ନୂଆଦିଲ୍ଲୀ: ପାର୍ବଣ ଋତୁର ମଉଜ ଆରମ୍ଭ ହୋଇଯାଇଥିବା ବେଳେ ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଦୀପାବଳି ପାଇଁ ସାରା ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ସମୟରେ ଛତିଶଗଡର କୋଣ୍ଡାଗାଁଓ ନିବାସୀ ଅଶୋକ ଚକ୍ରଧାରୀ ଏକ ମାଟି ଦୀପ ତିଆରି କରିଛନ୍ତି ଯାହା ଅାକର୍ଷଣର କେନ୍ଦ୍ର ପାଲଟିଛି। ଏହି ଦୀପ ୨୪ ରୁ ୪୦ ଘଣ୍ଟା ପର୍ଯ୍ୟନ୍ତ ଲଗାତାର ଜଳୁଛି।
ରିପୋର୍ଟ ଅନୁଯାୟୀ ଶିଳ୍ପୀ ଅଶୋକ ଚକ୍ରଧାରୀ ଏହି ଦୀପ ତିଆରି କରିଛନ୍ତି। ଏ ନେଇ ଅଶୋକ କହିଛନ୍ତି ଯେ ସେ ୩୫ ବର୍ଷ ପୂର୍ବେ ଏପରି ଏକ ଦୀପ ଦେଖିଥିଲେ ଏବଂ ଏହାକୁ ଧ୍ୟାନରେ ରଖି ସେ ଏହି ଦୀପ ତିଆରି କରିଛନ୍ତି।
ତେବେ ଅଶୋକ କହିଛନ୍ତି ଯେ ଏହି ବର୍ଷ ନବରାତ୍ରୀ ସମୟରେ କେହି ଜଣେ ବ୍ୟକ୍ତି ଫୋନ୍ କରି କହିଥିଲେ ଯେ ତୁମେ ଯେଉଁଭଳି ଦୀପ ତିଆରି କରୁଛ ଆମେ ଠିକ୍ ସେହିପରି ଦୀପ ଚାହୁଁଛୁ। ଏହାପରେ ଅଶୋକ ଜାଣିବାକୁ ପାଇଥିଲେ ଯେ ଦୀପର ଭିଡିଓ ଏବଂ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ଯେଉଁଥିପାଇଁ ଲୋକମାନେ ତାଙ୍କୁ ଫୋନ୍ ମାଧ୍ୟମରେ ଦୀପର ଅର୍ଡର୍ ଦେଉଛନ୍ତି।
ଅଶୋକଙ୍କ କହିବା ମୁତାବକ ପ୍ରତିଦିନ ସେ ୫୦ରୁ ୬୦ଟି ଏପରି ସ୍ୱତନ୍ତ୍ର ଦୀପ ପ୍ରସ୍ତୁତ କରନ୍ତି। ଏହି ସ୍ୱତନ୍ତ୍ର ଦୀପର ମୂଲ୍ୟ ୨୦୦ ରୁ ୨୫୦ ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି। ଏଭଳି ନିଆରା ଶୈଳୀର ଦୀପ ପ୍ରସ୍ତୁତ ପାଇଁ ଅଶୋକ ଚକ୍ରଧାରୀଙ୍କୁ ଜାତୀୟ ମେରିଟ୍ ଆୱାର୍ଡ ମଧ୍ୟ ପ୍ରଦାନ କରାଯାଇଛି।
Comments are closed.