Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାଜାନ୍ଦ୍ରାଭିଷେକ ନୀତି, ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

ପୁରୀ : ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ରାଜାନ୍ଦ୍ରାଭିଷେକ ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ନୀତି ଶେଷହେବା ପରେ ଆଜ୍ଞାମାଳ ପାଇ ମଦନମୋହନ ଖଟ ଉପରକୁ ମହାପ୍ରଭୁ ବିଜେ କରିବେ । ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଜଗମୋହନ ଭିତର ଅନ୍ଧାର କରାଯିବ । ମହାପ୍ରଭୁଙ୍କ ଆଲଟ ଲାଗି ନୀତି ସରିବା ପରେ ଡଗର ଆସି ମଦନମୋହନଙ୍କ ନିକଟରେ ରୁକ୍ମିଣୀ ବିବାହ ପ୍ରସ୍ତାବ ଜଣାଇବେ ।

ତାପରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ସରିବା ପରେ ସୁସଜ୍ଜିତ ରଥରେ ମଦନମୋହନ ଘଣ୍ଟ,ଛତା, କାହାଳି ଓ ପଟୁଆର ମଧ୍ୟରେ ଶ୍ରୀମନ୍ଦିର ବେଢା ପରିକ୍ରମା କରିବେ। ଆସନ୍ତାକାଲି ଏକାଦଶୀ ତିଥିରେ ମହାପ୍ରଭୁଙ୍କ ରୁକ୍ମିଣୀ ବିବାହ ଉତ୍ସବ ବିଧି ଅନୁସାରେ ପାଳନ କରାଯିବ।

ସେପଟେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଚୂଡ଼ାନ୍ତ କରାଯାଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ଶ୍ରୀଗୁଣ୍ଡିଚା, ବାହୁଡ଼ା, ସୁନାବେଶ, ଅଧରପଣା ଭୋଗ ଏବଂ ନୀଳାଦ୍ରି ବିଜେ ପାଇଁ ଛତିଶା ନିଯୋଗ ପ୍ରସ୍ତୁତ ନୀତି ନିର୍ଘଣ୍ଟ ଅନୁମୋଦନ କରାଯାଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ମହାପ୍ରଭୁଙ୍କ ନୀତିକାନ୍ତି କିପରି ସୁରୁଖୁରୁରେ ଚାଲିବ ତା’ ଉପରେ ଗୁରୁତ୍ୱ ଦିଆଯାଇଛି।ଏହି ବୈଠକରେ ନବନିଯୁକ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି,ପରିଚାଳନା କମିଟିର ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.