ଭୁବନେଶ୍ବର: ରାଜଧାନୀ ବିଚ୍ ରାସ୍ତାରେ ସହଦେବ ନାୟକଙ୍କୁ ହତ୍ୟା ଘଟଣା, ଆଉ ଜଣେ ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୋଲିସ୍ । ମୁଖ୍ୟ ଅଭିଯୁକ୍ତ ସୁଶେଇ ନାୟକ ଓରଫ ସୁଶାନ୍ତକୁ କଟକ କାନପୁରରୁ ଗିରଫ କରିଛି ମଞ୍ଚେଶ୍ବର ପୋଲିସ୍ । ପୂର୍ବରୁ ଏହି ମାମଲାରେ ପୋଲିସ୍ ୭ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ଆଉ ଏକ ଗିରଫ ପରେ ସଖ୍ୟା ୮କୁ ବୃଦ୍ଧି ହୋଇଛି ।
ତେବେ ଗତ ଜାନୁଆରୀ ୮ ତାରିଖରେ ଘଟିଥିବା ସହଦେବ ବିଭତ୍ସ ହତ୍ୟାକାଣ୍ଡ ବେଳେ ଚାରି ଜଣ ମୁଖ୍ୟ ଅଭିଯୁକ୍ତ ସାମିଲ ଥିବା ବେଳେ ସେଥିମଧ୍ୟରୁ ସୁଶାନ୍ତ ଫେରାର ଥିଲା । ସୁଶାନ୍ତ ହତ୍ୟାକାଣ୍ଡ ପରେ ନିଜ ବାଇକକୁ ଘଟଣାସ୍ଥଳରେ ଛାଡି ଫେରାର ହୋଇଯାଇଥିଲା । ଯାହାକୁ ପୋଲିସ୍ ଖୋଜିଥିବା ବେଳେ ଏବେ ସେ କଟକରୁ ଧରାପଡିଛି ।
ସୂଚନାଯୋଗ୍ୟ, ଜାନୁୟାରୀ ୮ ତାରିଖ ସକାଳ ସମୟରେ ରସୁଲଗଡ଼ କେଦାରପଲ୍ଲୀ ବସ୍ତିର ସହଦେବ ନାୟକ ଏକ ନାଲି ରଙ୍ଗର ଜୁପିଟର ସ୍କୁଟି ଯୋଗେ ଭିଏସ୍ଏସ୍ ନଗରରୁ ରସୁଲଗଡ଼ ପଟକୁ ଆସୁଥିବା ବେଳେ କିଛି ଯୁବକ ଦୁଇଟି ବାଇକ୍ରେ ଆସି ରସୁଲଗଡ-ବାଣୀବିହାର ଓଭରବ୍ରିଜ ଉପରେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଆଉ ଆକ୍ରମଣ ଏତେ ବିଭତ୍ସ ଥିଲା ଯେ, ତାଙ୍କ ଶରୀରରୁ ମୁଣ୍ଡ ଅଲଗା ହୋଇଯାଇଥିଲା । ଏହି ହତ୍ୟାକାଣ୍ଡ ଘଟାଇବା ପରେ ଦୁର୍ବୃତ୍ତମାନେ ବାଇକ୍ ଯୋଗେ ଘଟଣା ସ୍ଥଳରୁ ଫେରାର ହୋଇଥିଲେ । ହତ୍ୟାକାଣ୍ଡ ପରେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଛାନ୍ଭିନ୍ ଆରମ୍ଭ କରିଥିଲା । ଏହା ପରେ ସ୍ପେଶାଲ ସ୍କ୍ୱାର୍ଡ ଚଢାଉ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କୁ ପଚରାଉଚରା ପରେ ଘଟଣାରେ ସମ୍ପୃକ୍ତ ଆଉ ୨ ଜଣଙ୍କୁ ପୋଲିସ ଗିରଫ କରିଥିଲା। ସମସ୍ତ ଅଭିଯୁକ୍ତଙ୍କୁ ନେଇ ହତ୍ୟା ଘଟଣାର ପୋଲିସ ସିନ୍ ରିକ୍ରିଏସନ କରିଥିଲା । ଏହାର କିଛି ଦିନ ମଧ୍ୟରେ ଫେବୃୟାରୀ ୧୬ ତାରିଖରେ ଏହି ହତ୍ୟାକାଣ୍ଡ ପଛର ମୁଖ୍ୟ ମାଷ୍ଟରମାଇଣ୍ଡ କୁହାଯାଉଥିବା, ମହିଳା ଅଭିଯୁକ୍ତ ରମା ନାଏକ ମଞ୍ଚେଶ୍ୱରେ ଥାନାରେ ଆତ୍ମସମର୍ପଣ କରିଥିଲା । ସହଦେବ ନାୟକଙ୍କ ହତ୍ୟା ପଛରେ ରମା ନାୟକ ଷଡ଼ଯନ୍ତ୍ର ରଚିଥିଲା ବୋଲି ଅଭିଯୋଗ କରିଥିଲେ, ସହଦେବଙ୍କ ପତ୍ନୀ ।
Comments are closed.