ଭୁବନେଶ୍ୱର: ଶେଷରେ ନରମିଲେ ସରକାର । ଶିକ୍ଷକଙ୍କ ଜିଦ ଆଗରେ ମୁଣ୍ଡ ନୁଆଁଇଲେ । ସବୁ ଦାବି ଶୁଣିବାକୁ ରାଜି ହେଲେ । ଦାବିପୂରଣ ଜିଦରେ ଅଟଳ ପ୍ରାଥମିକ ଶିକ୍ଷକ ସଂଘ ୨୬ ତାରିଖ ବିଧାନସଭା ସମ୍ମୁଖରେ ମହା ସମାବେଶ କରିବାକୁ ଚେତାବନୀ ଦେଇଥିଲେ । ହେଲେ ତା ପୂର୍ବରୁ ଶିକ୍ଷକଙ୍କ ସବୁ ଦାବି ଶୁଣିବେ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ।
ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ବିଭିନ୍ନ ଶିକ୍ଷକ ସଂଘର ବିଭିନ୍ନ ଦାବି ରହିଛି । ଆମେ ସବୁ ଶୁଣିବୁ । ଅର୍ଥ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ସ୍ତରୀୟ କମିଟି ସେମାନଙ୍କ ସହ ଆଲୋଚନା କରାଯାଇଛି। ତେଣୁ ଶିକ୍ଷକମାନେ ଆଉ ଆନ୍ଦୋଳନକୁ ନ ଯିବା ପାଇଁ ଅନୁରୋଧ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
୨୬ ତାରିଖ ହେବାକୁ ଥିବା ମହା ସମାବେଶରୁ ଓହରି ଯିବା ପାଇଁ ଅନୁରୋଧ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି । ମନ୍ତ୍ରୀ କହିଛନ୍ତି, ‘ ଦୟାକରି ମୋ ସହ ଆଲୋଚନା କରନ୍ତୁ । ମୁଁ ସେମାନଙ୍କ ସମସ୍ୟା ଶୁଣିବି । ସେମାନଙ୍କ ଦାୟିତ୍ୱ ରହିଛି । ସ୍କୁଲ ଫେରି ଯାଆନ୍ତୁ’ ବୋଲି କହିଛନ୍ତି ମନ୍ତ୍ରୀ ।
ସୂଚନାଥାଉ କି, ତିନି ଦଫା ଦାବି ନେଇ ଓଡ଼ିଶା ପ୍ରାଥମିକ ଶିକ୍ଷକମାନେ ବୁଧବାର ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଘୋଷଣା କରିଛନ୍ତି । ସେପ୍ଟେମ୍ବର ୨୬ ତାରିଖରେ ବିଧାନସଭା ସମ୍ମୁଖରେ ଏକ ଲକ୍ଷରୁ ଅଧିକ ଶିକ୍ଷକ ମହାସମାବେଶ କରିବେ ବୋଲି ଚେତାବନୀ ଦେଇଛନ୍ତି ।
‘ନଅଟି ସଂଘ ଏକାଠି ଅଛନ୍ତି । ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମର କାର୍ଯ୍ୟବନ୍ଦ ଆନ୍ଦୋଳନ ମଧ୍ୟ ଜାରି ରହିବ। ସେପ୍ଟେମ୍ବର ୨୬ରେ ଭୁବନେଶ୍ୱରରେ ମହାସମାବେଶ କରିବୁ। ଦାବି ପୂରଣ ନହେବା ଯାଏଁ ଆମର ଆନ୍ଦୋଳନ ଜାରି ରହିବ’ ବୋଲି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହରାଣା କହିଛନ୍ତି।
ତେବେ ମନ୍ତ୍ରୀଙ୍କ ଅନୁରୋଧ ପରେ ଶିକ୍ଷକ ସଂଘ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।
Comments are closed.