Latest Odisha News

BREAKING NEWS

ଦିଅର ଲାଠି ମାଡରେ ଭାଉଜ ଲହୁଲୁହାଣ !

କାମାକ୍ଷାନଗର: ଅବିଶ୍ୱାସ ଲାଗୁଥିଲେ ବି ସତ । କଥାରେ ଅଛି ଭାଉଜ ମାଆ ସମାନ, ଦିଅର ପୁଅ ସମାନ । ହେଲେ ଢେଙ୍କାନାଳ ଯମୁନାକୋଟ ଗାଁରେ ଏଭଳି ସଂପର୍କରେ ଲାଗିଛି ଅବିଶ୍ୱାସର ଛିଟା । ସୁଭଦ୍ରା ସାହୁ ନାମକ ଜଣେ ମହିଳାଙ୍କୁ ଖୋଦ ତାଙ୍କ ଦିଅର ବିଦ୍ୟୁତ ସଂଯୋଗକୁ ନେଇ ନିସ୍ତୁକ ମାଡ ମାରି ଲହୁୁଲୁହାଣ କରିଥିବା ଅଭିଯୋଗ ହୋଇଛି ।

ଗୁରୁତର ମହିଳା ଜଣକ ହେଉଛନ୍ତି ଗୌରାଙ୍ଗ ସାହୁଙ୍କ ଧର୍ମପତ୍ନୀ । ରିପୋର୍ଟ ଅନୁଯାୟୀ ଗତକାଲି ସଂଧ୍ୟା ପ୍ରାୟ ୫ଟା ସମୟରେ ଗୌରାଙ୍ଗଙ୍କ ସାନଭାଇ ଗୋବିନ୍ଦ ଘରକୁ ବିଦ୍ୟୁତ ସଂଯୋଗ କରିବାକୁ ଚେଷ୍ଟା କରିଥିଲେ । ହେଲେ କୌଣସି କାରଣ ଯୋଗୁଁ ସାନ ଭାଇ ଗୋବିନ୍ଦ ଓ ବଡ ଭାଇ ଗୌରାଙ୍ଗ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଏହା ଧସ୍ତାଧସ୍ତି ଓ ଶେଷରେ ଝଗଡାର ରୂପ ଧାରଣ କରିଥିଲା ।

ଦୁଇ ଭାଇଙ୍କ ମଧ୍ୟରେ ଚାଲିଥିବା ଝଗଡାରେ ସୁଭଦ୍ରା ହସ୍ତକ୍ଷେପ କରି ରୋକିବାକୁ ଚେଷ୍ଟା କରିଥିଲେ । ହେଲେ ଉତକ୍ଷିପ୍ତ ହୋଇ ଗୋବିନ୍ଦ ନିଜ ଭାଉଜକୁ ଠେଙ୍ଗାରେ ମାଡ ମାରି ଲହୁଲୁହାଣ କରିବାକୁ କୁଣ୍ଠାବୋଧ କରିନଥିଲା । ଗୁରୁତର ଅବସ୍ଥାରେ ସୁଭଦ୍ରାଙ୍କୁ ପ୍ରଥମେ ମଠକରଗୋଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ସୁଭଦ୍ରାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଏହି ଘଟଣାକୁ ନେଇ ଗୌରାଙ୍ଗ ସାହୁ ସୁରପ୍ରତାପପୁର ଫାଣ୍ଡିରେ ଅଭିଯୋଗ କରିଥିଲାବେଳେ ଜାରି ରହିଛି ପୋଲିସର ତଦନ୍ତ ପ୍ରକ୍ରିୟା । ତେବେ ଏହି ମାମଲାରେ ଗୋବିନ୍ଦ କିମ୍ବା ପୋଲିସ ତରଫରୁ କୌଣସି ସୂଚନା ମିଳିପାରିନାହିଁ ।

Leave A Reply

Your email address will not be published.