ୟା ୮କୁ ଖସିଥିବା ବେଳେ, ବିଧାନସଭା ଗଣିତ ହିସାବରେ ଏବେ ଏହି ସିଟ୍ ବିଜେପି ହାତକୁ ଯିବା ଏକପ୍ରକାର ନିଶ୍ଚିତ ହୋଇଛି । ତେବେ ବିଜେପି କାହାକୁ ପଠାଇବ ରାଜ୍ୟସଭା, ତାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ରାଜ୍ୟସଭା ସମୀକରଣ ଓ ରାଜନୈତିକ ସ୍ଥିତି ଦେଖି କୁହାଯାଉଛି, ମମତାଙ୍କୁ ରିପିଟ୍ କରିପାରେ ବିଜେପି ।

କାହିଁକି ରିପିଟ୍ ହୋଇପାରନ୍ତି ମମତା?

ବିଜେଡିରେ ଅଣଦେଖା ଅଭିଯୋଗ କରି ରାଜ୍ୟସଭା ସଦସ୍ୟତା ତଥା ବିଜେଡି ଛାଡିଥିଲେ ମମତା ମହନ୍ତ । ଏହାପରେ ବିଜେପି କ୍ୟାମ୍ପରେ ସାମିଲ ବି ହୋଇଛନ୍ତି । କୁଡୁମୀ ସମାଜର ଜଣେ ମହିଳାଙ୍କୁ ୨୦୨୦ରେ ରାଜ୍ୟସଭାକୁ ପଠାଇ ମୟୂରଭଞ୍ଜରେ ଭୋଟ୍ ସମୀକରଣ କଷିଥିଲା ବିଜେଡି । ହେଲେ ମମତା ଅଣଦେଖା ଅଭିଯୋଗ ଆଣିବା ପରେ ବିଜେଡି ପ୍ରତି କୁଡୁମୀ ସମାଜର ଅବିଶ୍ବାସ ବଢିପାରେ। ଏଭଳି ସ୍ଥିତିରେ ଯଦି ବିଜେପି ମମତାଙ୍କୁ ପୁଣି ରାଜ୍ୟସଭା ନପଠାଏ, ଦଳ ନାଁରେ ବି ସମାନ ଅଭିଯୋଗ ଲାଗିବ । ବିଜେପି ଯେ ମମତାଙ୍କୁ କେବଳ ମୋହରା କରି ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି, ସେକଥା ସ୍ପଷ୍ଟ ହୋଇଯିବ । ଯଦି ବିଜେପି ମମତାଙ୍କୁ ପୁଣି ରାଜ୍ୟସଭା ପଠାଏ, ତେବେ ବିଜେପି ଉଭୟ କୁଡୁମୀ ସମାଜ ଓ ମମତାଙ୍କ ବିଶ୍ବାସ ଜିତିବା ସହ ସାରା ରାଜ୍ୟକୁ ଭଲ ସନ୍ଦେଶ ଦେବ ।

ମମତାଙ୍କୁ ରାଜ୍ୟସଭା ପଠାଇ ବଡ଼ ସନ୍ଦେଶ

ବିଜେଡିରୁ ମମତା ମହନ୍ତଙ୍କ ପରେ ଅନ୍ୟ ସାଂସଦଙ୍କୁ ବି ପଦ୍ମଶିବିରକୁ ଆଣିପାରେ ବିଜେପି। ଦୁଇରୁ ତିନି ଜଣ ବିଜେଡି ସାଂସଦଙ୍କ ସହ ଦଳ ଯୋଗାଯୋଗରେ ରହିଥିବା ବି ଚର୍ଚ୍ଚା ହେଉଛି। ଏଭଳି ସ୍ଥିତିରେ ବିଜେପିକୁ ଗଲେ ଯେ ରାଜନୈତିକ କ୍ୟାରିୟରରେ କିଛି କ୍ଷତି ହେବନି, ସେ ଆଶ୍ବସ୍ତି ନିଶ୍ଚୟ ଚାହିଁବେ ସାଂସଦ । ମମତା ମହନ୍ତଙ୍କୁ ପୁଣି ରାଜ୍ୟସଭାକୁ ପଠାଇ ବିଜେପି ସେ ଗ୍ୟାରେଣ୍ଟି ଦେଇପାରିବ। ରାଜ୍ୟସଭାରେ ବିଜେପି ନେତୃତ୍ବାଧୀନ ଏନଡିଏର ବହୁମତ ନାହିଁ । ତେଣୁ କେବଳ ବିଜେଡି କାହିଁକି ଦେଶର ଅନ୍ୟ ଦଳରୁ ବି ନେତା ଆମଦାନୀ କରିପାରେ ବିଜେପି । ମମତାଙ୍କୁ ଉଦାହରଣ ଭାବେ ଦେଖାଇ ଅନ୍ୟ ଦଳର ସାଂସଦଙ୍କ ସହ ଡିଲ୍ ସହଜ ହୋଇପାରିବ ।

ରାଜ୍ୟସଭା ରଣନୀତି ବିଜେପି ଗୋଟି

ଲୋକସଭାରେ ଏନଡିଏର ବହୁମତ ରହିଥିଲେ ବି ରାଜ୍ୟସଭାରେ ବିଜେପି ନେତୃତ୍ବାଧୀନ ମେଣ୍ଟ ବହୁମତଠାରୁ ଦୂରରେ ରହିଛି । ରାଜ୍ୟସଭାରେ ଏବେ ୨୨୫ଜଣ ସଦସ୍ୟ ରହିଥିବା ବେଳେ ବହୁମତ ପାଇଁ ୧୧୩ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ । ତେବେ ଗୃହରେ ବିଜେପିର ୮୬ ସଦସ୍ୟ ରହିଥିବା ବେଳେ ଏନଡିଏ ସହଯୋଗୀଙ୍କ ସହ ସଂଖ୍ୟା ରହିଛି ୧୦୧ । ଜଣେ ସ୍ବାଧୀନ ଓ ୭ଜଣ ଅନ୍ୟ ସଦସ୍ୟଙ୍କ ସମର୍ଥନ ଏନଡିଏକୁ ରହିଛି । ଏହାକୁ ମିଶାଇଲେ ବି ସଂଖ୍ୟା ୧୦୯ରେ ପହଞ୍ଚୁଛି । ଅର୍ଥାତ ବହୁମତ ପାଇଁ ଆହୁରି ୪ସାଂସଦଙ୍କ ସମର୍ଥନ ଦରକାର । ଏଭଳି ସ୍ଥିତିରେ ଅନ୍ୟ ଦଳରୁ ସାଂସଦ ଆମଦାନୀ କରିପାରେ ବିଜେପି । ବିଜେଡି ଏଥିପାଇଁ ପ୍ରଥମ ପସନ୍ଦ ହୋଇପାରେ । ତେଣୁ ସହଜ ଡିଲ୍ ପାଇଁ ମମତାଙ୍କୁ ରାଜ୍ୟସଭାରେ ରିପିଟ୍ କରି କ୍ଷେତ୍ର ପ୍ରସ୍ତୁତ କରିପାରେ ବିଜେପି ।

ରେସରେ ମନମୋହନ ସାମଲ !

ମମତାଙ୍କ ଜାଗାରେ କିଏ ଯିବେ ରାଜ୍ୟସଭା, ସେନେଇ ଚର୍ଚ୍ଚା ହେଉଥିବା ବେଳେ ରେସରେ ରାଜ୍ୟ ବିଜେପି ସଭାପତି  ମନମୋହନ ସାମଲଙ୍କ ନାଁ ଆଗରେ ରହିଛି । ବିଜେପି ମଙ୍ଗୁଆଳ ଭାବେ ରାଜ୍ୟରେ ପ୍ରଥମ ଥର ବିଜେପି ସରକାର କରିବାର ଶ୍ରେୟ ମନମୋହନଙ୍କୁ ବି ଯାଉଛି । ନିଜେ ନିର୍ବାଚନ ହାରିଥିବାରୁ ସେ ରାଜ୍ୟ ସରକାରରେ ସାମିଲ ହୋଇନାହାନ୍ତି । ତେଣୁ ତାଙ୍କୁ ରାଜ୍ୟସଭା ପଠାଇ ଦଳ ପୁରସ୍କାର ଦେଇପାରେ ବୋଲି କୁହାଯାଉଛି। ତେବେ ମମତା ମହନ୍ତଙ୍କ କାର୍ଯ୍ୟକାଳ ମାତ୍ର ଦେଢ ବର୍ଷ ଥିବାରୁ ମନମୋହନଙ୍କୁ ଏତେ କମ୍ ସମୟ ପାଇଁ ରାଜ୍ୟସଭା ନପଠାଇପାରେ ବିଜେପି । କେନ୍ଦ୍ରରେ ମନ୍ତ୍ରୀପଦ ପାଇଁ ବି ଅନେକ ଦାବିଦାର ଥିବାରୁ କେବଳ ସାଂସଦ ପଦ ଦେଇ ମନମୋହନଙ୍କୁ ଦଳ ବୁଝାଇବ ନାହିଁ ବୋଲି ଚର୍ଚ୍ଚା ହେଉଛି । ଏଭଳି ସ୍ଥିତିରେ ବିଜେପି ପାଇଁ ମମତା ମହନ୍ତ ହିଁ ବେଷ୍ଟ ବେଟ୍ ହୋଇପାରନ୍ତି । ମମତାଙ୍କୁ ରାଜ୍ୟସଭା ପଠାଇ ଗୋଟିଏ ତୀରରେ ଅନେକ ଶୀକାର କରିବାକୁ ଉଦ୍ୟମ କରିପାରେ ଦଳ । ମୟୂରଭଞ୍ଜରେ ଦଖଲ ମଜଭୁତ କରିବା ସହ ଆମଦାନୀ ନେତା ଯେ ବିଜେପିରେ ଅଲୋଡା ନୁହେଁ ସେନେଇ ସନ୍ଦେଶ ଦେଇପାରେ । ସଂଖ୍ୟା ସମୀକରଣ ଦେଖି ରାଜ୍ୟସଭା ନିଷ୍ପତ୍ତି ନେବ ବିଜେପି ।

Comments are closed.