Latest Odisha News

BREAKING NEWS

କାଳିଆ ଯୋଜନାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କାଳିଆ ସହାୟତା ଅର୍ଥ ବଣ୍ଟନ  ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀମାନଙ୍କୁ ନୂଆଖାଇ ବାର୍ତ୍ତା ପଠାଇଛନ୍ତି । ନୂଆଖାଇ ମାଟି ମା’ର ପର୍ବ। ଆମର ଚାଷୀ ଭାଇମାନଙ୍କ ପରିଶ୍ରମ ଯୋଗୁ ଆମେ ସମସ୍ତେ ମାଟି ମା’ର ଆଶୀର୍ବାଦ ପାଉ। ତେଣୁ ଚାଷୀ ଆମର ଗର୍ବ ଓ ଗୌରବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ନୁଆ ଖାଇ ଅବସରରେ ୪୧ ଲକ୍ଷ କ୍ଷୁଦ୍ର ଚାଷୀ ଓ ୮୫ ହଜାର ଭୂମିହୀନ ଚାଷୀଙ୍କୁ ୮୬୯ କୋଟି ଟଙ୍କାର କାଳିଆ ସହାୟତା ରାଜ୍ୟ ସରକାର ପ୍ରଦାନ କରାଯାଇଛି । ପ୍ରତି  ଚାଷୀମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ପଠାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କ ପରିବାର ଉପକୃତ ହେବେ ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଏହି ପବିତ୍ର ଦିନରେ ମୋର ଚାଷୀ ଭାଇ ଓ ଭଉଣୀ ମାନଙ୍କୁ  କାଳିଆ ସହାୟତା ପ୍ରଦାନ କରି ମୁଁ ବହୁତ ଖୁସି। ଆଜି ରାଜ୍ୟର ୪୧ ଲକ୍ଷ ଛୋଟ ଚାଷୀ ଓ ୮୫ ହଜାର ଭୂମିହୀନ ଚାଷୀଙ୍କୁ 869 କୋଟି ଟଙ୍କାର ସହାୟତା ଦିଆଗଲା । ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧା ୨୦୦୦ ଟଙ୍କା ଗଲା ।

କାଳିଆ ଯୋଜନା ଦେଶର ସବୁଠାରୁ ଭଲ ଯୋଜନା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।   ଛୋଟ ଚାଷୀ ମାନଙ୍କ ପାଇଁ ଏହା ଆଶା ଓ ଭରସା ସୃଷ୍ଟି କରିପାରିଛି ।  ଭୂମିହୀନ ଚାଷୀ ମାନଙ୍କ ଜୀବିକାର ସୁରକ୍ଷା ପାଇଁ ମଧ୍ୟ ଏହା ବହୁତ ସାହାଯ୍ୟ କରୁଛି । ଗତ ମେ ମାସରେ ଅକ୍ଷୟ ତୃତୀୟା ଅବସରରେ ମଧ୍ୟ ଆମ ଚାଷୀ ଭାଇ ମାନଙ୍କୁ ୮୦୦ କୋଟି ଟଙ୍କାରୁ ଅଧିକ ସହାୟତା ଦିଆଯାଇଥିଲା  । ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ  ମୁଁ ଆଶା କରୁଛି, ଏହି ସହାୟତା ଆପଣଙ୍କ ଚାଷ କାମକୁ ଆଗେଇ ନେବାରେ ବହୁତ ସାହାଯ୍ୟ କରିବ।

ପୁଣି ମୁଖ୍ୟମନ୍ତ୍ରୀ କହିଛନ୍ତି ଚଳିତ ବନ୍ୟା ଯୋଗୁ ଆପଣମାନେ ସମସ୍ତେ ଚିନ୍ତାରେ ଅଛନ୍ତି।  ମୁଁ କହିବାକୁ ଚାହେଁ, ମୁଁ ସବୁ ସମୟରେ ଆପଣମାନଙ୍କ ସାଥିରେ ଅଛି। ଶୀଘ୍ର କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ମୁଁ ନିର୍ଦ୍ଦେଶ ଦେଇଛି । ଆପଣମାନଙ୍କୁ ଖୁବ ଶୀଘ୍ର ଫସଲ କ୍ଷତି ପାଇଁ ସହାୟତା ଯୋଗାଇ ଦିଆଯିବ।

ଓଡିଶାର ଗୌରବକୁ ଆମର ଚାଷୀଭାଇ ମାନେ ଉଜ୍ଜଳ କରିଛନ୍ତି। ଖାଦ୍ୟ ସୁରକ୍ଷାରେ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି। ତେଣୁ ରାଜ୍ୟର ସବୁ ଲୋକ ଚାଷୀଭାଇଙ୍କ ନିକଟରେ ଋଣୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.