ଝାରସୁଗୁଡା: ଆଜି ବିଜେପିର ବ୍ରଜରାଜନଗର ବିଧାୟକ ପ୍ରାର୍ଥୀ ଭାବେ ରାଧାରାଣୀ ପଣ୍ଡା ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ରହିଛି । ଏହି ସମୟରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଉପସ୍ଥିତ ରହିବେ ବୋଲି ସୂଚନା ରହିଛି । ହେଲେ ଏହା ପୂର୍ବରୁ ନିକଟରେ ଜିଲ୍ଲା ବିଜେପି ସଭାପତି ପଦରୁ ଇସ୍ତଫା ଦେଇଥିବା ମଙ୍ଗଳ ସାହୁଙ୍କୁ ମନେଇବାରେ ସଫଳ ହୋଇଛି।
ଏକ ପ୍ରେସମିଟ୍ କରି ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ କହିଛନ୍ତି, ଦଳରେ କାମ କରିବା ବେଳେ ଅସନ୍ତୋଷ ରହିବା ସ୍ୱାଭାବିକ । ଏବେ ମଙ୍ଗଳ ସାହୁଙ୍କ ସହ ଉପର ନେତୃତ୍ୱ କଥା ହୋଇଛନ୍ତି । ଏବେ ସବୁକିଛି ବୁଝା ସୁଝା ସରିଛି । ରାଜ୍ୟ ନେତୃତ୍ୱ ଇସ୍ତଫା ପତ୍ର ଖାରଜ କରିଥିଲେ। ଏବେ ମଙ୍ଗଳ ସାହୁ ମଧ୍ୟ ନିଜ ଇସ୍ତଫା ପତ୍ର ପ୍ରତ୍ୟାହାର କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଦୁଇ ଦିନ ତଳେ ବ୍ରଜରାଜନଗର ବିଧାୟକ ପ୍ରାର୍ଥୀ ଭାବେ ରାଧାରାଣୀ ପଣ୍ଡାଙ୍କ ନାମ କେନ୍ଦ୍ର ବିଜେପି ଘୋଷଣା କରିଥିଲା। ଏହି ଘୋଷଣାର 24 ଘଣ୍ଟା ମଧ୍ୟରେ ମଙ୍ଗଳ ସାହୁ ଇସ୍ତଫା ଦେଇଥିଲେ। ଦଳୀୟ କନ୍ଦଳ ଏବଂ ନେତୃତ୍ୱ ଉପରେ ଅସନ୍ତୋଷ ପ୍ରକାଶ କରି ସେ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିଲେ। ଏ ନେଇ ସେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ନିଜର ଇସ୍ତଫା ପତ୍ର ପଠାଇଥିଲେ।
ବ୍ରଜରାଜନଗର ଉପନିର୍ବାଚନରେ ଟିକେଟ ନମିଳିବାରୁ ଏଭଳି ପଦକ୍ଷେପ ନେଇଥିଲେ ବୋଲି ଜଣାପଡିଥିଲା। ତେବେ ଦଳର ବରିଷ୍ଠ ନେତା ତଥା କୁଚିଣ୍ଡା ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ରବି ନାଏକ ପ୍ରମୁଖ ମଙ୍ଗଳ ସାହୁଙ୍କୁ ବୁଝାସୁଝା କରିବା ପରେ ସେ ନିଜ ପଦ ବଜାୟି ରଖିବେ ବୋଲି କହିଛନ୍ତି ।
ମଙ୍ଗଳ ସାହୁ ଇସ୍ତଫା ଦେବା ପରେ ଝାରସୁଗୁଡା ବିଜେପିରେ କନ୍ଦଳ ଜଳ ଜଳ କରି ରହିଥିଲା ବୋଲି ଜଣାପଡିଥିଲା। ଏବେ କିନ୍ତୁ ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ଏପରି କନ୍ଦଳକୁ ଚାପିବାରେ ବିଜେପି ସକ୍ଷମ ହୋଇଛି ବୋଲି କୁହାଯାଉଛି।
Comments are closed.