Latest Odisha News

BREAKING NEWS

ମାଲକାନଗିରିରେ ମାଓବାଦୀ ଜାଳିଦେଲେ ଘରୋଇ ବସ୍

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ମୁଣ୍ଡାଗୁଡ଼ା ଗ୍ରାମରେ ସଶସ୍ତ୍ର ମାଓବାଦୀମାନେ ଏକ ଘରୋଇ ବସକୁ ସୋମବାର ଦିନ ଜାଳି ଦେଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ଏକ ଘରୋଇ ବସ୍ ମୋଟୁରୁ ମହୁପଦର ଯାଉଥିବା ବେଳେ ସୋମବାର ରାତିରେ ପ୍ରାୟ ୨୦ରୁ ୨୫ଜଣ ସଶସ୍ତ୍ର ମାଓବାଦୀ ସଂଘବଦ୍ଧ ହୋଇ ବସଟିକୁ ରାସ୍ତାରେ ଅଟକାଇଥିଲେ । ଯାତ୍ରୀମାନଙ୍କୁ ଗାଡ଼ିରୁ ଓହ୍ଲାଇଦେବା ପରେ ମାଲକାନଗିରିରେ ବନ୍ଦ ପାଳନ ବେଳେ ଏହି ବସଟି ଯାତାୟାତ କରୁଥିବା କାରଣରୁ ଡ୍ରାଇଭର, ହେଲପରଙ୍କ ସମେତ ବସର କଣ୍ଡକ୍ଟରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ମାଓବାଦୀମାନେ । ଏହାପରେ ବସଟିରୁ ଯାତ୍ରୀମାନଙ୍କୁ ଓହ୍ଲାଇଦେଇ ନିଆଁ ଲଗାଇଦେଇଥିଲେ ।

ବସଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିବା ବେଳେ ବସର ଡ୍ରାଇଭର, ହେଲପର ଓ କଣ୍ଡକ୍ଟରଙ୍କଠାରୁ ସମସ୍ତ ପଇସା ଛଡ଼ାଇ ନେଇଯାଇଥିବାର ଅଭିଯୋଗ ହୋଇଛି ।

ସେମାନେ ସେହି ସ୍ଥାନ ପରିତ୍ୟାଗ କରିବା ପୂର୍ବରୁ କିଛି ମାଓବାଦୀ ପୋଷ୍ଟର ଏବଂ ବ୍ୟାନର ମହୁପଦର ଅଞ୍ଚଳରେ ଛାଡ଼ି ଯାଇଥିବାର ସୂଚନା ହସ୍ତଗତ ହୋଇଛି । ମାଓବାଦୀମାନେ ଯାତ୍ରୀମାନଙ୍କୁ ଅବଶ୍ୟ ଛାଡ଼ିଦେଇଛନ୍ତି ।

ଏହି ପୋଷ୍ଟରରେ ମାଓବାଦୀମାନେ ଉଲ୍ଲେଖ କରି କହିଛନ୍ତି, ମାଓବାଦୀ ସପ୍ତାହ ପାଳନ ସମୟରେ ଏହାକୁ ସ୍ଥାନୀୟ ଜନସାଧାରଣ ସମର୍ଥନ କରିବାକୁ ଏବଂ ମାଲକାନଗିରି ଉପଦ୍ରୁତ ଅଞ୍ଚଳରୁ ବିଏସଫ ଯବାନଙ୍କ ଅପସାରଣ ଦାବି କରିଛନ୍ତି ।

ଏହି ସମସ୍ତ ହିଂସାକାଣ୍ଡ ପଡ଼ୋଶୀ ଛତିଶଗଡ଼ର ବସ୍ତର ଡ଼ିଭିଜନର ମାଓବାଦୀମାନେ କରିଥିବାର ମାଲକାନଗିରି ଏସପି ଜଗମୋହନ ମୀନା ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି । ସେ ଏନେଇ ଆହୁରି ମଧ୍ୟ କହିଛନ୍ତି, ଜିଲ୍ଲା ସ୍ୱେଚ୍ଛାକୃତ ଫୋର୍ସ (ଡ଼ିଭିଏଫ) ଏବଂ ବିଏସଏଫ ଯବାନଙ୍କ ମିଳିତ ଉଦ୍ୟମରେ ଏହି ମାଓବାଦୀମାନଙ୍କୁ ଧରିବାକୁ ଅପରେସନ ଜାରି ରହିଛି ।

Leave A Reply

Your email address will not be published.