Latest Odisha News

ଏମ୍‌ସିଏଲ୍‌ର ବାର୍ଷିକ ସାମ୍ବାଦିକ ସମ୍ମିଳନୀ, କୋଇଲା ଉତ୍ପାଦନ ଓ ଉତ୍ତୋଳନରେ ଐତିହାସିକ ଅଭିବୃଦ୍ଧି

ଭୁବନେଶ୍ୱର: ମହାନଦୀ କୋଲ୍ ଫିଲ୍ଡସ ଲିମିଟେଡ଼ (ଏମ୍‌ସିଏଲ୍‌) ଏହାର ଉତ୍ପାଦନ ଓ ଡେସ୍‌ପ୍ୟାଚ୍ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ଼ ହାସଲ କରି ୨୦୨୧-୨୨ ଆର୍ଥିକ ବର୍ଷ ସମାପ୍ତ କରିଛି । କମ୍ପାନୀ ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ୧୪% ଅଭିବୃଦ୍ଧି କରି ୧୬୮ ମିଲିୟନ ଟନ୍ କୋଇଲା ଉତ୍ପାଦନ କରି ଐତିହାସିକ ରେକର୍ଡ଼ ସୃଷ୍ଟି କରିଛି ।

କୋଲ୍ ଇଣ୍ଡିଆର ସହାୟକ କମ୍ପାନୀ ଏମ୍‌ସିଏଲ୍ ୨୦୨୧-୨୨ ଆର୍ଥିକ ବର୍ଷ ଶେଷରେ କୋଇଲା ଉତ୍ପାଦନ, ଡେସ୍‌ପ୍ୟାଚ୍ ଏବଂ ଓଭର ବର୍ଡନ୍ ହଟାଇବା (ଓବିଆର୍‌) କ୍ଷେତ୍ରରେ ସଫଳତାର ଶୀର୍ଷରେ ରହି ନିଜ ପାରଦର୍ଶିତାର ଏକ ମାଇଲଖୁଣ୍ଟ ସ୍ଥାପନ କରିପାରିଛି ।

ଭୁବନେଶ୍ୱରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଏମ୍‌ସିଏଲ୍ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଓ. ପି ସିଂହ କହିଥିଲେ ଯେ, ଗତ ଆର୍ଥିକ ବର୍ଷ କମ୍ପାନୀ ପାଇଁ ଏକ ସଫଳତାର ବର୍ଷ ହୋଇଥିଲା । ଚଳିତ ଆର୍ଥିକ ବର୍ଷ ଶେଷବେଳକୁ କମ୍ପାନୀର ୧୦୩% ଅଭିବୃଦ୍ଧି ହୋଇଛି । ଯାହାକି ୧୬୮.୧୭ ମିଲିୟନ୍ ଟନ୍ କୋଇଲା ଉତ୍ପାଦନ କରି ଶୀର୍ଷ ସ୍ଥାନରେ ରହି ପାରିଥିବାରୁ ମୁଁ ଖୁସି ବ୍ୟକ୍ତ କରୁଛି । ଏତଦ୍ ବ୍ୟତୀତ ପୂର୍ବବର୍ଷ ତୁଳନାରେ କୋଇଲା ଡେସ୍‌ପ୍ୟାଚ୍‌ର ୨୧% ବୃଦ୍ଧି କରି ୧୭୬.୧୭ ମିଲିୟନ ଟନ୍ କୋଇଲା ଉପଭୋକ୍ତାମାନଙ୍କୁ ଯୋଗାଇ ପାରିଛି ।

ସେହିପରି, ଓବିଆରରେ ଏମ୍‌ସିଏଲ୍ ୧୮% ବୃଦ୍ଧି ଘଟାଇ ୨୦୭ ମିଲିଅନ କ୍ୟୁବିକ୍ ମିଟର ରେକର୍ଡ଼ କରିଛି ଯାହା କି, ଚଳିତ ଆର୍ଥିକ ବର୍ଷରେ କୋଇଲା ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିପାରିଛି । ସିଏମ୍‌ଡି ଶ୍ରୀ ସିଂଙ୍କ ସହ ଶ୍ରୀ କେ.ଆର୍‌. ବାସୁଦେବନ, ନିର୍ଦ୍ଦେଶକ (ବିତ୍ତ) ଏବଂ ଶ୍ରୀ କେଶବ ରାଓ, ନିର୍ଦ୍ଦେଶକ (କାର୍ମିକ) ଉପସ୍ଥିତ ଥିଲେ । ଏତଦ୍‌ବ୍ୟତୀତ ଶ୍ରୀ ଏସ୍‌. କେ. ପାଲ ନିର୍ଦ୍ଦେଶକ (ବୈଷୟିକ/ଯୋଜନା ଓ ପରିଯୋଜନା) ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ ।

କୋଭିଡ-୧୯ ମହାମାରୀ ସତ୍ତ୍ୱେ ଗତ ୨୦୨୧-୨୨ ଆର୍ôଥକ ବର୍ଷର ତୃତୀୟ ତ୍ରୈୟ ମାସିକରେ କୋଇଲାର ବୃଦ୍ଧି ଘଟିଥିବା ଚାହିଦାକୁ ପୂରଣ କରିବା ଦିଗରେ ଏମ୍‌ସିଏଲ୍ ସଫଳତା ହାସଲ କରିପାରିଛି । କମ୍ପାନୀର ଏହି ଉପଲବ୍ଧି ପାଇଁ ସହଯୋଗ କରିଥିବା ରାଜ୍ୟ ପ୍ରଶାସନ, ଲୋକ ପ୍ରତିନିଧି, ଶ୍ରମିକ ସଙ୍ଗଠନ ପ୍ରତିନିଧି, ଭାରତୀୟ ରେଳବାଇ, ପାରିପାଶ୍ୱିର୍କ ଗ୍ରାମବାସୀ ଏବଂ ସମସ୍ତ ହିତାଧିକାରୀମାନଙ୍କୁ ସିଏମ୍‌ଡି ଶ୍ରୀ ସିଂ କୃତଜ୍ଞତା ଜଣାଇଛନ୍ତି । କୋଇଲା ଚାହିଦାର ଭବିଷ୍ୟତ ବିଷୟରେ ଶ୍ରୀ ସିଂ କହିଛନ୍ତି ଯେ, ଆଗାମୀ ଦିନରେ କୋଇଲାର ଚାହିଦା ଅଧିକ ରହିବ ବୋଲି ଆକଳନ କରାଯାଉଛି ।

ବର୍ଷାଋତୁ ଓ ଅନ୍ୟାନ୍ୟ ଆହ୍ୱାନକୁ ଦୃଷ୍ଟିରେ ରଖି କୋଇଲା ଉତ୍ପାଦନ ବୃଦ୍ଧି କରିବାରେ ତଥା ଆବଶ୍ୟକ ଚାହିଦା ପୂରଣ କରିବା ଦିଗରେ ଆମେ ଅଗ୍ରିମ ପ୍ରସ୍ତୁତି କରିସାରିଛୁ ବୋଲି ଶ୍ରୀ ସିଂ କହିଛନ୍ତି । ଏଥିସହ କମ୍ପାନୀ ଆର୍ôଥକ ବର୍ଷ ୨୦୨୨ ପାଇଁ ୩,୮୦୫ କୋଟି ଟଙ୍କାର ପୁଞ୍ଜିବ୍ୟୟ ମଧ୍ୟ କରିଛି । ଯାହା ଭବିଷ୍ୟତର ଲକ୍ଷ୍ୟ ପୂରଣ କରିବାକୁ ଏମ୍‌ସିଏଲ୍‌କୁ ସାହାଯ୍ୟ କରିବ । ୨୦୨୨-୨୩ ଆର୍ଥିକ ବର୍ଷ କମ୍ପାନୀ ୧୭୬ ମିଲିୟନ ଟନ୍ କୋଇଲା ଉତ୍ପାଦନ କରିବ ବୋଲି ଏମ୍‌ସିଏଲ୍ ସିଏମ୍‌ଡି ସୂଚନା ଦେଇଛନ୍ତି ।

ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାରେ କେଇଲା ଉତ୍ତୋଳନ କରୁଥିବା ଏମ୍‌ସିଏଲ୍ ହେଉଛି ଦେଶର ସର୍ବ ବୃହତ୍ତ କୋଇଲା ଉତ୍ପାଦନକାରୀ କମ୍ପାନୀ ।

Comments are closed.