ନୂଆଦିଲ୍ଲୀ: ରୋହତକରେ ନଭେମ୍ବର ୨୬ରେ ଘଟିଥିବା ୪ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ହନିଟ୍ରାପ୍ ମାଧ୍ୟମରେ ହୋଟେଲକୁ ଡାକି ନେଇଥିବା ଅଭିଯୁକ୍ତ ମହିଳା ଯାହ୍ନବୀ ଦେଶଛାଡି ଥାଇଲାଣ୍ଡ ପଳାୟନ କରିଥିବା ସନ୍ଦେହ କରାଯାଉଛି । ଘଟଣାରେ ଭାରତୀୟ ଏଜେନ୍ସି ଗୁଡିକ ଏବେ ‘ରୟାଲ ଥାଇ ପୋଲିସ’ ସହ ଯୋଗାଯୋଗ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଗୁଳିକାଣ୍ଡର ପରେ ତୁରନ୍ତ ସେହି ସ୍ଥାନରୁ ମହିଳାଙ୍କୁ ଦିଲ୍ଲୀ ଆଇଜିଆଇ ବିମାନବନ୍ଦରକୁ ନିଆଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡିଛି । ପୂର୍ବରୁ ପ୍ରସ୍ତୁତ ଯୋଜନା ଅନୁସାରେ ସେ ପରଦିନ ସକାଳ ୮ଟାରେ ବ୍ୟାଙ୍କକ ଯାଉଥିବା ଏକ ବିମାନରେ ଚଢି ଚାଲି ଯାଇଥିଲେ । ସ୍ଥାନୀୟ ପୋଲିସ ତାଙ୍କୁୁ ଧରିବା ପୂର୍ବରୁ ହିଁ ସେ ଦେଶ ଛାଡି ସାରିଥିଲେ । ତାଙ୍କର ଏହି ପଳାୟନ ଘଟଣାର ତଦନ୍ତରୁ ଜଣାପଡିଛି , ସମ୍ପୂର୍ଣ୍ଣ ଯୋଜନାଟି ବହୁ ପୂର୍ବରୁ ପ୍ରସ୍ତୁତ କରିଥିଲେ ମହିଳା । ରୋହତକ ହତ୍ୟାକାଣ୍ଡର ମାତ୍ର ୧୦ଦିନ ପୂର୍ବରୁ ଅର୍ଥାତ୍ ନଭେମ୍ବର ୧୬ରେ ଯାହ୍ନବୀଙ୍କ ପାସପୋର୍ଟ ପ୍ରସ୍ତୁତ ହୋଇଥିବା ପୋଲିସ ଜାଣିବାକୁ ପାଇଛି । ଏହାଛଡା କାମ ସାରିବା ପରେ ତାଙ୍କର ବ୍ୟାଙ୍କକ ଫେରିଯିବାକୁ ବିମାନ ଟିକେଟ୍ ମଧ୍ୟ ହୋଇଥିଲା । ବିଦେଶରେ ରହୁଥିବା ସାହିଲ ନାମକ ଜଣେ ଗ୍ୟାଙ୍ଗଷ୍ଟାର ଟିକେଟ୍ କରିଥିବା ସୂଚନା ମିଲିଛି ।
ଅଧିକ ତଦନ୍ତରୁ ଜଣାପଡିଛି, ଉତ୍ତରପ୍ରଦେଶର ଶାମଲି ଅଂଚଳର ବାସିନ୍ଦା ଯାହ୍ନବୀ ଏପରି ଏକ ପରିବାରରୁ ଆସିଛନ୍ତି ଯେଉଁଠାରେ ପୂର୍ବରୁ ଅପରାଧିକ ଇତିହାସ ରହିଛି । ଯହ୍ନବୀ ପ୍ରଥମେ ସାହିଲ ରିଟୋଲିଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ ଏକାଠି କଫି ପିଇବା ବାହାନାରେ ହୋଟେଲକୁ ଡାକିଥିଲେ । ରିଟୋଲି ସେହି ହୋଟେଲରେ ଅନ୍ୟ ୩ଜଣ ବ୍ୟକ୍ତିଙ୍କ ସହ ରହୁଥିଲେ । ଯେଉଁମାନଙ୍କୁ ପରେ ଗୁଳିକରି ହତ୍ୟା କରାଯାଇଥିଲା । ରିଟୋଲି ଘଟଣାସ୍ଥଳରେ ପହଂଚିବା ମାତ୍ରେ ସଶସ୍ତ୍ର ଆକ୍ରମଣକାରୀମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ରିଟୋଲି ଘଟଣାସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ । କିନ୍ତୁ ଅନ୍ୟ ୩ ବ୍ୟକ୍ତି ଗୁଳିମାଡର ଶିକାର ହୋଇଥିଲେ । ଏବଂ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରୁ ଚତୁର୍ଥ ବ୍ୟକ୍ତିଙ୍କ ଭୂମିକା ସ୍ପଷ୍ଟ ହୋଇନାହିଁ । ପୋଲିସର ସନ୍ଦେହ ଯେ, ସେ ହୁଏତ ଘଟଣାରେ ଅଜାଣତରେ ଫସିଯାଇ ଜୀବନ ହାରିଛି । ସୂଚନା ଅନୁସାରେ ହତ୍ୟାକାଣ୍ଡର ଯୋଜନା ଜର୍ଜିଆରୁ ପ୍ରସ୍ତୁତ କରାଯାଇଥିଲା । ଉତ୍ତରପ୍ରଦେଶର ବାଘପତ ଜିଲ୍ଲା ରଙ୍ଗନୌଲି ଗାଁର ବାସିନ୍ଦା ତଥା ଜେଲରେ ଥିବା ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉର ଜଣେ ମୁଖ୍ୟ ସହଯୋଗୀ, ଗ୍ୟାଙ୍ଗଷ୍ଟର ରବି ରାଠି ଏବେ ଜର୍ଜିଆର ତିବିଲିସିରୁ ନିଜର କାର୍ଯ୍ୟକଳାପ ଚଳାଉଛି ।
