ଧାମନଗର: ଭଦ୍ରକ ଜିଲ୍ଲା ଧାମନଗରରେ ଦେଖିବାକୁ ମିଳିଛି ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ହାଣିବା ପରେ ନିଜେ ଗଛରେ ଝୁଲି ଆତ୍ମହତ୍ୟା କରିଛି ସ୍ୱାମୀ । ସ୍ଥାନୀୟ ମୌଲାନା ସାହିରେ ଘଟିଛି ଏପରି ହୃଦୟବିଦାରକ ଘଟଣା । ଘର ଭିତରେ ପଡିଛି ସ୍ତ୍ରୀର କ୍ଷତବିକ୍ଷତ ରକ୍ତାକ୍ତ ମୃତଦେହ । ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିବା ପରେ ଜଣାପଡୁଛି, ସ୍ତ୍ରୀକୁ କଟୁରିରେ ହାଣି ହତ୍ୟାକରିଛି ସ୍ୱାମୀ । ଘର ଭିତରେ ପଡିଛି ରକ୍ତ ଭିଜା କଟୁରି । ସ୍ତ୍ରୀକୁ କଟୁରିରେ ହାଣି ହତ୍ୟା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଧାମନଗର ପୋଲିସ ଘଟଣାର ତଦନ୍ତ କରୁଛି ।
ଗାଁର ଭାସ୍କର ସାମଲ ଓ ପତ୍ନୀ ସସ୍ମିତାଙ୍କ ମଧ୍ୟରେ ସବୁବେଳେ ଗଣ୍ଡଗୋଳ ଘଟୁଥିଲା । ଏହି ମନୋମାଳିନ୍ୟ ଦୀର୍ଘ ଦିନର । ଏପରିକି ଦାମ୍ପତ୍ୟ କଳିର ସମାଧାନା କରିବା ପାଇଁ ଭଦ୍ର ଲୋକଙ୍କୁ ବି ଡକାଯାଇଥିଲା । ହଠାତ ଆଜି ସକାଳୁ ଏହି ମନୋମାଳିନ୍ୟର ଶେଷ ଦୃଶ୍ୟ ଦେଖିବାକୁ ମିଳିଥିଲା। ଘର ଭିତରେ ସସ୍ମିତାଙ୍କ ରକ୍ତାକ୍ତ ମୃତ ଦେହ ଏବଂ ଘର ପାଖ ଜମିରେ ଭାସ୍କରଙ୍କ ମୃତଦେହ । ସସ୍ମିତାଙ୍କ ବେକ , ଛାତି ଓ ହାତରେ ଗଭୀର ଆଘାତ ଲାଗିଛି । ସେପଟେ ସ୍ୱାମୀ ଭାସ୍କର ଘର ନିକଟରୁ ପ୍ରାୟ ୫୦୦ ମିଟର ଦୂରରେ ଏକ ଗଛରେ ଝୁଲି ପଡିଥିଲେ ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପ୍ରଥମେ ସେମାନେ ଭାସ୍କରଙ୍କୁ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ପରେ ସେମାନେ ଘର ଲୋକଙ୍କୁ ଖବର ଦେଇଥିଲେ । ଘରେ ତାଲା ପଡିଥିଲା । ପତ୍ନୀ ସସ୍ମିତାଙ୍କୁ ନ ପାଇ ଘରର ତାଲା ଭଙ୍ଗା ଯାଇଥିଲା । ହେଲେ ଘର ଭିତରେ ସସ୍ମିତାଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବା ପାଇଁ ମିଳିଥିଲା ।
Comments are closed.