Latest Odisha News

BREAKING NEWS

ଚର୍ଚ୍ଚାରେ ଓଡ଼ିଶା ପୋଲିସ ମୁଖ୍ୟ ପଦବୀ; ୧୯ ବର୍ଷରେ ୧୫ ଡ଼ିଜିପି !

କଟକ: ଓଡ଼ିଶାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପୋଲିସ ମହାନିର୍ଦ୍ଦେଶକ ପଦବୀକୁ ନେଇ ରାଜ୍ୟରେ ବେଶ୍ ଚର୍ଚ୍ଚା ଚାଲିଛି । ଏମିତି କେଉଁ କାରଣ ଯୋଗୁଁ ବିଗତ ୧୯ ବର୍ଷରେ ୧୫ ଜଣ ଡ଼ିଜିପି ବଦଳି ହୋଇ ଏହି ପଦବୀରେ ଅବସ୍ଥାପିତ ହୋଇଛନ୍ତି? ଏହା ସ୍ୱାଭାବିକ ଭାବେ ଚର୍ଚ୍ଚାର ପରିସରକୁ ଆସିଛି କାରଣ ଯେଉଁପରି ଅଚାନକ ଭାବେ ପୂର୍ବତନ ଡ଼ିଜିପି ବି କେ ଶର୍ମାଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ବରିଷ୍ଠ ଆଇପିଏସ ଅଧିକାରୀ ଅଭୟଙ୍କୁ ଅବସ୍ଥାପିତ କରାଗଲା ତାହାକୁ ନେଇ ବିରୋଧୀଦଳମାନେ ସରକାରଙ୍କ ଆଡ଼କୁ ଏନେଇ ଅଙ୍ଗୁଳିଠାର କରିଛନ୍ତି ।

ଆଇପିଏସ ଅଧିକାରୀ ବିଜୟ କୁମାର ଶର୍ମା ୪ ମାସ ପୂର୍ବରୁ ଏହି ପଦବୀରେ ଅବସ୍ଥାପିତ ହୋଇଥିଲେ । ନୂତନ ଡ଼ିଜିପି ଭାବେ ବରିଷ୍ଠ ଆଇପିଏସ ଅଧିକାରୀ ଅଭୟ ଏହି ପଦବୀରେ ଏବେ ନିଯୁକ୍ତ ହେଲେ ।

ଦେଖିବାକୁ ଗଲେ ରାଜ୍ୟର ଏହି ଗୁରୁତ୍ୱପୂର୍ଣ୍ଣ ଡ଼ିଜିପି ପଦବୀରେ ଯେକୌଣସି ବ୍ୟକ୍ତି ହାରାହାରି ୧ ବର୍ଷରୁ ଅଧିକ ଦିନ ରହି ପାରିନାହାନ୍ତି । ଅବଶ୍ୟ ଏନ ସି ପାଢୀ ଓ ମନମୋହନ ପ୍ରହରାଜ ସବୁଠାରୁ ଅଧିକ ଦିନ ଅର୍ଥାତ୍ ୩ରୁ ୪ ବର୍ଷ ଧରି ଏହି ପଦବୀରେ ରହିଛନ୍ତି ।

ନବୀନ ପଟ୍ଟନାୟକ ୨୦୦୦ ମସିହା, ମାର୍ଚ୍ଚ ୫ରେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିବାର ୫ ଦିନ ପରେ ଡ଼ିଜିପି ବନ ବିହାରୀ ପଣ୍ଡା ଚାକିରୀରୁ ଅବସର ଗ୍ରହଣ କରିଥିଲେ ।

ଶ୍ରୀ ପଣ୍ଡା ଅବସର ନେବାପରେ ତାଙ୍କ ସ୍ଥାନରେ ଅବସ୍ଥାପିତ ହୋଇଥିଲେ ଏସ୍ କେ ଚାଟାର୍ଜୀ, ସେ ୧୩ ମାସ ଲାଗି ଏହି ପଦରେ ରହିଥିଲେ । ସେ ୨୦୦୧ ଏପ୍ରିଲ ୩୦ ତାରିଖରେ ଚାକିରୀରୁ ଅବସର ଗ୍ରହଣ କରିବା ପରେ ଡ଼ିଜିପି ପଦବୀରେ ଦାୟିତ୍ୱ ଗ୍ରହଣ କରିଥିଲେ କେ ଡ଼ି ବାଜପେୟୀ । ସେ ମାତ୍ର ୪ ମାସ ଲାଗି ଅର୍ଥାତ ୨୦୦୧, ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଏହି ପଦବୀରେ ରହି ଦାୟିତ୍ୱ ତୁଲାଇଥିଲେ ।

ଏହାପରେ ଏନ ସି ପାଢୀ ପୋଲିସ ମହାନିର୍ଦ୍ଦେଶକ ପଦବୀରେ ଅବସ୍ଥାପିତ ହୋଇ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦୀର୍ଘ ୩ ବର୍ଷ ଲାଗି ତୁଲାଇଥିଲେ । ଶ୍ରୀ ପାଢୀ ୨୦୦୧, ଜୁଲାଇ ୩୧ରୁ ୨୦୦୪ ମସିହା ଜୁଲାଇ ୩୧ ଯାଏଁ ଏହି ପଦରେ ରହିଥିଲେ । ତାଙ୍କପରେ ଏହି ଡ଼ିଜିପି ପଦବୀରେ ବିପିନ ବିହାରୀ ମିଶ୍ର ୧୧ ମାସ ଲାଗି ଅବସ୍ଥାପିତ ହୋଇଥିଲେ । ଶ୍ରୀ ମିଶ୍ର ଜୁଲାଇ ୩୧, ୨୦୦୪ରୁ ୩୦ ଜୁନ ୨୦୦୫ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ ।

ତେବେ ପୋଲିସ ଡ଼ିଜିପି ପଦବୀରେ ଘନଘନ ବଦଳି ହେବାର ଆରମ୍ଭ ହୋଇଥିଲା ସୁଚିତ ଦାସଙ୍କ ଅମଳରେ । ସେ ଜୁନ ୩୦, ୨୦୦୫ରେ ଏହି ପଦବୀରେ ନିଯୁକ୍ତ ହେବାପରେ ଦୀର୍ଘ ୨ ବର୍ଷ ଲାଗି ଦାୟିତ୍ୱରେ ଥିଲେ । ତାଙ୍କୁ ଏହି ପଦବୀରୁ ହଟାଯାଇ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସସି)ର ଚେୟାରମ୍ୟାନ ପଦବୀରେ ଅବସ୍ଥାପିତ କରାଯାଇଥିଲା ।

ଶ୍ରୀ ଦାସଙ୍କ ପରେ ଏହି ପଦବୀ ଲାଗି ଅମରାନନ୍ଦ ପଟ୍ଟନାୟକଙ୍କୁ ନିଯୁକ୍ତି ମିଳିଲା । ସେ ମାତ୍ର ୧୨ ମାସ ଲାଗି ଏହି ପଦବୀରେ ରହିବାର ସୁଯୋଗ ପାଇଥିଲେ । ତାଙ୍କୁ ଅକ୍ଟୋବର ୩୧, ୨୦୦୭ ମସିହାରେ ରାତିଅଧରେ ହଟାଯାଇ ହୋମଗାର୍ଡ଼ ଡ଼ିଜି ଭାବେ ନିଯୁକ୍ତ କରାଗଲା ।

ଓଡ଼ିଶା ପୋଲିସ ଇତିହାସରେ ଏହା ପ୍ରଥମ ଥର ଲାଗି ଘଟିଥିଲା ଯେ, ରାତି ଅଧରେ ଏହି ପଦବୀ ଖାଲି ପଡ଼ିଥିଲା ଏବଂ ଶ୍ରୀ ପଟ୍ଟନାୟକଙ୍କ ପଦବୀରେ ଗୋପାଳ ଚନ୍ଦ ନନ୍ଦଙ୍କୁ ଏହି ପଦବୀର ଦାୟିତ୍ୱ ଭାର ପ୍ରଦାନ କରାଗଲା । ମାତ୍ର ଶ୍ରୀ ପଟ୍ଟନାୟକ ଛୁଟିରେ ରହିଥିଲେ । ପରେ ତାଙ୍କୁ ସ୍ୟାଟର ସଦସ୍ୟ ଭାବେ ନିଯୁକ୍ତି ମିଳିଥିଲା ।

ଶ୍ରୀ ନନ୍ଦ ନଭେମ୍ବର ୧, ୨୦୦୭ରେ ଏହି ପଦବୀରେ ନିଯୁକ୍ତ ହେଲେ । ସେ ୧୦ ମାସ ପର୍ଯ୍ୟନ୍ତ ଏହି ପଦରେ ରହିବା ପରେ ୨୦୦୮, ସେପ୍ଟେମ୍ବର ୩୦ ତାରିଖରେ ଚାକିରିରୁ ଅବସର ଗ୍ରହଣ କରିଥିଲେ ।

ମାତ୍ର ଶ୍ରୀ ନନ୍ଦଙ୍କ ପରେ ଅନ୍ୟ କୌଣସି ଡ଼ିଜିପି ଅବସର ପର୍ଯ୍ୟନ୍ତ ଏହି ପଦବୀରେ ରହିବାର ସୁଯୋଗ ପାଇନାହାନ୍ତି ।

ଓଡ଼ିଶା ଡ଼ିଜିପି ପଦରେ ମନମୋହନ ପ୍ରହରାଜ ୨୦୦୮, ସେପ୍ଟେମ୍ବର ୩୦ରୁ ଅବସ୍ଥାପିତ ହୋଇଥିଲେ । ତାଙ୍କୁ ଜୁଲାଇ ୪ ତାରିଖ ୨୦୧୨ ତାରିଖରେ ଏହି ପଦବୀରୁ ହଟାଯାଇ ତାଙ୍କର ଅବସର ପୂର୍ବରୁ ସ୍ୟାଟର ସଦସ୍ୟ ଭାବେ ଅବସ୍ଥାପିତ କରାଗଲା ।

ଶ୍ରୀ ପ୍ରହରାଜଙ୍କ ପରେ ପ୍ରକାଶ ମିଶ୍ର ୨୦୧୬, ନଭେମ୍ବର ୬ ତାରିଖରେ ଏହି ଡ଼ିଜିପି ପଦବୀରେ ନିଯୁକ୍ତ ହୋଇଥିଲେ । ତାଙ୍କୁ ମଧ୍ୟ ହଟାଯାଇ ଓଡ଼ିଶା ପୋଲିସ ହାଉସିଂ ଓ ୱେଲଫେୟାର କର୍ପୋରେସନ ର ଚେୟାନମ୍ୟାନ ଭାବେ ନିଯୁକ୍ତ କରାଗଲା । ମାତ୍ର କେନ୍ଦ୍ରୀୟ ଡ଼େପୁଟେସନରେ ଯାଇ ଅବସର ଗ୍ରହଣ କରିବା ପର୍ଯ୍ୟନ୍ତ ସିଆରପିଏଫ ଡ଼ିଜି ପଦବୀରେ ରହିଥିଲେ ।

ତାଙ୍କପରେ ରାଜ୍ୟ ସରକାର ସଞ୍ଜୀବ ମାରିକଙ୍କୁ ଏହି ପଦବୀରେ ନିଯୁକ୍ତ କରିଥିଲେ । ଶ୍ରୀ ମାରିକ ଜୁଲାଇ ୬ ତାରିଖ ୨୦୧୪ ରେ ଦାୟିତ୍ୱ ଗ୍ରହଣ କରିଥିଲେ ମାତ୍ର ୪୦ ଦିନ ପରେ ତାଙ୍କୁ ଏହି ପଦବୀରୁ ହଟାଯାଇଥିଲା । ତାଙ୍କୁ ନଭେମ୍ବର ୭, ୨୦୧୫ରେ ବାଧ୍ୟତାମୂଳକ ଛୁଟି ଦିଆଯାଇଥିଲା ।

କେବି ସିଂହଙ୍କ ପରେ ବିନୟ ବେହେରା ଏହି ପଦବୀରେ ନିଯୁକ୍ତ ହୋଇଥିଲେ । ସେ ନଭେମ୍ବର ୮ ୨୦୧୫ରେ ନିଯୁକ୍ତ ହୋଇଥିଲେ ଏବଂ ତାଙ୍କୁ ଏହି ପଦବୀରୁ ୨୦୧୭, ଅଗଷ୍ଟ ୩୦ ଦିନ ହଟାଇ ଦିଆଯାଇଥିଲା । ସେହିଦିନ ସେ ମାଓ ଦମନ ଅଭିଯାନ ଲାଗି ସମ୍ବଲପୁରରେ ଥିଲେ । ପରେ ତାଙ୍କୁ ଓଏସଆରଟିସିର ଚେୟାରମ୍ୟାନ ଭାବେ ନିଯୁକ୍ତି ଦିଆଯାଇଥିଲା । ସେ ୨୦୧୯, ମେ ୩୧ ତାରିଖ ଦିନ ଅବସର ଗ୍ରହଣ କରିଥିଲେ ।

ଡ଼ଃ ରାଜେନ୍ଦ୍ର ପ୍ରସାଦ ଶର୍ମା ୨୦୧୭, ଅଗଷ୍ଟ ୩୧ ତାରିଖରେ ପୋଲିସ ଡ଼ିଜି ପଦବୀରେ ନିଯୁକ୍ତ ହୋଇଥିଲେ । ସେ ତାଙ୍କର ଅବସର ଗ୍ରହଣ ପର୍ଯ୍ୟନ୍ତ ଏହି ପଦବୀରେ ରହିପାରିନଥିଲେ ଏବଂ ତାଙ୍କୁ ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା ।

ଏହାପରେ ଶ୍ରୀ ରାଜେନ୍ଦ୍ର କୁମାର ଶର୍ମାଙ୍କ ଠାରୁ ୨୦୧୯, ଅଗଷ୍ଟ ୮ ତାରିଖରେ ଇନଚାର୍ଜ ଡ଼ିଜିପି ଭାବେ ଦାୟିତ୍ୱ ଭାର ଗ୍ରହଣ କରିଥିଲେ ବିଜୟ କୁମାର ଶର୍ମା । ମାତ୍ର ୪ ମାସ ଲାଗି ଏହି ପଦବୀରେ ରହିଥିଲେ ବି କେ ଶର୍ମା । ତାଙ୍କୁ ରାଜ୍ୟ ଗୃହ ବିଭାଗର ଏକ ନିର୍ଦ୍ଦେଶାନାମା ଅନୁସାରେ ନଭେମ୍ବର ୧୩ ତାରିଖ ରାତିରେ ଏହି ପଦବୀରୁ ହଟାଇ ଦିଆଯାଇଥିଲା । ଏହି ଦିନ ତାଙ୍କୁ ଅଫିସର ଅନ ସ୍ପେଶାଲ୍ ଡ୍ୟୁଟି (ଓଏସଡ଼ି) ଗୃହ ବିଭାଗରେ ନିଯୁକ୍ତି ମିଳିଥିଲା ।

ନୂତନ ଡ଼ିଜିପି ଭାବେ ବରିଷ୍ଠ ଆଇପିଏସ ଅଧିକାରୀ ଅଭୟଙ୍କ ନାମ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଶ୍ରୀ ଅଭୟ ବର୍ତ୍ତମାନ ହାଇଦ୍ରାବାଦସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ନ୍ୟାସନାଲ୍ ପୋଲିସ ଏକାଡ଼େମୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି । ତେବେ କାରାଗାର ବିଭାଗ ଡ଼ିଜି ସତ୍ୟଜିତ ମହାନ୍ତିଙ୍କୁ ଇନଚାର୍ଜ ଡ଼ିଜିପି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଶ୍ରୀ ଅଭୟ ଡ଼ିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ଶ୍ରୀ ମହାନ୍ତି ଏହି ପଦବୀରେ ରହିବେ ।

Leave A Reply

Your email address will not be published.