ରାଉରକେଲା: ଅପରାଧ ଏବଂ ବେଆଇନ କାର୍ଯ୍ୟକଳାପ ବିରୋଧରେ ଚାଲିଥିବା ଓଡ଼ିଶା ପୋଲିସର ନିରନ୍ତର ଅଭିଯାନକୁ ଆଉ ଏକ ଉଲ୍ଲେଖନୀୟ ସଫଳତା ମିଳିଛି । ରାଉରକେଲା ପୋଲିସ ସେକ୍ଟର-୧୫ ଥାନା ଅନ୍ତର୍ଗତ ଓଡ଼ିଶା-ଝାଡଖଣ୍ଡ ସୀମାଞ୍ଚଳରେ ଥିବା ଲୁଆକେରା ଗ୍ରାମରେ ଚଢ଼ାଉ କରି ଏକ ଆନ୍ତଃରାଜ୍ୟ ଜୁଆ ଗ୍ୟାଙ୍ଗକୁ ଠାବ କରିଛି । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।
ଗିରଫ ଅଭିଯୁକ୍ତ ମାନେ ହେଲେ ବହାନ କଂସାରୀ (୪୮) ଏବଂ ଦିଲୀପ କଂସାରୀ (୫୯) । ଉଭୟ ଅଭିଯୁକ୍ତ ରାଉରକେଲା ସେକ୍ଟର-୧୫ ଥାନା ଅନ୍ତର୍ଗତ ଲୁଆକେରା ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି । ଏହା ସହ ସେମାନଙ୍କ ନିକଟରୁ ୨୮ ଲକ୍ଷ ୩୯ ହଜାର ୪୦୦ ନଗଦ ଟଙ୍କା, ୪୦୫ ଗ୍ରାମ ସୁନା ଅଳଙ୍କାର, ୬୦୦ ଗ୍ରାମ ରୂପା ଅଳଙ୍କାର, ୩ଟି ଚାରିଚକିଆ ଯାନ, ୪ଟି ମୋଟରସାଇକେଲ ସମେତ ମୋବାଇଲ ଫୋନ, ପାଲି, କ୍ୟାସ୍ କାଉଣ୍ଟିଂ ମେସିନ ପୋଲିସ ଜବତ କରିଛି ।
ସୂଚନାଯୋଗ୍ୟ ଯେ, ରାଉରକେଲା ସେକ୍ଟର-୧୫ ଥାନା ଅନ୍ତର୍ଗତ ଲୁଆକେରା ଗ୍ରାମରେ ନିୟମିତ ଜୁଆ ଖେଳ ହେଉଥିବା ସମ୍ପର୍କରେ ସୂଚନା ପାଇ ପୋଲିସ ଚଢଉ କରିଥିଲା । ଏହି ଅଭିଯାନରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ନେତୃତ୍ୱରେ ବ୍ୟାପକ ପୋଲିସ ନିୟୋଜିତ କରାଯାଇଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଜୁଆ ସମ୍ବନ୍ଧୀୟ ମାମଲା ରହିଛି । ବଣ୍ଡାମୁଣ୍ଡା ଥାନା ଏବଂ ବିସ୍ରା ଥାନାରେ ସେମାନଙ୍କ ସମ୍ପୃକ୍ତି ରହିଥିବା ତଦନ୍ତରୁ ଜଣା ପଡିଛି ।
ଏହି ଆନ୍ତଃରାଜ୍ୟ ଜୁଆ ଗ୍ୟାଙ୍ଗ ସହ ଜଡ଼ିତ ଅନ୍ୟ କାହାର ଭୂମିକା ଏବଂ ସମ୍ପୃକ୍ତି ରହିଛି କି ନାହିଁ ସମ୍ପର୍କରେ ତଦନ୍ତ ଚାଲିଛି । ପୋଲିସ ପକ୍ଷରୁ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
Comments are closed.