ଭୁବନେଶ୍ଵର: ପୁଣିଥରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଓଡିଆ ପୁଅ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ନିୟୋଜିତ ହୋଇଛନ୍ତି ଓଡିଆ ପୁଅ ମନୋରଞ୍ଜନ ମିଶ୍ର । ଗତ ୩ ଦଶନ୍ଧିରୁ ରିଜର୍ଭ ବ୍ୟାଙ୍କରେ ବିଭିନ୍ନ ଗୁରୁ ଦାୟିତ୍ୱ ତୁଲାଇବା ପରେ ଏହି ପଦବୀରେ ନିଯୁକ୍ତି ପାଇଛନ୍ତି ମନୋରଞ୍ଜନ ।
ଗତ ନଭେମ୍ବର ୧ରୁ ଏହି ଗୁରୁ ଦାୟିତ୍ୱ ନେଇଛନ୍ତି ମନୋରଞ୍ଜନ । ସେ ଆରବିଆଇ ବ୍ୟାଙ୍କର ପ୍ରବର୍ତ୍ତନ, ରିକ୍ସମନିଟରିଂ, ବାହ୍ୟ ନିବେଶ ଓ ପରିଚାଳନା ଦାୟିତ୍ବରେ ରହିବେ । ଆଗରୁ ସେ ରିଜର୍ଭ ବ୍ୟାଙ୍କର ରେଗୁଲେସନ ବିଭାଗରେ ଚିଫ୍ ଜେନେରାଲ ମ୍ୟାନେଜର ଥିଲେ । ସେ ଅର୍ଥନୀତିରେ ସ୍ନାତକୋତ୍ତର କରିବା ସହ ଏମବିଏ ମଧ୍ୟ କରିଛନ୍ତି । ମନୋରଞ୍ଜନ ମିଶ୍ର ବ୍ରିଟେନର ଅଷ୍ଟନ ବିଜନେସ୍ ସ୍କୁଲ୍ରୁ ଫାଇନାନ୍ସ ଏବଂ ଫାଇନାନ୍ସ ରେଗୁଲେସନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଆରବିଆଇ ଗଭର୍ଣ୍ଣର ରହିଛନ୍ତି ଓଡିଆ ପୁଅ ଶକ୍ତିକାନ୍ତ ଦାସ । ୨୦୧୮ରେ ସେ ଏହି ପଦବୀରେ ନିଯୁକ୍ତ ହୋଇଥିଲେ । ଶକ୍ତିକାନ୍ତ ଦାସଙ୍କୁ ‘ଗଭର୍ଣ୍ଣର ଅଫ୍ ଦି ଇୟର ୨୦୨୩’ ସମ୍ମାନରେ ସମ୍ମାନିତ କରାଯାଇଛି ଓ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର୍ କାର୍ଡ ୨୦୨୩ ରେ ‘A +’ ମାନ୍ୟତା ମଧ୍ୟ ମିଳିଛି ।
Comments are closed.