Latest Odisha News

BREAKING NEWS

ନୂଆ ସକାଳର କଥା ନେଇ ଆସିଛି ଓଡ଼ିଆ ଫିଲ୍ମ ‘ମାଟିମୁହଁ’

ଭୁବନେଶ୍ୱର: ଦଶନ୍ଧି ଦଶନ୍ଧି ଧରି ଓଡ଼ିଶାରେ ଚାଲିଛି ‘ଚାଲୁ ସିନେମା’ର ଯୁଗ । ପୁଣି ଏସବୁ ସିନେମା ମୌଳିକ ବି ନୁହେଁ, କାହାର ନ କାହାର ନକଲ। ଫଳରେ ଓଡ଼ିଆ ସିନେମା ହରେଇ ଚାଲିଛି ତାର ପୂର୍ବ ଗୌରବ । ଅନ୍ୟପଟେ ଓଡିଆ ଫିଚର ଫିଲ୍ମକୁ ବର୍ଷବର୍ଷ ଧରି ମିଳୁନାହିଁ କୌଣସି ଜାତୀୟ ପୁରସ୍କାର । ମରିମରି ଆସୁଛି କଳାତ୍ମକ ବା ବାସ୍ତବବାଦୀ ସିନେମାର ଧାରା । ଏପରି ଏକ ଘଡ଼ିସନ୍ଧି ସମୟରେ ଆଶ୍ୱାସନା ପାଲଟିଛି ନୂଆ ପିଢ଼ିର କିଛି ନିର୍ମାତା-ନିର୍ଦ୍ଦେଶକଙ୍କ ଓଡ଼ିଆ ସର୍ଟଫିଲ୍ମ; ଯାହା କମ ଖର୍ଚ୍ଚରେ ପ୍ରସ୍ତୁତ ହେଉଛି ଓ ୟୁଟ୍ୟୁବରେ ରିଲିଜ ହୋଇ ସମଗ୍ର ବିଶ୍ୱରେ ପ୍ରସାରିତ ହୋଇପାରୁଛି ! ଏହି କ୍ରମରେ ପବିତ୍ର ଗଣେଶ ଚତୁର୍ଥୀ ଓ ନୂଆଖାଇ ଅବସରରେ ମୁକ୍ତିଲାଭ କରିଛି ଅର୍ଜୁନ ସାମନ୍ତରାୟଙ୍କ ନିର୍ଦ୍ଦେଶିତ କଳାତ୍ମକ ସିନେମା ‘ମାଟିମୁହଁ‘ ।


ମାଟିମୁହଁ ଏକ ପ୍ରତୀକାତ୍ମକ ଛବି, ଯାହା ସ୍ୱପ୍ନ, ସ୍ୱପ୍ନଭଙ୍ଗ ଓ ବିଶ୍ୱାସର ପାହାଚ ଦେଇ ଜୀବନଯାତ୍ରାର କଥା କହେ । ମାଟିମୁହଁର ନାୟକ ଜଣେ ସାଧାରଣ ମଣିଷ, ଯିଏ ରାସ୍ତାର ଭିଡ଼ ଭିତରେ ଖୁବ ସହଜରେ ଲୁଚିଯାଇପାରେ; ଯିଏ ଜୀବନର ପ୍ରତିଟି ମୁହୂର୍ତ୍ତକୁ ଉତ୍ସବ ଭଳି ପାଳନ କରେ ଓ ସୁଖଦୁଃଖର ରେଶମ ସୂତାରେ ସବୁଦିନ ସ୍ୱପ୍ନର ବସା ବୁଣେ । ସମୟର ଅଙ୍କାବଙ୍କା ରାସ୍ତାରେ ଚାଲୁଚାଲୁ ନାୟକ ଭୋଗେ ଯନ୍ତ୍ରଣା, ଭୟ, ପ୍ରେମ ଓ ଘୃଣା, ବିଶ୍ୱାସ ଓ ବିଶ୍ୱାସହୀନତା, ବ୍ୟକ୍ତିଗତ ଓ ସାମାଜିକ ଅସହାୟତା; ସେ ପୁଣି ଦେଖେ ଜୀବନ ଓ ମୃତ୍ୟୁର ପୁନଃପୌନିକତାକୁ । ଆଶାର ସାମାନ୍ୟତମ ଆଭାସରେ ସେ ଭୁଲିଯାଏ ଗତକାଲିର ସବୁ କଷ୍ଟ ଓ ଖୁବ ସହଜରେ ନୂଆ ସକାଳଟିଏ ଗଢେ । ମାଟିମୁହଁ ସେଇ ନୂଆ ସକାଳର କଥା କହେ । ଆଜିର ସବୁ କଷ୍ଟ, ସବୁ ଯନ୍ତ୍ରଣା, ସବୁ ସ୍ୱପ୍ନଭଙ୍ଗ ସତ୍ତ୍ୱେ ଜୀବନରେ ପୂର୍ଣ୍ଣଚ୍ଛେଦ ପଡେନି । କାଲିଟିଏ ବାରମ୍ବାର ଆସେ । ସମୟ ଗଡିଯାଏ ଆଗକୁ ଆଗକୁ। କିଛି ବି ଅଟକିଯାଏନି କୋଉଠି, କାହା ପାଇଁ । ବରଂ ନିଖୁଣ ଅଭିନେତାଟିଏ ଭଳି, ଗୋଟିଏ ମାଟିମୁହଁ ଓହ୍ଲେଇଦେଇ ନୂଆ ମାଟିମୁହଁଟିଏ ପିନ୍ଧିନିଏ ସମୟ !

ଏଭଳି ଏକ ବାସ୍ତବବାଦୀ ବିଷୟକୁ ନେଇ କାବ୍ୟିକ ଶୈଳୀରେ ପ୍ରସ୍ତୁତ ହୋଇଛି ‘ମାଟିମୁହଁ‘, ଯାହାର କାହାଣୀ ଓ ପଟ୍ଟକଥା ଲେଖିବା ସହ ପ୍ରଯୋଜନା କରିଛନ୍ତି ଯୁବ କବି ସୂର୍ଯ୍ୟସ୍ନାତ ତ୍ରିପାଠୀ । ଅର୍ଜୁନ ସାମନ୍ତରାୟ ଛବିଟିର ନିର୍ଦ୍ଦେଶନା ଦେବା ସହ ଚିତ୍ରୋତ୍ତଳନ ଓ ସମ୍ପାଦନା ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । ସଂଗୀତ ଦେଇଛନ୍ତି ସତ୍ୟଦୀପ ଦାସ । ବିଭିନ୍ନ ଭୂମିକାରେ ପରଦାରେ ଦିଶିଛନ୍ତି ଦୀପାନ୍ଵିତ ଦାଶମହାପାତ୍ର, ସାଗର ଷଡ଼ଙ୍ଗୀ, ପ୍ରଣବ ପ୍ରସନ୍ନ ରଥ, ପ୍ରଜ୍ଞା ପରିମିତା ପ୍ରଧାନ, ରିଙ୍କୁ ପ୍ରଧାନ, ସୋନାଲି ସେନାପତି, ଆକାଶ ରଞ୍ଜନ, ଆଶିଷ ଷଡ଼ଙ୍ଗୀ, ନିଶିକାନ୍ତ ନାୟକ ଏବଂ ନଚିକେତା ସ୍ୱାଇଁ ।

ମାଟିମୁହଁ‘ ଫେରନ୍ତା ଢେଉ ହୋଇ ଅପସୃୟମାଣ କଳାତ୍ମକ ଓଡ଼ିଆ ସିନେମାକୁ ପୁନର୍ସ୍ଥାପିତ କରିବ ବୋଲି ଆଶା କରିବାରେ କିଛି ଅସୁବିଧା ନାହିଁ !

Leave A Reply

Your email address will not be published.