Latest Odisha News

BREAKING NEWS

ବଡ଼ ଆଖଡ଼ା ମଠ ଉଚ୍ଛେଦ ହେବ କି ନାହିଁ; ତିନି ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ, କହିଲେ ପୁରୀ ଜିଲ୍ଲାପାଳ

ପୁରୀ: ମଠର ମହନ୍ତ ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକର ଅନେକ ନାଗା ସାଧୁଙ୍କ ପ୍ରବଳ ବିରୋଧ ଯୋଗୁଁ ପୁରୀ ବଡ଼ ଆଖଡ଼ା ମଠ ଉଚ୍ଛେଦ ପ୍ରକ୍ରିୟାକୁ ମଙ୍ଗଳବାର ଦିନ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଛନ୍ତି ଜିଲ୍ଲା ପ୍ରଶାସନ । ମଠର ଉଚ୍ଛେଦ କାର୍ଯ୍ୟ ହେବ କି ନାହିଁ ତାହା ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ନିଷ୍ପତ୍ତି ଗ୍ରହଣ କରାଯିବା ନେଇ ପୁରୀ ଜିଲ୍ଲାପାଳ କହିଛନ୍ତି ।

“ଏହି ମଠର ଉଚ୍ଛେଦ ସମ୍ପର୍କରେ ମହନ୍ତ ତଥା ସାଧୁମାନଙ୍କ ସହିତ ଅପରାହ୍ନରେ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଛି । ଏହି ବୈଠକ ସଫଳ ହୋଇଛି । ଏନେଇ ଆଉ କିଛି ବୈଠକ ବସିବା ପରେ ପ୍ରଶାସନ ଆଗାମୀ ଦୁଇ ଦିନିଦିନ ମଧ୍ୟରେ ଯାହାକିଛି ନିଷ୍ପତ୍ତି ନେବେ । ସେପର୍ଯ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟା ବନ୍ଦ ରହିବ,” ବୋଲି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

୧୨ଶ ଶତାବ୍ଦୀର ଏହି ପୁରାତନ ମନ୍ଦିରର ସୁରକ୍ଷା ନିମନ୍ତେ ଶ୍ରୀମନ୍ଦିରର ୭୫ ମିଟର ପରିଧିରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା । ପୁରାତନ ଐତିହ୍ୟ ସମ୍ପନ୍ନ କିର୍ତ୍ତୀରାଜିର ସୁରକ୍ଷା ଲାଗି ପ୍ରଶାସନ ସଦା ସର୍ବଦା ଯତ୍ନବାନ । ଶ୍ରୀମନ୍ଦିରର ସୁରକ୍ଷା ଜନିତ କାରଣରୁ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି । ପ୍ରଶାସନ ପକ୍ଷରୁ ସାଧୁସନ୍ଥମାନଙ୍କ ସହିତ ଆଲୋଚନା ମଧ୍ୟ ଫଳପ୍ରଦ ହୋଇଛି ବୋଲି ଗଣମାଧ୍ୟମକୁ କହିଛନ୍ତି ଜିଲ୍ଲାପାଳ ଶ୍ରୀ ସିଂହ ।

ବଡ଼ ଆଖଡ଼ା ମଠକୁ ପୋଲିସ ସମ୍ପୂର୍ଣ୍ଣ ଭାବେ କର୍ଡ଼ନ କରିଦେବା ପରେ ସାଧୁସନ୍ଥମାନେ ଆଜି ବିଭିନ୍ନ ସ୍ଲୋଗାନ ଦେଇ ପ୍ରବଳ ବିରୋଧ କରିଥିଲେ । ଏହି ସମୟରେ ଉଚ୍ଛେଦକାରୀ ଜିଲ୍ଲା ପ୍ରଶାସନ ଏବଂ ଶହଶହ ସାଧୁନ୍ଥମାନଙ୍କ ମଧ୍ୟରେ ଛକାପଂଝା ଚାଲିଥିଲା । ପୁରୀ ଉପ-ଜିଲ୍ଲାପାଳ ନିଜ କାର୍ଯ୍ୟାଳୟକୁ ମଠର ମୁଖ୍ୟ ମହନ୍ତଙ୍କୁ ନେଇଯିବା ପରେ ସେତେବେଳେ ପ୍ରବଳ ଉତ୍ତେଜନା ପରିଲକ୍ଷିତ ହୋଇଥିଲା ।

Leave A Reply

Your email address will not be published.