ବେଜିଂ: ଚୀନରେ ହ୍ରାସ ପାଉଥିବା ଜନ୍ମହାର ଏବଂ ହ୍ରାସ ପାଉଥିବା ଜନସଂଖ୍ୟା ମଧ୍ୟରେ ବିବାହକୁ ନେଇ ଏକ ଚକିତ କରିବା ଭଳି ରିପୋର୍ଟ ସାମ୍ନାକୁ ଆସିଛି। ଦଶନ୍ଧି ଦଶନ୍ଧି ଧରି ଗୋଟିଏ ସନ୍ତାନ ନୀତି ଲାଗୁ କରିଥିବା ଚୀନର ଲୋକେ ଏବେ ବିବାହ କରିବାକୁ ଆଗ୍ରହ ଦେଖାଉ ନାହାନ୍ତି।
୨୦୨୧ରେ ଚୀନରେ ୩୬ ବର୍ଷ ମଧ୍ୟରେ ସବୁଠାରୁ କମ୍ ବିବାହ ହୋଇଥିବା ରେକର୍ଡ କରାଯାଇଛି। ଚୀନରେ ୨୦୨୧ରେ ୮୦ ଲକ୍ଷରୁ କମ୍ ଦମ୍ପତି ବିବାହ ପାଇଁ ପଞ୍ଜୀକରଣ କରିଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ବିଶ୍ୱର ସବୁଠାରୁ ଅଧିକ ଜନବହୁଳ ଦେଶ ଚୀନରେ ଗତବର୍ଷ ମାତ୍ର ୭୦. ୬୪ ଲକ୍ଷ ଦମ୍ପତି ପଞ୍ଜିକରଣ କରିଛନ୍ତି।
୧୯୮୬ ମସିହା ପରେ ଏହା ସର୍ବନିମ୍ନ ବିବାହ ପଞ୍ଜିକରଣ ସଂଖ୍ୟା। ରିପୋର୍ଟରେ କୁହାଯାଇଛି ଯେ ୨୦୨୦ ତୁଳନାରେ ୨୦୨୧ରେ ବିବାହିତ ଦମ୍ପତିଙ୍କ ସଂଖ୍ୟା ୬.୧% ହ୍ରାସ ପାଇଛି। ପରିସଂଖ୍ୟାନ କହୁଛି ଲଗାତାର ଅଷ୍ଟମ ବର୍ଷ ପାଇଁ ବିବାହ ସଂଖ୍ୟା ହ୍ରାସ ପାଇଛି।
ଗତବର୍ଷ ଚୀନରେ ୨୫ରୁ ୨୯ ବର୍ଷ ବୟସର ଲୋକଙ୍କ ସଂଖ୍ୟା ୩୫.୩ ପ୍ରତିଶତ ଥିଲା । ଯାହାକି ୨୦୨୦ ତୁଳନାରେ ୦.୪ ପ୍ରତିଶତ ଅଧିକ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହା ସହିତ ଲଗାତର ନବମ ବର୍ଷ ପାଇଁ ବିବାହ କରିଥିବା ସମସ୍ତ ବୟସ ବର୍ଗର ଲୋକଙ୍କ ମଧ୍ୟରେ ଏହା ସର୍ବାଧିକ ଅନୁପାତ ଥିଲା।
ଚୀନର ସରକାରୀ ଗଣମାଧ୍ୟମ ଗ୍ଲୋବାଲ୍ ଟାଇମ୍ସ୍ ଚୀନ୍ ବିଶେଷଜ୍ଞମାନଙ୍କ ବୟାନକୁ ଉଦ୍ଧୃତ କରି କହିଛି ଯେ ବିଳମ୍ବରେ ବିବାହ କରିବାର ଧାରା ଯୋଗୁଁ ତିନୋଟି ସନ୍ତାନଙ୍କୁ ଅନୁମତି ଦେବା ଚୀନର ନୀତିକୁ ପ୍ରଭାବିତ କରିବ। ଯାହା ଜନସଂଖ୍ୟା ସମସ୍ୟାର ସମାଧାନ ପାଇଁ ଆହ୍ୱାନକୁ ଆହୁରି ବଢ଼ାଇବ।
ଚୀନ ୨୦୧୬ରେ ଦଶନ୍ଧି ପୁରୁଣା ଏକ ସନ୍ତାନ ନୀତିକୁ ଉଚ୍ଛେଦ କରି ସମସ୍ତ ଦମ୍ପତିଙ୍କୁ ଦୁଇଟି ସନ୍ତାନ ଜନ୍ମ ଦେବାର ଅନୁମତି ଦେଇଥିଲା।
ସୂଚନାଯୋଗ୍ୟ, ଗତବର୍ଷ ଚୀନ ନିଜର ଆଇନରେ ପରିବର୍ତ୍ତନ କରି ଚୀନ ଦମ୍ପତିଙ୍କୁ ତିନିଟି ସନ୍ତାନ ଜନ୍ମ ଦେବାର ଅନୁମତି ଦେଇଥିଲା। ଚୀନର ୨୦୨୦ ଜନଗଣନାରୁ ଜଣାପଡ଼ିଥିଲା ଯେ ଦେଶର ଜନସଂକ୍ୟା ଏଯାବତ୍ ସବୁଠାରୁ କମ୍ ଗତିରେ ବଢ଼ିଛି।
Comments are closed.