ଭୁବନେଶ୍ୱର: କର୍ଣ୍ଣାଟକରେ ପ୍ରଚାର ସହ ଆରମ୍ଭ ହୋଇଛି ଇସ୍ତାହାର ଲଢେଇ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଦଳର ହେଭିୱେଟମାନେ ପ୍ରଚାର କରୁଥିବା ବେଳେ କଂଗ୍ରେସର ରାହୁଲ ଓ ପ୍ରିୟଙ୍କା ପ୍ରଚାର ମଙ୍ଗ ଧରିଛନ୍ତି। ଉଭୟ ଦଳର ନେତାମାନେ ପରସ୍ପର ବିରୋଧରେ ବର୍ଷୁଛନ୍ତି।
ଏଭଳି ସ୍ଥିତିରେ କଂଗ୍ରେସ ବିଭିନ୍ନ ପ୍ରକାର ବଡ଼ ପ୍ରତିଶ୍ରୁତି ଦେଇଛି। ସରକାରକୁ ଆସିଲେ ବିଭିନ୍ନ ବର୍ଗ ପାଇଁ ଦେଇଥିବା ପ୍ରତିଶ୍ରୁତି ତୁରନ୍ତ ପୁରଣ ହେବ ବୋଲି କହିଛି ଦଳ।
ସେପଟେ ବିଜେପି ତାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଦଳୀୟ ଇସ୍ତାହାର ଉନ୍ମୋଚନ କରିଛନ୍ତି। ଯେଉଁଥିରେ ଦଳ ବିପିଏଲ ପରିବାରକୁ ମାଗଣା ଗ୍ୟାସ ସିଲିଣ୍ଡର, ନଗର ନିଗମ ଗୁଡିକରେ ଅଟଳ ଆଧାର କେନ୍ଦ୍ର ଦ୍ୱାରା ଖାଦ୍ୟ, ବିପିଏଲ ପରିବାରକୁ ଦୈନିକ ଅଧ ଲିଟର ନନ୍ଦିନୀ କ୍ଷୀର ଓ ମାସିକ ରାସନ ସାମଗ୍ରୀ, ବେସାହାରା ଲୋକଙ୍କ ପାଇଁ ୧୦ ଲକ୍ଷ ଘର , ବରିଷ୍ଠ ନାଗରିକଙ୍କୁ ବାର୍ଷିକ ମୁକ୍ତ ସ୍ୱାସ୍ଥ୍ୟ ପରୀକ୍ଷା ଓ ସମାନ ନାଗରିକ ସଂହିତା ଆଦି ଲାଗୁ କରିବାକୁ କୁହାଯାଇଛି।
ସେପଟେ କଂଗ୍ରେସ ଖୁବ ଶୀଘ୍ର ଇସ୍ତାହାର ଘୋଷଣା କରିବାକୁ ଯୋଜନା କରୁଛି। କର୍ଣ୍ଣାଟକରେ କଂଗ୍ରେସ ଆଉ ଏକ ବଡ଼ କାର୍ଡ ଖେଳିବାକୁ ଯାଉଥିବା ସୂଚନା ମିଳିଛି। ଦଳ ପକ୍ଷରୁ ପ୍ରସ୍ତୁତ ହେଉଥିବା ଇସ୍ତାହାରରେ ପୁରୁଣା ପେନସନ ସ୍କିମ ପ୍ରସଙ୍ଗକୁ ଦଳ ସ୍ଥାନ ଦେବ ବୋଲି କୁହାଯାଇଛି।
ଯେଉଁ ପୁରୁଣା ପେନସନ ସ୍କିମ ଯୋଗୁ ହିମାଚଳ ପ୍ରଦେଶରେ ଦଳ ସରକାର ଗଢିବାକୁ ସମର୍ଥ ହୋଇଥିଲା ସେହି ସ୍କିମକୁ କର୍ଣ୍ଣାଟକ ନିର୍ବାଚନ ପାଇଁ ପ୍ରସ୍ତୁତ ଦଳୀୟ ଇସ୍ତାହାରରେ ସ୍ଥାନ ଦେବାକୁ ଦଳ ବଡ଼ ଯୋଜନା କରୁଥିବା କର୍ଣ୍ଣାଟକ ପିସିସି ସଭାପତି ଡି କେ ଶିବକୁମାର ସୂଚନା ଦେଇଛନ୍ତି । ଯାହାକୁ ନେଇ କର୍ଣ୍ଣାଟକ ରାଜନୀତି ଚଳଚଞ୍ଚଳ ହୋଇଉଠିଛି।
କଂଗ୍ରେସର ପୁରୁଣା ପେନସନ ସ୍କିମ ଲାଗୁ କରିବା ପ୍ରତିଶ୍ରୁତି ହିମାଚଳରେ ବିଜେପିକୁ ହରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା କୁହାଯାଏ। କର୍ଣ୍ଣାଟକରେ୭ ଲକ୍ଷ ୪୧ ହଜାର ସରକାରୀ କର୍ମଚାରୀଙ୍କ ମଧ୍ୟରୁ ୨ ଲକ୍ଷ ୯୭ ହଜାର ନ୍ୟାସନାଲ ପେନସନ ସିଷ୍ଟମ ବା ଏନପିଏସରେ ଅନ୍ତର୍ଭୁକ୍ତ।
କିନ୍ତୁ ଏହାକୁ ନେଇ କର୍ମଚାରୀମାନେ ଖୁସି ନ ଥିବା କୁହାଯାଉଛି।୨୦୦୬ ମସିହା ଏପ୍ରିଲ ଏକ ତାରିଖଠାରୁ ଚାକିରୀରେ ଯୋଗ ଦେଇଥିବା ସରକାରୀ କର୍ମଚାରୀମାନେ ଏହି ସ୍କିମ ଅଧୀନରେ ରହିଛନ୍ତି। କିନ୍ତୁ ଏନପିଏସକୁ ନେଇ ସରକାରୀ କର୍ମଚାରୀ ମାନେ ଖୁସି ନ ଥିବା ଜଣାପଡିଛି।
କର୍ଣ୍ଣାଟକରେ ଏନପିଏସକୁ ନେଇ କର୍ମଚାରୀଙ୍କ ଅସନ୍ତୋଷର ପ୍ରଭାବ ନିର୍ବାଚନ ଉପରେ ପଡ଼ିଲା ବୋଲି କୁହାଯାଏ। ଏହି ପ୍ରସଙ୍ଗକୁ ନେଇ ସରକାରୀ କର୍ମଚାରୀମାନେ ଗତ ଫେବୃୟାରୀରେ କାର୍ଯ୍ୟବନ୍ଦ ଡାକରା ଦେବା ପରେ ବସବରାଜ ବୋମାଇ ସରକାର ପୁରୁଣା ପେନସନ ସ୍କିମକୁ ପୁନଃ ଲାଗୁ ସମ୍ପର୍କିତ ସ୍ଥିତି ନିର୍ଦ୍ଧାରଣ ପାଇଁ ଏକ କମିଟି ତିଆରି କରିଛନ୍ତି। କିନ୍ତୁ ଏ ସମ୍ପର୍କରେ କିଛି ନିଷ୍କର୍ଷ ବାହାରିପାରି ନାହିଁ।
ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୫ ଟି ପ୍ରତିଶ୍ରୁତିକୁ ନେଇ ଦଳ କାମ କରୁଛି। ଦଳ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ସବୁକୁ ସରକାରକୁ ଆସିଲେ ପ୍ରଥମ କ୍ୟାବିନେଟରେ ଏହାକୁ ଲାଗୁ କରାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।
ସେପଟେ ପେନସନ ସ୍କିମର ନିର୍ବାଚନୀ ଗୁରୁତ୍ୱକୁ ଦେଖି ଜେଡିଏସ ମଧ୍ୟ ନିଜ ଇସ୍ତାହାରରେ ଏନପିଏସ କୁ ନେଇ ସମୀକ୍ଷା କରାଯିବା ସହ କର୍ମଚାରୀଙ୍କ ପାଇଁ ଏକ ଭଲ ଏବଂ ସ୍ୱତନ୍ତ୍ର ସ୍କିମ ଆଣିବାକୁ ପ୍ରତିଶ୍ରୁତି ଦିଆଯାଇଛି। ନିର୍ବାଚନରେ ସରକାରୀ କର୍ମଚାରୀଙ୍କ ଗୁରୁତ୍ୱ ବହୁ ଅଧିକ ରହେ। ତେଣୁ ଏଭଳି ସ୍ଥିତିରେ ଏନପିଏସ ପ୍ରସଙ୍ଗରେ ଅସନ୍ତୋଷକୁ ନେଇ କର୍ମଚାରୀଙ୍କୁ ଆକର୍ଷିତ କରିବା ଜେଡିଏସ ଓ କଂଗ୍ରେସ ଉଦ୍ୟମକୁ ଜୋରଦାର କରୁଛନ୍ତି।
ଅନ୍ୟପକ୍ଷରେ ବିଜେପି କଂଗ୍ରେସର ମାଗଣା ଦେବା ପ୍ରତିଶ୍ରୁତିକୁ କଡା ସମାଲୋଚନା କରୁଥିବା ବେଳେ ଏବେ ନିଜ ଇସ୍ତାହାରରେ ବହୁ କଥା ମାଗଣା ଦେବାକୁ ଘୋଷଣା କରିଛି। ଯାହାକୁ ନେଇ କର୍ଣ୍ଣାଟକ ରାଜନୀତି ତୀବ୍ର ହୋଇଛି।
Comments are closed.