Latest Odisha News

BREAKING NEWS

Elephant death: ଜଙ୍ଗଲରୁ ମିଳିଲା ହାତୀ ଛୁଆ କଙ୍କାଳ;ମୃତ୍ୟୁର କାରଣ ଅସ୍ପଷ୍ଟ

ଗଞ୍ଜାମ:ଜଙ୍ଗଲ ଭିତରୁ ସୋମବାର ଏକ ହାତୀ ଛୁଆର କଙ୍କାଳ ବନ ବିଭାଗ ଉଦ୍ଧାର କରିଛି । ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳର ଗାୟଗଣ୍ଡା ନିକଟସ୍ଥ ପାଇଛାଲିଆ ଜଙ୍ଗଲ ଭିତରୁ ହାତୀ ଛୁଆର କଙ୍କାଳ ମିଳିଛି । ତେବେ କେଉଁ କାରଣରୁ  ହାତୀର ମୃତ୍ୟୁ ହୋଇଛି ସଠିକ ଭାବେ ଜଣାପଡ଼ିନାହିଁ। ପ୍ରାୟ ୨ମାସ ପୂର୍ବେ ହାତୀଟିର ମୃତ୍ୟ ହୋଇଥିବା ବନ ବିଭାଗର ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି।

ସୂଚନାଥାଉକି,ରବିବାର ଜଙ୍ଗଲ ନିକଟସ୍ଥ ଏକ ଗ୍ରାମର ଜଣେ ଛେଳିଚରାଳୀ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ସେଠାରେ ଏକ ହାତୀର କଙ୍କାଳ ପଡ଼ିଥିବା ଦେଖି ଗ୍ରାମର ଅନ୍ୟମାନଙ୍କୁ ସୂଚିତ କରିଥିଲେ। ଏହାପରେ ବନ ବିଭାଗ ଅଧିକାରୀଙ୍କୁ ଏ ସଂର୍ପକରେ ଜଣାଇଥିଲେ । ସୋମବାର ବନ ବିଭାଗ ଅଧିକାରୀ ଏବଂ ଡାକ୍ତର ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆବଶ୍ୟକ ପରୀକ୍ଷା ପରେ କଙ୍କାଳକୁ ପୋତିଦିଆଯାଇଛି।

ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି ସୂଚନା ଦେଇଛନ୍ତି ଯେ,ଉକ୍ତ ହାତୀର ଅବଶିଷ୍ଟାଂଶ ତଥା ଚମଡ଼ା ଓ ହାଡର ନମୁନା ସଂଗ୍ରହ କରାଯାଇ ପରବର୍ତ୍ତୀ ପରୀକ୍ଷା ନିମନ୍ତେ ପଠାଯାଇଛି ।

ଉକ୍ତ ହାତୀର ମାଂସକୁ କଲରାପତରିଆ ବାଘ ଓ ଜଙ୍ଗଲୀ ହିଂସ୍ର ଜନ୍ତୁ ଖାଇଥିବା ପାରିପାର୍ଶ୍ବିକ ପରିସ୍ଥିତିରୁ ଜଣାପଡୁଥିବା ଡିଏଫ୍‌ଓ ହିମାଂଶୁ ସୂଚନା ଦେଇଛନ୍ତି।

ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ପ୍ରାଣୀ ବିଶେଷଜ୍ଞମାନେ ହାତୀର କଙ୍କାଳ ଓ କିଛି ଚମଡ଼ାକୁ ଯାଞ୍ଚ କରିଥିଲେ। ମୃତ ହାତୀ ଛୁଆଟି ମାଈ ହାତୀ ହୋଇଥିବା ଆଶଙ୍କା କରାଯାଉଛି।

ସୂଚନାଥାଉକି, ଏହି ରେଞ୍ଜର ଗାୟଗଣ୍ଡା ନିକଟରେ ଗତ ମାସ ୯ ତାରିଖରେ ଗୋଟିଏ ୧୧ ବର୍ଷର ଅଣ୍ଡିରା ହାତୀ ଅସୁସ୍ଥତା ଯୋଗୁଁ ମୃତ୍ୟୁ ଘଟିଥିଲା। ପୂର୍ବରୁ ଆଉ ଉକ୍ତ ହାତୀ ଛୁଆ ପାଇଛାଲିଆ ଜଙ୍ଗଲରେ ମୃତ୍ୟୁ ଘଟିଥିଲା। ଆଉ ଏକ ଦନ୍ତା ହାତୀ ଗାୟଗଣ୍ଡା କଦଳୀଗଡ ନିକଟ ଭୋଗରା ଜଙ୍ଗଲରେ ଗତ ମାର୍ଚ୍ଚ ମାସ ୧୦ ତାରିଖରେ ମୃତ୍ୟୁ ଘଟିଥିଲା। ହାତୀଙ୍କ ଏଭଳି ମୃତ୍ୟୁ ସେମାନଙ୍କ ସୁରକ୍ଷା ପ୍ରତି ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।

Leave A Reply

Your email address will not be published.