Latest Odisha News

BREAKING NEWS

କ୍ୱାକଙ୍କ ଭୁଲ ଇଞ୍ଜେକସନରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ବଲାଙ୍ଗୀର: ନବରଙ୍ଗପୁର ପରେ ଏବେ ବାଲାଙ୍ଗୀରେ କ୍ୱାକଙ୍କ ଅବହେଳାରୁ ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ। ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଚନାବାହାଲ ଗାଁରେ କ୍ୱାକ୍‌ ଭୁଲ୍ ଇଞ୍ଜେକ୍ସନ୍ ଦେବାରୁ ଶିବ ମହାନନ୍ଦ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ସୂଚନାନୁସାରେ, ଶିବ ମହାନନ୍ଦ ରବିବାର ଦିନ ନିଜ ଘରେ ଟାଙ୍ଗିଆର ଏକ କାଠକୁ ଦୁଇ ଫାଳ କରୁଥିଲେ। ଏହି ସମୟରେ ତାଙ୍କ ଗୋଡ଼ରେ ହଠାତ୍ ଟାଙ୍ଗିଆ ବାଜିଥିଲା ଏବଂ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଫଳରେ ପରିବାର ଲୋକେ ନିକଟସ୍ଥ ବାଗବାହାଲି ଗାଁର କ୍ୱାକ୍‌ ପ୍ରମୋଦ କୁମାର ମହାକୁରଙ୍କୁ ଖବର ଦେଇଥିଲେ। ପ୍ରମୋଦ ଶିବଙ୍କୁ ଯାଞ୍ଚ କରି ତାଙ୍କୁ ଏକ ଇଞ୍ଜେକ୍ସନ ଦେଇଥିଲେ। ଇଞ୍ଜେକ୍ସନ ନେବା ପରେ ଶିବ ମହାନନ୍ଦ ସଙ୍ଗେ ସଙ୍ଗେ ଅଚେତ ହୋଇଯାଇଥିଲେ। ପରିବାର ଲୋକେ ଶିବ ମହାନନ୍ଦଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

କ୍ୱାକ୍ ଭୁଲ୍‌ ଇଞ୍ଜେକ୍ସନ ଦେବା ଯୋଗୁ ଶିବ ମହାନନ୍ଦଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଘଟଣାସ୍ଥଳରୁ କ୍ୱାକ୍ ପ୍ରମୋଦ କୁମାର ମହାକୁର ଫେରାର ହୋଇଯାଇଛନ୍ତି। ସୂଚନା ପାଇବା ପରେ କାଣ୍ଟାବାଞ୍ଜି ପୋଲିସ ଏକ ଟିମ୍ ଡାକ୍ତରଖାନାକୁ ଆସି ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି। ଶିବଙ୍କ ପତ୍ନୀ ପୋଲିସକୁ କହିବା ଅନୁଯାୟୀ, ଭୁଲ ଇଞ୍ଜେକ୍ସନ ଯୋଗୁଁ ଶିବଙ୍କର ମୃତ୍ୟୁ ଘଟିଛି। ଶିବଙ୍କର ଦେହ ପୂର୍ବରୁ କୌଣସି ଅସୁସ୍ଥତା ନଥିଲା। ଭୁଲ ଇଞ୍ଜେକ୍ସନ ହେତୁ ସେ ମୃତ୍ୟୁବରଣ କରିଥିବା ପରିବାର ଲୋକେ ସନ୍ଦେହ କରୁଥିବା ଅଭିଯୋଗ କରାଯଆଇଛି।

Comments are closed.