Latest Odisha News

ଛତିଶଗଡ଼ ମାଓବାଦୀଙ୍କ ବିସ୍ଫୋରଣ ଘଟଣା: ସିଆର୍‌ପିଏଫ୍‌ ଡିଜି, ଏନ୍‌ଆଇଏର ଚାଲିଛି ତଦନ୍ତ

ବିଜାପୁର: ଛତିଶଗଡ଼ ବିଜାପୁର ଓ ଦାନ୍ତେୱାଡ଼ା ଜିଲ୍ଲା ମଧ୍ୟରେ ଗତକାଲି ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ସହିଦ ୮ ଯବାନ ଓ ମୃତ ଚାଳକଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତେବେ ସିଆର୍‌ପିଏଫ୍‌ ଡିଜି ଭିନିଲ କୁମାରଙ୍କ ସମେତ ଏନ୍‌ଆଇଏର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। କିପରି ବିସ୍ଫୋରଣ ହେଲା ତାହାକୁ ନେଇ ସମୀକ୍ଷା କରାଯାଇଛି। ବର୍ତ୍ତମାନ ଏନ୍‌ଆଇଏ ଦଳର ଜୋରଦାର ତଦନ୍ତ ଚାଲିଛି।

ସେହିପରି ଏହି ଘଟଣାରେ କେଉଁ ବିସ୍ଫୋରକ ବ୍ୟବହାର ହୋଇଥିଲା, କେବେ ଆଇଇଡି ଖଞ୍ଜା ଯାଇଥିଲା, ସେସବୁ ଦିଗରେ ସମୀକ୍ଷା କରି ଅଞ୍ଚଳରେ ତଲାସି ଅଭିଯାନକୁ ବଢ଼ାଇବାକୁ ଅଧିକାରୀମାନେ ନିର୍ଦେଶ ଦେଇଛନ୍ତି। ଉକ୍ତ ଘଟଣାରେ ବସ୍ତର ମାଓ ଡିଭିଜନ ସାମିଲ ଥିବା ନେଇ ସୂଚନା ମିଳିଛି। ମାଷ୍ଟର ମାଇଣ୍ଡ ହିଡ୍‌ମାଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି। ଏଡିଜିପି ବିବାକେନନ୍ଦ ଶର୍ମା, ସିଆର୍‌ପିଏଫ୍‌ ଆଇଜି ରାକେଶ ଅଗ୍ରୱାଲ, ଆଇଜି ସୁନ୍ଦରରାଜ ପି ପ୍ରମୁଖ ତଦନ୍ତ କରିଛନ୍ତି।

ଅନ୍ୟପଟେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବି ଶର୍ମା, ମନ୍ତ୍ରୀ କେଦାର କାଶ୍ୟପ, ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସହିଦଙ୍କ ପରିବାରକୁ ଭେଟି ସମବେଦନା ଜଣାଯାଇଛି। ଯବାନମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ସାୟ ପ୍ରକାଶ କରିଛନ୍ତି। ବର୍ତ୍ତମାନ ମାଓବାଦୀମାନେ ଭୟଭୀତ ରହିଛନ୍ତି, ସେମାନଙ୍କ ସ୍ଥିତିକୁ ମୂଳପୋଛ ଓ ଲୋକଙ୍କ ସୁରକ୍ଷା ଆମର ପ୍ରାଥମିକତା ବୋଲି ସାୟ ପ୍ରକାଶ କରିଛନ୍ତି। ବସ୍ତର ଅଞ୍ଚଳର ବିକାଶକୁ ମଧ୍ୟ ସେ ଗୁରୁତ୍ବ ଦେଇଛନ୍ତି।

ସୂଚନାଥାଉକି, ଗତ ଶନିବାରଠାରୁ ଅବୁଝମାଡ଼ ଜଙ୍ଗଲରେ ସିଆର୍‌ପିଏଫ୍‌ଙ୍କଠାରୁ ବିଏସ୍‌ଏଫ୍‌, ଡିଆରଜିଙ୍କ ୫ଶହରୁ ଊର୍ଦ୍ଧ୍ବ ଯବାନ ବସ୍‌ ଓ ଯୁଦ୍ଧ ବିମାନରେ ମିଳିତ ଭାବେ ମାଓ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ। ସେହିସମୟରେ ୫ ମାଓବାଦୀଙ୍କୁ ଯବାନମାନେ ନିହତ କରିବା ପରେ ଯବାନମାନେ ଫେରିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ଅଭିଯାନ ସାରି ଯବାନମାନେ ଏକ ଘରୋଇ ଗାଡିରେ ଫେରୁଥିବା ବେଳେ ଏସଓପି ପାଳନ କରାଯାଇ ନଥିଲା। ପୂର୍ବରୁ ଖଞ୍ଜା ଯାଇଥିବା ୭୦ କିଲୋ ଓଜନର ଆଇଇଡିକୁ ମାଓବାଦୀ ବିସ୍ଫୋରଣ କରିଥିଲେ। କୁଟୁର ଥାନା ଅଞ୍ଚଳ ତଥା ବିଜାପୁରଠାରୁ ୮୦ କିମି ଦୂର କୋଷା ଓ ବେଡ଼ରା ରାସ୍ତାରେ ଏହି ବିସ୍ଫୋରଣ ଘଟିଥିଲା।

Leave A Reply

Your email address will not be published.