Latest Odisha News

BREAKING NEWS

୪୦ ବର୍ଷ ହେଲା କେଶ କାଟି ନାହାନ୍ତି ବ୍ୟକ୍ତି, ଏବେ ଲୋକେ ଡ଼ାକୁଛନ୍ତି ଜଟିଆ ବାବା

ଭୋପାଳ : ଦୁନିଆରେ ଅନେକ ଲୋକଙ୍କ ଭିନ୍ନ ଭିନ୍ନ ରୁଚି ଥାଏ । କେହି କାର, ଘର କିଣିବାକୁ ଭଲ ପାଆନ୍ତି ତ ଆଉ କେହି ବିଦେଶ ଭ୍ରମଣ କରିବାକୁ ପସନ୍ଦ କରନ୍ତି । ସେମିତି କେହି କେହି ଖେଳିବାକୁ ଭଲ ପାଉଥିବା ବେଳେ ଆଉ କେହି ବିଭିନ୍ନ ପଶୁ ପାଳିବାରେ ରୁଚି ରଖନ୍ତିି । କିନ୍ତୁ, ଏପରି ଜଣେ ବ୍ୟକ୍ତି ଅଛନ୍ତି ନିଜର ସଉକ ପାଇଁ ୪୦ ବର୍ଷ ହେଲା କେଶ କାଟି ନାହାନ୍ତି । ଯାହା ଏବେ ତାଙ୍କ ଉଚ୍ଚତାଠାରୁ ଅଧିକ ହୋଇଗଲାଣି । ଏବେ ଲୋକେ ତାଙ୍କୁ ଜଟିଆ ବାବା ବୋଲି ଡ଼ାକୁଛନ୍ତି ।

ବିହାର ମୁଙ୍ଗର ଜିଲ୍ଲାର ଟାଙ୍ଗ୍ରା ଗାଁର ବାସିନ୍ଦା ସାକଲ ଦେବ ଟୁଡୁ । ସେ ବନବିଭାଗରେ କାମ କରୁଥିଲେ । ୬୩ ବର୍ଷିୟ ଟୁଡୁ ତାଙ୍କର ଲମ୍ବା କେଶ ପାଇଁ ଚର୍ଚ୍ଚାରେ ରହିଛନ୍ତି । ପିଲାଦିନରୁ ଟୁଡ଼ୁ କେଶ ରଖିବାକୁ ଭଲ ପାଉଥିଲେ । ସେଥିଲାଗି ସେ କେଶ କାଟିବାକୁ ପସନ୍ଦ କରୁ ନ ଥିଲେ । ଧୀରେ ଧୀରେ କେଶ କାଟିବା ସମ୍ପୂର୍ଣ୍ଣ ବନ୍ଦ କରିଦେଲେ । ଇତିମଧ୍ୟରେ ପ୍ରାୟ ୪୦ ବର୍ଷ ହୋଇଗଲାଣି ସେ କେଶ କାଟି ନାହାଁନ୍ତି କି ଧୋଇ ବି ନାହାଁନ୍ତି । ଏହି କେଶର ଲମ୍ବ ସାତ ଫୁଟରୁ ଅଧିକ ହେଲାଣି । ଏବେ କେଶର ଲମ୍ବ ଟୁଡୁଙ୍କ ଉଚ୍ଚତାଠାରୁ ଅଧିକ ହୋଇଗଲାଣି । ଯଦି ଟୁଡୁ ତାଙ୍କ କେଶକୁ ଖୋଲିଦିଅନ୍ତି, ସେ ଠିକ୍ ଭାବେ ଚାଲି ପାରନ୍ତି ନାହିଁ । ଏହି କାରଣରୁ ସେ ସବୁବେଳେ କେଶ ବାନ୍ଧି କରି ରଖିଥାନ୍ତି । ଏହି ଲମ୍ବା କେଶ ପାଇଁ ତାଙ୍କୁ ନିଜ ଗାଁ ଓ ଆଖପାଖର ଗାଁର ଲୋକେ ଜଟିଆ ବାବା ବୋଲି ଡ଼ାକନ୍ତି ।

ଟୁଡୁ କୁହନ୍ତି, ମୋତେ କେଶ ରଖିବାକୁ ଭଲ ଲାଗେ । ମୋ ମତରେ କେଶ ହେଉଛି ଭଗବାନଙ୍କ ଉପହାର । ତାକୁ କ’ଣ ପାଇଁ କାଟିବି ଭାବି ୪୦ ବର୍ଷ ହେଲାଣି କେଶ କାଟି ନାହିଁ କିମ୍ବା ଧୋଇ ନାହିଁ । ଏହି କାରଣରୁ ମୋ କେଶ ଜଟ ହୋଇଯାଇଛି । କିନ୍ତୁ ଏହି ଲମ୍ବା କେଶ ମୋତେ ଭିନ୍ନ ପରିଚୟ ଦେଇଛି । ମୁଁ କୌଣସି ମାନସିକ ରଖି କେଶ ଲମ୍ବାଇ ନ ଥିଲି ।

Comments are closed.