ଭୁବନେଶ୍ବର: ରାଜଧାନୀର ରୂପାଲି ଛକରେ ଆଜି ସକାଳୁ ବିଏମସି ପକ୍ଷରୁ ଗଣ ସଫେଇ କାର୍ଯ୍ୟକ୍ରମ ଚାଲିଥିଲା । ଏହି ସମୟରେ ରାସ୍ତା କଡରେ ପଡ଼ିରହିଥିବା କୁଢ଼ କୁଢ଼ ଅଳିଆ ଆବର୍ଜନା ଓ ମଦ ବୋତଲକୁ ଦେଖି ରାଗିଗଲେ ଭୁବନେଶ୍ୱର ମେୟର । ଏହା ସହ ରାସ୍ତା ଉପରେ ହୋଇଥିବା ଜବରଦଖଲ ଦେଖି ମଧ୍ୟ ବିରକ୍ତି ଭାବ ପ୍ରକାଶ କଲେ ମେୟର ସୁଲୋଚନା ଦାସ ।
ମେୟର ଯେଉଁ ଆଡେ ଦେଖିଲେ କେଉଁଠି ରାସ୍ତା ଉପରେ ଜବର ଦଖଲ କରି ବେଆଇନ ଭାବେ ଗଢି ଉଠିଛି ଦୋକାନ ଘର ତ ଆଉ କେଉଁଠି ପାର୍କ ଭିତରେ ଗାଡ଼ି ସର୍ଭିସିଂ ସେଣ୍ଟର ଖୋଲା ହେଇଛି । କଲୋନୀ ଭିତରେ ଗୃହ ନିର୍ମାଣ ସାମଗ୍ରୀ ଗଦା କରାଯାଉଥିବା ଦେଖିବାକୁ ମିଳିଥିଲା ।
ପାର୍କ ଭିତରେ ଗଦା ହୋଇଛି ପୁରୁଣା ହୋର୍ଡିଂ, ଭଙ୍ଗା ଅଟୋ, ଆଉ ଗଦା ଗଦା ଅଳିଆ । କଲୋନୀ ଭିତରେ ଗୃହ ନିର୍ମାଣ ସାମଗ୍ରୀ ଗଦା କରାଯାଉଥିବା ଦେଖିବାକୁ ପାଇଥିଲେ ସୁଲୋଚନା ।
ପରିମଳ ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଖୋଦ ସହର କେନ୍ଦ୍ରସ୍ଥଳ ରୂପାଲି ଛକ ନିକଟରେ କାହିଁକି ସଫା ହେଉନି ବୋଲି ଅଧିକାରୀଙ୍କୁ ତାଗିଦ୍ କରିବା ସହ ସ୍ଵଚ୍ଛତା ଦିଗରେ ସହରବାସୀ ସଜାଗ ଓ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି ।