Latest Odisha News

BREAKING NEWS

ମଣିପୁରରେ ଲଗାତାର ଗୁଳିବିନିମୟ: ୨ ମୃତ, ଉତ୍ତେଜିତ ଲୋକଙ୍କ ଉପରେ ପୋଲିସର ଲାଠିଚାର୍ଜ

ଇମ୍ଫାଲ: ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ ଦାବି ମଧ୍ୟରେ ମଣିପୁରରୁ ପୁଣି ଥରେ ହିଂସା ଖବର ସାମ୍ନାକୁ ଆସିଛି। ଲଗାତାର ଗୁଳି ବିନିମୟରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏହା ପରେ ରାଜ୍ୟର ଅବସ୍ଥା ଆହୁରି ବିଗିଡି ଯାଇଛି। ଲୋକେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିବା ବେଳେ ଉତ୍ତେଜିତ ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା ବାହିନୀକୁ କଠିନ ସଂଘର୍ଷ କରିବାକୁ ପଡିଛି। ଏଥିପାଇଁ ପୋଲିସ ୨୯ ଜୁନ୍ ଗୁରୁବାର ସନ୍ଧ୍ୟାରେ ଇମ୍ଫାଲରେ ଲୁହବୁହା ଗ୍ୟାସ ଛାଡିଥିଲା। ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମଣିପୁର ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି।

କାଙ୍ଗପୋକପି ଜିଲ୍ଲାର ଗୁଳି ବିନିମୟରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହକୁ ଇମ୍ଫାଲର ଏକ ଛକରେ ରଖାଯାଇ ବିକ୍ଷୋଭ କରାଯାଇଥିଲା। ଅଧିକାରୀ କହିଛନ୍ତି ଯେ ବିକ୍ଷୋଭକାରୀମାନେ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରିବାକୁ ଧମକ ଦେଇଥିଲେ। ଏହି ସମୟରେ ଭାରତୀୟ ଜନତା ପାର୍ଟିର ଏକ କାର୍ଯ୍ୟାଳୟ ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା। ମଣିପୁରର କାଙ୍ଗପୋକପି ଜିଲ୍ଲାର ହରାଓଠେଲ ଗ୍ରାମରେ ଗୁରୁବାର ସକାଳେ ସୁରକ୍ଷାକର୍ମୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ଦୁଇଜଣ ସନ୍ଦିଗ୍ଧ ଦଙ୍ଗାକାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ପାଞ୍ଚ ଜଣ ଆହତ ହୋଇଛନ୍ତି।

ଅଧିକାରୀ କହିଛନ୍ତି ଯେ ଯେଉଁ ଦୁଇ ଉଗ୍ରବାଦୀଙ୍କ ମୃତ୍ୟୁ ଘଟିଥିଲା ସେମାନଙ୍କ ସମ୍ପ୍ରଦାୟର ଲୋକେ ଉଭୟଙ୍କ ମୃତଦେହକୁ ନେଇ ଇମ୍ଫାଲରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯିବାକୁ ଚେଷ୍ଟା କରିଥିଲେ। ପୋଲିସ ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପହଞ୍ଚିବାରେ ଅଟକାଇବା ପରେ ଏହି ଶୋଭାଯାତ୍ରା ହିଂସାତ୍ମକ ରୂପ ନେଇଥିଲା। ଏହା ପରେ ପୋଲିସକୁ ଲାଟିଚାର୍ଜ ଏବଂ ଲୁହବୁହା ଗ୍ୟାସ୍ ବ୍ୟବହାର କରିବାକୁ ପଡିଲା। ଦୀର୍ଘ ସମୟ ସଂଘର୍ଷ ପରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ନିଆଗଲା।

ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଦୁଇ ଦିନିଆ ମଣିପୁର ଗସ୍ତରେ ଆସିଛନ୍ତି। ରାହୁଲ ଗାନ୍ଧୀ ହିଂସାକାଣ୍ଡ ଘଟାଇଥିବା ମଣିପୁରର ଚୁରାଚାନ୍ଦପୁରରେ ରିଲିଫ କ୍ୟାମ୍ପ ପରିଦର୍ଶନ କରି ଲୋକଙ୍କୁ ଭେଟିଥିଲେ। ଏହି ସମୟରେ ବିମାନ ବନ୍ଦର ନିକଟରେ ରାହୁଲ ଗାନ୍ଧୀଙ୍କୁ ଅଟକାଯାଇଥିଲା, ପରେ ତାଙ୍କୁ ହେଲିକପ୍ଟର ଯୋଗେ ରିଲିଫ କ୍ୟାମ୍ପରେ ପହଞ୍ଚିବାକୁ ପଡିଥିଲା। ରାହୁଲ ଗାନ୍ଧୀ କହିଛନ୍ତି, ମଣିପୁରରେ ଶାନ୍ତିର ପରିବେଶ ଆମର ଏକମାତ୍ର ପ୍ରାଥମିକତା ହେବା ଉଚିତ୍।

ସୂଚନାଥାଉକି ମେ ମାସ ଆରମ୍ଭରେ ମଣିପୁରର ମୈତଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଆରମ୍ଭ ହୋଇଥିବା ଜାତିଗତ ହିଂସାରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ମଣିପୁରରେ ଅନୁସୂଚିତ ଜନଜାତି (ଏସଟି) ମାନ୍ୟତା ପାଇବାକୁ ମୈତଇ ସମ୍ପ୍ରଦାୟର ଦାବିକୁ ବିରୋଧ କରି ମେ ୨୩ ରେ ପାହାଡ ଜିଲ୍ଲାରେ ଏକ ‘ଆଦିବାସୀ ଏକତା ପଦଯାତ୍ରା’ ଆୟୋଜନ ହେବା ପରେ ଏହି ସଂଘର୍ଷ ଆରମ୍ଭ ହୋଇଥିଲା।

Comments are closed.