Latest Odisha News

BREAKING NEWS

ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କନଷ୍ଟେବଳଙ୍କ ମାଆଙ୍କୁ ପାକିସ୍ତାନ ପଠାଯାଇ ନାହିଁ; ବାରାମୁଳା ପୋଲିସଙ୍କ ସ୍ପଷ୍ଟୀକରଣ

ଶ୍ରୀନଗର: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ,ପାକିସ୍ତାନୀମାନଙ୍କର ଭିସା ବାତିଲ କରିଛନ୍ତି ଭାରତ ସରକାର । ପାକିସ୍ତାନ ନାଗରିକଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ସମୟରେ ସୋସିଆଲମିଡିଆରେ ଏକ ଖବର ସାମ୍ନାକୁ ଆସିଥିଲା ଯେ, ଶୌର୍ଯ୍ୟ ଚକ୍ରରେ ସମ୍ମାନିତ ଶହୀଦ କନଷ୍ଟେବଳ ମୁଦାସିରଙ୍କ ମାଆ ଶମିମା ଅଖତର ଯିଏ କି ପାକିସ୍ତାନ ନାଗରିକ ଅଟନ୍ତି, ତାଙ୍କୁ ମଧ୍ୟ ପାକିସ୍ତାନ ପଠେଇ ଦିଆଯାଇଛି । କିନ୍ତୁ ଏହି ଖବର ମିଛ ବୋଲି ବାରାମୁଳା ପୋଲିସ ସ୍ପଷ୍ଟୀକରଣ ଦେଇଛି । ଶୌର୍ଯ୍ୟ ଚକ୍ରରେ ସମ୍ମାନିତ ମୁଦାସିରଙ୍କ ମାଆ ପାକିସ୍ତାନକୁ ନିର୍ବାସିତ ହେଉଥିବା ପାକିସ୍ତାନୀ ନାଗରିକଙ୍କ ମଧ୍ୟରେ ନଥିବା ଏଥିରେ କୁହାଯାଇଛି । ଖବରକୁ ମିଛ ଓ ବିଭ୍ରାନ୍ତିକର କହିଛି ପୋଲିସ ।

ସୂଚନାଥାଉକି, ଜମ୍ମୁ-କାଶ୍ମୀର ପ୍ରଶାସନ ବି ପାକିସ୍ତାନୀ ନାଗରିକଙ୍କ ତାଲିକା ପ୍ରସ୍ତୁତ କରିଛି । ଜମ୍ମୁ କାଶ୍ମୀରରେ ରହୁଥିବା ୫୯ ପାକିସ୍ତାନୀଙ୍କୁ ଦେଶରୁ ବାହାର କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ପାକିସ୍ତାନୀ ନାଗରିକଙ୍କ ତାଲିକାରେ ଥିବା ଶହୀଦ କନଷ୍ଟେବଳ ମୁଦାସିରଙ୍କ ମାଆଙ୍କୁ ଭାରତରେ ରହିବାକୁ ସରକାର ଅନୁମତି ଦେଇଛନ୍ତି । ଶହୀଦ କନଷ୍ଟେବଳଙ୍କ ମାଆଙ୍କ ନାମ ଶମିମା ଅଖତାର। ୨୦୨୨ ମସିହାରେ, ଆତଙ୍କବାଦୀଙ୍କ ସହ ଲଢ଼ିବା ସମୟରେ ମୁଦାସିର ଶେଖ ଶହୀଦ ହୋଇଥିଲେ ।

ଶହୀଦ ମୁଦାସିରଙ୍କ ଦାଦା ମହମ୍ମଦ ୟୁନୁସ୍ କହିଛନ୍ତି ଯ, ଶହୀଦ ମୁଦାସିରଙ୍କ ମାଆ ଘରକୁ ଫେରି ଆସିଛନ୍ତି ଏବଂ ତାଙ୍କୁ ପାକିସ୍ତାନକୁ ପଠାଯାଇ ନାହିଁ। ଏହି ଅବସରରେ, ୟୁନୁସ ଭାରତ ସରକାରଙ୍କ ପ୍ରତି କୃତଜ୍ଞତା ମଧ୍ୟ ଜ୍ଞାପନ କରିଥିଲେ।

ପୂର୍ବରୁ ୟୁନୁସ କହିଥିଲେ ଯେ, ଶମିମା ପିଓକେ (ପାକିସ୍ତାନ ଅଧିକୃତ କାଶ୍ମୀର)ର ବାସିନ୍ଦା ଏବଂ ପିଓକେ ଭାରତର ଏକ ଅଂଶ, ତେଣୁ ତାଙ୍କୁ ଦେଶାନ୍ତର କରାଯିବା ଉଚିତ ନୁହେଁ। କେବଳ ପାକିସ୍ତାନୀମାନଙ୍କୁ ଦେଶାନ୍ତର କରାଯିବା ଉଚିତ।

ୟୁନୁସ କହିଛନ୍ତି ଯେ, କନଷ୍ଟେବଳ ମୁଦାସିର ଶହୀଦ ହେବା ପରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ଏଲଜି ପରିବାରକୁ ଭେଟିଥିଲେ। ସେ କହିଛନ୍ତି, ମୋ ଭାଉଜ କୋଡିଏ ବର୍ଷ ବୟସରେ ଭାରତ ଆସିଥିଲେ ଏବଂ ଗତ ୪୫ ବର୍ଷ ଧରି ଭାରତରେ ରହୁଛନ୍ତି। ଏଥି ସହ, ସେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହଙ୍କୁ ଶମିମାଙ୍କୁ ଭାରତରେ ରହିବାକୁ ଅନୁମତି ଦେବାକୁ ମଧ୍ୟ ନିବେଦନ କରିଥିଲେ।

ସୂଚନାଥାଉକି, ୧୯୯୦ ମସିହାରେ ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦ ବ୍ୟାପିବା ପୂର୍ବରୁ, ଶମିମା ମହମ୍ମଦ ମକସୁଦଙ୍କୁ ବିବାହ କରିଥିଲେ । ଯିଏ ବର୍ତ୍ତମାନ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ।  ବାରାମୂଳାର ମୁଖ୍ୟ ସହରର ଛକ ମଧ୍ୟ ତାଙ୍କର ପୁଅ ଶହୀଦ ମୁଦାସିରଙ୍କ ନାମରେ ନାମିତ ହୋଇଛି। ଏହାକୁ ଶହୀଦ ମୁଦାସିର ଚୌକରେ ନାମିତ କରାଯାଇଛି ।

ଅମରନାଥ ଯାତ୍ରାକୁ ଟାର୍ଗେଟ କରି ଏକ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ପଣ୍ଡ କରିବାରେ ତାଙ୍କର ଭୂମିକା ରହିଥିଲା । ଆତଙ୍କବାଦୀଙ୍କ ବିରୋଧରେ ଏନକାଉଣ୍ଟର ବେଳେ ଆତଙ୍କୀଙ୍କ ଗୁଳରେ ମୁଦାସିର ଶହୀଦ ହୋଇଥିଲେ । ୨୦୨୨ ମସିହାରେ ମରଣୋତ୍ତର ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯାଇଥିଲା ।  ୨୦୨୩ରେ ଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ମୁଦାସିରଙ୍କ ମାଆା ଶମିମା ପୁରସ୍କାର ଗ୍ରହଣ କରିଥିଲେ ।

Comments are closed.