Latest Odisha News

ଅଗ୍ନିଶମ ବିଭାଗର ଅକ୍ଲାନ୍ତ ଚେଷ୍ଟା ପରେ ଉତ୍କଳ ବିଶ୍ଵବିଦ୍ୟାଳୟ ଛାତରୁ ଉଦ୍ଧାର ହେଲେ ଯୁବକ

ଭୁବନେଶ୍ୱର: ଦୀର୍ଘ ୩ ଘଣ୍ଟାରୁ ଊର୍ଧ୍ବ ପ୍ରଚେଷ୍ଟା ପରେ ଅଗ୍ନିଶମ ବିଭାଗ ଉତ୍କଳ ବିଶ୍ବବିଦ୍ୟାଳୟର ଛାତରେ ଚଢି ଆତ୍ମାହତ୍ୟା ଧମକ ଦେଉଥିବା ଯୁବକକୁ ଉଦ୍ଧାର କରିବାରେ ସଫଳ ହୋଇଛି ।

ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହ ସହିଦ ନଗର ପୋଲିସ ଷ୍ଟେସନର ଆଇଆଇସି ହାଇଡ୍ରୋଲିକ ସିଡ଼ିରେ ଉପରକୁ ଯାଇ ଯୁବକ ଜଣଙ୍କୁ ଉଦ୍ଧାର କରିବା ସହ ଏହି ହାଇ ଭୋଲଟେଜ ଡ୍ରାମାର ପରି ସମାପ୍ତି ଘଟାଇଛନ୍ତି ।

ତେବେ ଏହି ଯୁବକ ଜଣଙ୍କ କେନ୍ଦ୍ରାପଡା ଜିଲ୍ଲା ପଟାମୁଣ୍ଡେଇ ବ୍ଲକ ପ୍ରହରାଜପୁର ଗ୍ରାମର ସୁବୋଧ ବାରିକ(୩୯) ବୋଲି ଜଣାପଡିଛି। ଉଦ୍ଧାର ପରେ ତାଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନା ନିଆଯାଇଥିବା ସୂଚନା ମିଳିଛି ।

ଆଜି ସକାଳେ ଉତ୍କଳ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ପରିସରରେ ଥିବା ପରିଜା ଲାଇବ୍ରେରୀର ଛାତ ଉପରେ ଜଣେ ଯୁବକ ଚଢ଼ି ଆତ୍ମହତ୍ୟା ପାଇଁ ଧମକ ଦେଉଥିବା କିଛି ଛାତ୍ର ଦେଖିଥିଲେ ।  ସୂଚନା ପାଇ ଅଗ୍ନିଶମ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରଖିଥିଲେ ।

ତେବେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କଲେ ସେ ସେଠାରୁ ଡେଇଁ ଆତ୍ମହତ୍ୟା କରିଦେବେ ବୋଲି ଯୁବକ ଜଣଙ୍କ ଧମକାଇ ଥିଲେ ।

ଉକ୍ତ ଯୁବକଙ୍କୁ ବୁଝାଇଶୁଝାଇ ତଳକୁ ଆସିବା ଲାଗି ପ୍ରୟାସ କରି ଅସଫଳ ହେବା ପରେ ଶେଷରେ ବଳ ପ୍ରୟୋଗ କରି ତଳକୁ ଓହ୍ଲାଇ ଅଣାଯାଇଛି ।

ଜଣେ ଅଗ୍ନିଶମ କର୍ମଚାରୀ ତାଙ୍କୁ କଥାବାର୍ତ୍ତା ଜରିଆରେ ବ୍ୟସ୍ତ ରଖିଥିବା ବେଳେ ଅନ୍ୟ ଜଣେ କର୍ମଚାରୀ ପଛପଟୁ ହାଇଡ୍ରୋଲିକ ସିଡ଼ିରେ ଯାଇ ତାଙ୍କୁ ମାଡ଼ି ବସିଥିଲେ। ଏହାପରେ ଯୁବକଙ୍କ ହାତଗୋଡ଼ ବାନ୍ଧି ପକାଇଥିଲେ ଅଗ୍ନିଶମ କର୍ମଚାରୀ। ଏହାପରେ ଅନ୍ୟ କର୍ମଚାରୀଙ୍କ ସହାୟତାରେ ତାଙ୍କୁ ବଳପୂର୍ବକ ସିଡିରେ ଲାଗିଥିବା ଲିଫ୍ଟ ମଧ୍ୟକୁ ଅଣାଯାଇଥିଲା। ଶେଷରେ ତାଙ୍କୁ ତଳକୁ ଓହ୍ଲାଇ ଅଣାଯାଇଥିବା ଜଣାପଡିଛି ।

ଗଣମାଧ୍ୟମକୁ ସୂଚନା ଦେଇ ସୁବୋଧଙ୍କ ସାଙ୍ଗ ନିର୍ମଳ ଚନ୍ଦ୍ର ସିଂ କହିଛନ୍ତି ଯେ, କେନ୍ଦ୍ରାପଡା ଜିଲ୍ଲା ଡାକ ବିଭାଗରେ ୨୦୦୦ ମସିହାରୁ ସୁବୋଧ କାର୍ଯ୍ୟ କରିଆସୁଥିଲେ । ତାଙ୍କର କିଛି ମାନସିକ ଅସୁବିଧା ପାଇଁ ୨୦୧୮ ମସିହାରେ ତାଙ୍କୁ ଚାକିରୀରୁ ବରଖାସ୍ତ କରିଦିଆଯାଇଛି । ନିକଟରେ ସେ ନାୟପଲ୍ଲୀ ସ୍ଥିତ ନିଜର ଜଣେ ମାଉସୀଙ୍କ ଘରେ ରହୁଥିବା ବେଳେ ଗତ ଅକ୍ଟୋବର ୨୪ ତାରିଖରୁ ନିଖୋଜ ଥିଲେ ।

ତାଙ୍କ ପରିବାର ନାୟପଲ୍ଲୀ ଥାନାରେ ଏକ ନିଖୋଜ ଅଭିଯୋଗ ମଧ୍ୟ ଦାୟର କରିଥିଲେ ।

Leave A Reply

Your email address will not be published.