ମମତା ଲେଖିଲେ ଚିଠି: 22 ଜଣିଆ ଟିମକୁ ନେଇ 2022 ରେ ଖେଳ କରିବାକୁ ଚାହୁଁଛନ୍ତି ଦିଦି !
ଜୁନ 15 ରେ ଦିଲ୍ଲୀରେ କନଷ୍ଟିଚୁସନାଲ୍ କ୍ଲବରେ ହେବ ବୈଠକ!
କୋଲକତା: ରାଜ୍ୟ ନିର୍ବାଚନରେ ଖେଳ କରି ବିଜେପିକୁ ହରାଇଥିବା ଦିଦି ମମତା ପୁଣି ଜାତୀୟ ରାଜନୀତିରେ ଖେଳ କରିବାକୁ ଚାହିଁଲେଣି । ସିଧା ରାଜନୀତିରେ ମୋଦିଙ୍କ ଟକ୍କର ଦେବା ଅପେକ୍ଷା ପୁଣି ସେ ପ୍ଲାନିଂ କରି ଖେଳ କରିବାକୁ ଚାହୁଁଛନ୍ତି । ଜାତୀୟ ରାଜନୀତିର ଦୃଶ୍ୟପଟରେ ମମତା ଚାହୁଁଛନ୍ତି ତାଙ୍କ ଇମେଜ ପୁଣି ବଢ଼ୁ । ଆଉ ସେଥିପାଇଁ ରାଜନୀତିରେ ଅସ୍ଥିରତା ସୃଷ୍ଟି କରି ଗୋଳିଆ ପାଣିରୁ ଲାଭ ଉଠାଇବାକୁ ଚାହୁଁଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ । 22 ଜଣିଆ ଟିମର ନେତୃତ୍ବ ନେଇ ବିଜେପି ସହ ଖେଳ କରିବାକୁ ଚାହୁଁଛନ୍ତି ଦିଦି । ମୋଦି ବାହିନୀକୁ ହରାଇବା ପାଇଁ ସେଥିପାଇଁ ପଡ଼ିଆରେ 22 ଜଣିଆ ଟିମ୍ ଗଠନ କରିବାରେ ଲାଗିପଡ଼ିଛନ୍ତି । ଏହି 22 ଜଣିଆ ଟିମରେ ସେ ବିଜେଡି ସୁପ୍ରିମୋ ନବୀନଙ୍କୁ ମଧ୍ୟ ରଖିଛନ୍ତି । ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏହି ସମସ୍ତ ନେତାଙ୍କୁ ସେ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇ ବୈଠକ କରିବାକୁ ଅନୁରୋଧ କରିଛନ୍ତି ।
ସେଥିପାଇଁ ସେ ମୋଦି ବିରୋଧୀ ନେତାଙ୍କୁ ଚିଠି ଲେଖିବା ଆରମ୍ଭ କରିଛନ୍ତି । 2024 ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ମାସ ଜୁଲାଇ 18ରେ ହେବାକୁ ଯାଉଛି । ଆଉ ଏ ସମ୍ପର୍କରେ ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ଏଥର ସେ ଚଳିତ ମାସ ଜୁନ 15 ରେ ଦିଲ୍ଲୀରେ କନଷ୍ଟିଚୁସନାଲ୍ କ୍ଲବରେ ଏକ ବଡ଼ ବୈଠକ ଡକାଇବା ବିଷୟରେ ଆଲୋଚନା କରିଛନ୍ତି।
ଶନିବାର ଦିନ ମମତା ବାନାର୍ଜୀ ଏହି ବୈଠକ ସମ୍ପର୍କରେ ପ୍ରାୟ 22 ଟି ବିରୋଧୀ ଦଳର ନେତାଙ୍କୁ ଚିଠି ଲେଖିଛନ୍ତି। “ଏକ ଦୃଢ଼ ଗଣତାନ୍ତ୍ରିକ ଚରିତ୍ର ଥିବା ଦେଶକୁ ଏକ ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ ବିରୋଧୀ ଦଳର ଆବଶ୍ୟକତା ରହିଥିବା ଦିଦି ଚିଠିରେ ଲେଖିଛନ୍ତି । ତେଣୁ ବର୍ତ୍ତମାନ ସମୟରେ ଦେଶର ସମସ୍ତ ପ୍ରଗତିଶୀଳ ଶକ୍ତିଗୁଡିକ ଏକାଠି ରହିବା ଆବଶ୍ୟକ ବୋଲି ସେ କହିଛନ୍ତି । ଦେଶକୁ ବିପର୍ଯ୍ୟସ୍ତ କରୁଥିବା ବିଭାଜନକାରୀ ଶକ୍ତିକୁ ପ୍ରତିରୋଧ କରିବା ଆବଶ୍ୟକ ବୋଲି ମମତା ଲେଖିଛନ୍ତି । ଏହା ସହ ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ବିରୋଧୀ ଦଳର ନେତାମାନଙ୍କୁ ଜାଣିଶୁଣି କେନ୍ଦ୍ର ସରକାର ଟାର୍ଗେଟ କରୁଛନ୍ତି ଏବଂ , ଆନ୍ତର୍ଜାତୀୟ ସ୍ତରରେ ଦେଶର ଭାବମୂର୍ତ୍ତିକୁ ଅପମାନିତ କରାଯାଇଛି ବୋଲି ମମତା ସମସ୍ତଙ୍କୁ ଏହି ଚିଠିରେ ବର୍ଣ୍ଣନା କରିଛନ୍ତି । କେନ୍ଦ୍ର ସରକାର ଦେଶ ଭିତରେ ତିକ୍ତ ମତଭେଦ ସୃଷ୍ଟି କରୁଛନ୍ତି। ଆମର କେନ୍ଦ୍ର ସରକାର ବିରୋଧରେ ପ୍ରତିରୋଧକୁ ଆହୁରି ଦୃଢ଼ କରିବା ସମୟ ଆସିଛି। ” ବୋଲି ମମତା ବାନାର୍ଜୀ ସମସ୍ତ 22 ଜଣ ନେତାଙ୍କୁ ବ୍ୟକ୍ତିଗତ ପତ୍ର ଲେଖିଛନ୍ତି ।
ଦିଦି ଆହୁରି ମଧ୍ୟ ଲେଖିଛନ୍ତି ଆଗାମୀ ମାସରେ , “ରାଷ୍ଟ୍ରପତି ନିର୍ବାଚନ ଦେଶର କୋଣ ଅନୁକୋଣରେ ହେବାକୁ ଯାଉଛି । ତେଣୁ ସମସ୍ତ ପ୍ରଗତିଶୀଳ ବିରୋଧୀ ଦଳ ଭାରତୀୟ ରାଜନୀତିର ଭବିଷ୍ୟତକୁ ପୁଣି ପୁନନିର୍ମାଣ ଏବଂ ବିଚାରବିମର୍ଶ କରିବାର ଉପଯୁକ୍ତ ସୁଯୋଗ ଆସିଛି । ନିର୍ବାଚନ ଆମ ସାଂସଦ ଏବଂ ବିଧାୟକମାନଙ୍କୁ ଆମ ଗଣତନ୍ତ୍ରର ରକ୍ଷକ ଭାବରେ ନିଷ୍ପତ୍ତି ନେବାରେ ସୁଯୋଗ ଦେଇଥାଏ । ଯେତେବେଳେ ଆମର ଗଣତନ୍ତ୍ର ଅସୁବିଧାଜନକ ସମୟ ଦେଇ ଗତି କରୁଛି ସେତେବେଳେ ମୁଁ ବିଶ୍ୱାସ କରେ ଯେ ବିରୋଧୀ ମାନଙ୍କର ଫଳପ୍ରଦ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି । ସାଧାରଣ ଲୋକ ଏବଂ ଗରିବ, ବଞ୍ଚିତ, ଅସହାୟଙ୍କ ସ୍ବର ଉଠାଇବା ପାଇଁ ଆମେ ଏକାଠି ହୋଇ ନିଷ୍ପତ୍ତି ନେବାର ସମୟ ଆସିଛି । ”
ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ, କେରଳର ସିଏମ୍ ଏବଂ ବାମପନ୍ଥୀ ନେତା ପିନାରାଇ ବିଜୟାନ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିକଟକୁ ଚିଠି ଲେଖିଛନ୍ତି ।
ଏହା ସହ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ମଧ୍ୟ ଲେଖିଛନ୍ତି ଚିଠି । ଅନ୍ୟମାନଙ୍କ ମଧ୍ୟରେ ମମତା ଦିଦି ଏହା ସହ ଲାଲୁ ପ୍ରସାଦ ଯାଦବ (ସଭାପତି, ଆରଜେଡି) , ଡି ରାଜା (ସାଧାରଣ ସଚିବ, ସିପିଆଇ), ସୀତାରାମ ୟେଚୁରୀ (ସାଧାରଣ ସମ୍ପାଦକ, ସିପିଏମ୍), ଅଖିଳେଶ ଯାଦବ (ସଭାପତି, ସମାଜବାଦି ପାର୍ଟି), ଶରଦ ପାୱାର (ସଭାପତି, ଏନସିପି), ଜୟନ୍ତ ଚୈାଧୁରୀ (ସଭାପତି, ଆରଏଲଡି), ଏଚ୍ ଡି କୁମାରସ୍ୱାମୀ (ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ଣ୍ଣାଟକ) , ଏଚ୍ ଡି ଦେବ ଗୈାଡ଼ା ( ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ), ଫାରୁକ୍ ଅବଦୁଲ୍ଲା (ସଭାପତି ଏନ୍.ସି), ମେହବୁବା ମୁଫତି (ସଭାପତି, ପିଡିପି), ସୁଖବୀର ସିଂ ବାଦଲ (ସଭାପତି, ଶିରୋମଣି ଅକାଳୀ ଦଳ), ପବନ୍ ଚାମଲିଙ୍ଗ (ସଭାପତି, ସିକ୍କିମ୍ ଡେମୋକ୍ରାଟିକ୍ ଫ୍ରଣ୍ଟ), କେ ଏମ କାଦର ମୋହିଦ୍ଦିନ (ସଭାପତି, IUML) ଙ୍କୁ ଚିଠି ଲେଖିଛନ୍ତି ।
Our hon'ble chairperson @MamataOfficial calls upon all progressive opposition forces to meet and deliberate on the future course of action keeping the Presidential elections in sight; at the Constitution Club, New Delhi on the 15th of June 2022 at 3 PM. pic.twitter.com/nrupJSSbT8
— All India Trinamool Congress (@AITCofficial) June 11, 2022
ଏଠାରେ ସୂଚନାଯୋଗ୍ୟ ଯେ ଜୁଲାଇ 18 ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ ଏବଂ ଜୁଲାଇ 21 ରେ ଭୋଟ୍ ଗଣନା କରାଯିବ । ଦେଶର ମୋଟ 4,809 ସାଂସଦ ଏବଂ ବିଧାୟକଙ୍କୁ ନେଇ ଗଠିତ ନିର୍ବାଚନୀ ମଣ୍ଡଳୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉତ୍ତରାଧିକାରୀ ଚୟନ କରିବ।
ଆପଣ ଜାଣନ୍ତି ଯେ 2021 ମସିହାରେ ବଙ୍ଗଳା ବିଧାନସଭା ନିର୍ବାଚନରେ ବଡ଼ ବିଜୟ ହାସଲ କରିବା ପରଠାରୁ ଜାତୀୟ ରାଜନୀତିରେ ମମତା କ୍ରମାଗତ ଭାବରେ ନିଜର ସ୍ଥିତି ଦୃଢ଼ କରିବାକୁ ଚେଷ୍ଟା ଚଳାଇଛନ୍ତି । ବର୍ତ୍ତମାନ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ 2022 ମସିହାରେ 22 ଜଣ ବିରୋଧୀଦଳର ନେତାଙ୍କ ସହ ହେବା ବୈଠକରୁ କଣ ନିଷ୍କର୍ସ ବାହାରୁଛି ନା ବୈଠକ ଫୁସ ହେଉଛି ।
Comments are closed.