ହରାରେ: ମଧ୍ୟ ଜିମ୍ବାୱେରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୨୭ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଛି। ମିନିବସ୍ ‘କୋମ୍ବି’ ଚର୍ଚ୍ଚର ସଦସ୍ୟମାନଙ୍କୁ ନେଇ ଏକ ସମ୍ମିଳନୀକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି।
ପୋଲିସ ସୂଚନାନୁସାରେ, ରାଜଧାନୀ ହରାରେଠାରୁ ପ୍ରାୟ ୧୪୦ କିଲୋମିଟର ଦୂର ଚିଭୁ ସହର ନିକଟସ୍ଥ ହାଇୱେରେ ସନ୍ଧ୍ୟାରେ ଏହି ଘଟଣା ଘଟିଛି। ମିନିବସ୍ଟି ସାମ୍ନାରେ ଥିବା ଅନ୍ୟ ଏକ ଗାଡ଼ିକୁ ଓଭରଟେକ୍ କରିବାକୁ ଚେଷ୍ଟା କରୁଥିବା ସମୟରେ ସାମ୍ନା ପଟୁ ଆସୁଥିବା ଏକ ମାଲବାହୀ ଟ୍ରକ୍ ସହ ସିଧାସଳଖ ଧକ୍କା ହୋଇଥିଲା। ଧକ୍କା ହେବା ମାତ୍ରେ ମିନିବସଟିରେ ନିଆଁ ଲାଗିଯାଇଥିଲା ଏବଂ ତାହା ସମ୍ପୂର୍ଣ୍ଣ ଜଳି ଯାଇଥିଲା ।
ସ୍ଥାନୀୟ ସରକାରୀ ଗଣମାଧ୍ୟମ ନ୍ୟୁଜ୍ର ରିପୋର୍ଟ ଅନୁଯାୟୀ, ଦୁର୍ଘଟଣା ସ୍ଥଳରେ ହିଁ ୨୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ଯାତ୍ରୀମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ କିଛି ଯାତ୍ରୀ ପ୍ରାଣ ହରାଇଥିଲେ, ଯାହାଫଳରେ ମୋଟ ମୃତ୍ୟୁସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ପୋଲିସ ମୁଖପାତ୍ର ପଲ୍ ନ୍ୟାଥି କହିଛନ୍ତି ଯେ ଦୁଇଟିଯାକ ଗାଡ଼ିରେ ଅନେକ ଯାତ୍ରୀ ଥିଲେ।
ଖରାପ ରାସ୍ତା, ଖାଲଖମା ଏବଂ ନିୟମ ଉଲ୍ଲଂଘନ ଯୋଗୁଁ ବାରମ୍ବାର ଏପରି ଭୟଙ୍କର ସଡ଼କ ଦୁର୍ଘଟଣା ଘଟୁଥିବା ବେଳେ ଏହି ଘଟଣା ପୂରା ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି।

