Latest Odisha News

BREAKING NEWS

ରାୟଗଡାରେ ସକ୍ରିୟ ହେଉଛନ୍ତି ମାଓବାଦୀ; ପୁଣି ବ୍ୟାନର ଓ ପୋଷ୍ଟର ଲଗାଇ ଦେଲେ ଚେତାବନୀ

ରାୟଗଡା: ରାୟଗଡ଼ା ଜିଲ୍ଲାରେ ସକ୍ରିୟ ହେଉଛନ୍ତି ମାଓବାଦୀ । ପୋଲିସକୁ ଦେଉଛନ୍ତି ଖୋଲା ଚାଲେଞ୍ଜ  । ରାୟଗଡାର ଏକ କ୍ରସରରେ ପଶି ୯ଟି  ମେସିନ ଜାଳି ଦେଇଥିବାବେଳେ ଏବେ ଜିଲ୍ଲାରେ ମାରିଛନ୍ତି ଧମକପୂର୍ଣ୍ଣ ପୋଷ୍ଟର ।  ରାୟଗଡା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଭୁରୁଷିଖମାର ଛକରେ ପୁଣି ଦେଖିବାକୁ ମିଳିଛି ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟର । ନାଲି ଓ କଳା କାଳିରେ ଲେଖା ଥିବା ଏହି ପୋଷ୍ଟର CPI ମାଓବାଦୀ ବଶଧରା ଘୁମୁସର ନାଗାବଳୀ ଡିଭିଜିନାଲ କମିଟି ତରଫରୁ ଲଗାଯାଇଥିବା ଜଣାଯାଇଛି । ସହରର ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ସକାଳୁ ସକାଳୁ ମାଓ ପୋଷ୍ଟର ଦେଖି ଲୋକେ ଆତଙ୍କିତ ହୋଇପଡିଛନ୍ତି ।

ଏହି ପୋଷ୍ଟରରେ ମାଓବାଦୀମାନେ ଚେତାବନୀ ଦେଇଛନ୍ତି ।  ଶେରକାପାଡିରୁ ନିୟମଗିରୀକୁ ଯାଉଥିବା ରାସ୍ତା କାମ ବନ୍ଦ କରିବାକୁ ଏଥିରେ ଚେତାବନୀ ଦିଆଯାଇଛି । ସେହିପରି ସରକାର ଆଦିବାସୀଙ୍କ ଠାରୁ ସବୁ ଜଙ୍ଗଲ ଜମି ପୁଞ୍ଜିପତି ହାତକୁ ଟେକି ଦେଉଛନ୍ତି  । ତେଣୁ ସରକାର ଏଥିରୁ ନିବୃତ୍ତ ରୁହନ୍ତୁ ।  ନିୟମଗିରି ଓ ଶାଶୁବହୁମାଳୀ ପର୍ବତରେ ଯେଉ ଦଲାଲ ମାନେ ବୁଲୁଛନ୍ତି ସେମାନେ  ସାବଧାନ ରୁହନ୍ତୁ ବୋଲି ମଧ୍ୟ ଏଥିରେ ଉଲ୍ଲେଖ ରହିଛି ।

ଏହା ବ୍ୟତୀତ ଗତ ମେ’ ୧୫ ତାରିଖରେ ମାଓବାଦୀ ବନ୍ଦକୁ ଯେଉଁମାନେ ବିରୋଧ କରିଥିଲେ ଏବଂ  ପୋଷ୍ଟରକୁ ଯେଉଁମାନେ ଲୁଚାଇ ଦେଇଥିଲେ ସେମାନଙ୍କୁ ପ୍ରଜା କୋର୍ଟ ରେ ଦଣ୍ଡ ଦିଆଯିବ ବୋଲି ମାଓବାଦୀମାନେ ଧମକ ଦେଇଥିଲେ ।  କିଛି ସାମ୍ବାଦିକ ପୋଲିସ ଓ ପ୍ରଶାସନର ସପକ୍ଷରେ ରାଜ ଚଲାଇ ଗରିବ ଲୋକର ସମସ୍ୟା ସମାଧାନ ଦିଗରେ ସହଯୋଗ କରୁନାହାନ୍ତି  ।  ସେମାନଙ୍କୁ ମଧ୍ୟ ଏଥିରେ ଚେତାବନୀ ଦିଆଯାଇଛି  ।

ସୂଚନାଥାଉ କି, ଜୁନ ୧ ତାରିଖରେ  ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଦେଓକୁପୁଲି ଛକ ନିକଟରେ ଥିବା କ୍ରସରରେ ମାଓବାଦୀମାନେ ପଶି  ମୋଟ ୯ଟି ମେସିନ ଜାଳି ଦେଇଥିଲେ ।  ୧୦ରୁ ଅଧିକ ମାଓବାଦୀ ପଶି  କ୍ରସର କର୍ମଚାରୀଙ୍କ ଠାରୁ ମୋବାଇଲ ଛଡ଼ାଇ ନବା ସହ କ୍ରସରରେ ଥିବା ଦୁଇଟି ପ୍ରୋକଲିନ, ୫ଟି ହାଇୱା ଓ ୨ଟି ଲୋଡର ସମେତ ମୋଟ ୯ଟି ମେସିନରେ ନିଆଁ ଲଗାଇ ପୋଡ଼ି ଦେଇଥିଲେ । ପୋଡାଜଳା କରିବା ପରେ ମାଓବାଦୀମାନେ ପୋଷ୍ଟର ବି ଲଗାଇଥିଲେ । ଏଥିରେ ମଧ୍ୟ  ବାଂଶଧାରା ଘୁମୁସୁର ନାଗାବଳୀ ଡ଼ିଭିଜନ ବୋଲି ଉଲ୍ଲେଖ ଥିଲ । ସେହିଦିନ ନୂଆପଡା ଜିଲ୍ଲା ସିନାପାଲି ଥାନା ଝୋଲାପଡା ଗାଁ ନିକଟ ଜଙ୍ଗଲ ରୁ ମାଓ କ୍ୟାମ୍ପ ଠାବ ବିପୁଳ ପରିମାଣ ର ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ଦେଲେ ନୂଆପଡା SP ରାଘେବେନ୍ଦ୍ର ଗୁଣ୍ଡାଲା ରେଡ୍ଡୀ ।

Leave A Reply

Your email address will not be published.