Latest Odisha News

ମଣିପୁରରେ ପୁଣି ହିଂସା, ୪ ଜଣଙ୍କୁ ଗୁଳିକରି ହତ୍ୟା,ଲାଗୁ ହେଲା କର୍ଫ୍ୟୁ

ଇମ୍ଫାଲ: ମଣିପୁରରେ ହିଂସା ଥମିବାର ନାଁ ଧରୁନି । ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟର ଥୋବାଲ ଜିଲ୍ଲାରେ ୪ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ହିଂସାକାଣ୍ଡରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଏହାପରେ ଉପତ୍ୟକାର ଜିଲ୍ଲାଗୁଡ଼ିକରେ ପୁଣି କର୍ଫ୍ୟୁ ଲାଗୁ କରାଯାଇଛି । କେତେକ ଅଜଣା ଲୋକ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ଧରି ଟଙ୍କା ଆଦାୟ କରିବାକୁ ଆସିଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହ ଏକ ଭିଡିଓ ବାର୍ତ୍ତାରେ ହିଂସାକୁ ନିନ୍ଦା କରିବା ସହ ଶାନ୍ତି ବଜାୟ ରଖିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ।

ସେ କହିଛନ୍ତି ଯେ, ନିରୀହ ଲୋକଙ୍କ ହତ୍ୟା ଘଟଣାରେ ମୁଁ ଗଭୀର ଦୁଃଖ ପ୍ରକାଶ କରୁଛି । ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ସଜାଗ ଅଛନ୍ତି । ହାତ ଯୋଡି ଲିଲୋଙ୍ଗ ବାସିନ୍ଦାଙ୍କୁ ନିବେଦନ କରୁଛି ଯେ ଦୋଷୀମାନଙ୍କୁ ଧରିବାରେ ସରକାରଙ୍କୁ ସାହାଯ୍ୟ କରନ୍ତୁ । ମୁଁ ପ୍ରତିଶ୍ରୁତି ଦେଉଛି ଯେ ସରକାର ଆଇନ ଅନୁଯାୟୀ ନ୍ୟାୟ ଦେବା ପାଇଁ ଯଥାସମ୍ଭବ ଚେଷ୍ଟା କରିବେ । ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହ ସମସ୍ତ ମନ୍ତ୍ରୀ ଓ ଶାସକ ଦଳର ବିଧାୟକମାନଙ୍କୁ ନେଇ ଏକ ଜରୁରୀ ବୈଠକ ଡାକିଛନ୍ତି । ନୂଆ ହିଂସା କାଣ୍ଡ ପରେ ଥୋବାଲ, ଇମ୍ଫାଲ ପୂର୍ବ, ଇମ୍ଫାଲ ପଶ୍ଚିମ, କାକଚିଂ ଓ ବିଷ୍ଣୁପୁର ଜିଲ୍ଲାରେ ପୁଣି କର୍ଫ୍ୟୁ ଲାଗୁ କରାଯାଇଛି ।

Comments are closed.