ଇନ୍ଦିପୁର:ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିବା ଅଭିଯୋଗ। ସ୍ତ୍ରୀକୁ ପିଟି ପିଟି ହତ୍ୟା ପରେ ପାଇଖାନା ଟାଙ୍କିରେ ପୋତି ଦେଇଛି ମଦ୍ୟପ ସ୍ବାମୀ । ଢେଙ୍କାନାଳ ଜିଲ୍ଲା ଇନ୍ଦିପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ମହିଳା ଜଣଙ୍କ ଇନ୍ଦିପୁର ଜୁଆଙ୍ଗ ସାହିର କୌଶଲ୍ୟା ପଧାନ । ଖବର ପାଇ ଆଜି ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ୱାମୀ ଗିରିଶ ପଧାନକୁ ଗିରଫ କରିଛି ।
କୌଶଲ୍ୟା ସୁଭଦ୍ରା କିସ୍ତି ଟଙ୍କା ପାଇଥିଲେ। ତେବେ ଉଭୟ ସ୍ୱାମୀ ସ୍ତ୍ରୀ ମଦ୍ୟ ପାନ କରିବା ପରେ ଗିରିଶ ଆହୁରି ମଦ ପାଇଁ ଟଙ୍କା ମାଗିଥିଲେ । ମାତ୍ର ସ୍ତ୍ରୀ ନଦେବାରୁ ଉଭୟ ସ୍ୱାମୀ ସ୍ତ୍ରୀ ପାଟି ତୁଣ୍ଡରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।
ସୂଚନାନୁଯାୟୀ, ସୁଭଦ୍ରା ଟଙ୍କା ଦେବାକୁ ମନା କରିବାରୁ ଅଭିଯୁକ୍ତ ସ୍ୱାମୀ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀଙ୍କୁ ବାଡ଼ି ଓ ଶାବଳରେ ଆକ୍ରମଣ କରିଥିଲେ। ଆକ୍ରମଣରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା। ହତ୍ୟା ପରେ ଘଟଣା ଲୁଚାଇବା ପାଇଁ ଅଭିଯୁକ୍ତ ମୃତଦେହକୁ ପାଇଖାନା ଟାଙ୍କିରେ ପୋତି ଦେଇଥିବା ଅଭିଯୋଗ ହୋଇଛି।
ଘଟଣା ସମ୍ପର୍କରେ ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ମୃତଦେହ ଉଦ୍ଧାର ସହ ଘଟଣାସ୍ଥଳରୁ ବିଭିନ୍ନ ତଥ୍ୟ ଓ ପ୍ରମାଣ ସଂଗ୍ରହ ପାଇଁ ସାଇଣ୍ଟିଫିକ୍ ଟିମ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା। ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରି ପଚରାଉଚରା କରିବା ସହ ହତ୍ୟାକାଣ୍ଡର ପ୍ରକୃତ କାରଣ ଓ ଘଟଣାକ୍ରମ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିଛି।


Comments are closed.