ଭୋପାଲ: ଚେହେରାରୁ ଯେମିତି ଶାନ୍ତ ଦୁର୍ନତିଗ୍ରସ୍ତ ଲୋକଙ୍କ ପାଇଁ ସେ ସେତିକି ଶକ୍ତ । ସାମାନ୍ୟ ଭୁଲକୁ ବି ସେ କରନ୍ତିନାହିଁ ବରଦାସ୍ତ । କେବଳ ୟାଙ୍କର ନାଁ ହିଁ ଯଥେଷ୍ଟ । ନାଁ ଶୁଣିଲା ମାତ୍ରେ ହିଁ ଥରହର ହୁଏ ସରକାରୀ ଅଫିସ୍ ବିଭାଗ। ଆଜ୍ଞା ହଁ । ଆମେ କହୁଛୁ ଜଣେ ସରକାରୀ କିରାଣୀଙ୍କୁ ପିଅନ ପଦବୀରେ ଅବସ୍ଥାପିତ କରି ଚର୍ଚ୍ଚାରେ ଥିବା ମଧ୍ୟପ୍ରଦେଶ ବୁରହାନପୁର ଜିଲ୍ଲାର କଲେକ୍ଟର ଭବ୍ୟା ମିତ୍ତଲଙ୍କ ବିଷୟରେ । କଲେକ୍ଟର ମ୍ୟାଡାମଙ୍କ ଏହି କଠୋର ନିଷ୍ପତ୍ତି ଏବେ ସରକାରୀ ବିଭାଗରେ ଆତଙ୍କ ସୃଷ୍ଟି କରିଛି।
ବାସ୍ତବରେ ଦୁର୍ନୀତି ମାମଲାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସରକାରୀ କିରାଣୀ ସୁଭାଷ କାକଡେଙ୍କୁ ପିଅନ ପଦକୁ ସ୍ଥାନାନ୍ତର କରିଛନ୍ତି କଲେକ୍ଟର ଭବ୍ୟା ମିତ୍ତଲ । ସରକାରୀ ବିଭାଗରେ ଅନୁଶାସନ ବଜାୟ ରଖିବା ଏବଂ ଦୁର୍ନୀତି ବିରୋଧରେ ସ୍ପଷ୍ଟ ବାର୍ତ୍ତା ଦେବା ଲକ୍ଷ୍ୟରେ ଏପରି ଏକ କଠୋର ପଦକ୍ଷେପ ନେଇଛନ୍ତି ଏହି କଲେକ୍ଟର ମ୍ୟାଡାମ ଜଣଙ୍କ । କାକଡେଙ୍କୁ ମହିଳା ଏବଂ ଶିଶୁ ବିକାଶ ବିଭାଗର ପ୍ରକଳ୍ପ କାର୍ଯ୍ୟାଳୟ, ଖାକନାରରେ ସହାୟକ ଗ୍ରେଡ୍-୩ ଭାବରେ ନିଯୁକ୍ତି ଦିଆଯାଇଥିଲା। ମାତ୍ର ଜନଶୁଣାଣି ସମୟରେ ସୁଭାଷ କାକଡେଙ୍କ ବିରୋଧରେ ଅଙ୍ଗନୱାଡି ସହାୟକ ନିଯୁକ୍ତି ପାଇଁ ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗର ଗମ୍ଭୀରତାକୁ ବିଚାର କରି କାକଡେଙ୍କୁ ଜୁଲାଇ ୨୦୨୪ରେ ନିଲମ୍ବିତ କରାଯାଇଥିଲା ଏବଂ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିଲା।
ତେବେ ଅନୁସନ୍ଧାନ ସମୟରେ ଅତିରିକ୍ତ କଲେକ୍ଟର ଏବଂ ପ୍ରୋଜେକ୍ଟ ଅଫିସର ତାଙ୍କୁ ତାଙ୍କ ପକ୍ଷ ଉପସ୍ଥାପନ କରିବାକୁ ପୂର୍ଣ୍ଣ ସୁଯୋଗ ଦେଇଥିଲେ। କିନ୍ତୁ କାକଡେ ତାଙ୍କ ସ୍ପଷ୍ଟୀକରଣ ଦେବାକୁ ଅସମର୍ଥ ହୋଇଥିଲେ। ତଦନ୍ତରୁ ପ୍ରମାଣିତ ହୋଇଛି ଯେ କାକଡେ ମଧ୍ୟପ୍ରଦେଶ ସିଭିଲ୍ ସର୍ଭିସେସ୍ ଆଚରଣ ନିୟମ, ୧୯୬୫ ର ନିୟମ ୧୩ ଏବଂ୧୪ ଉଲ୍ଲଂଘନ କରିଛନ୍ତି । ଏହା ପଦବୀର ଅପବ୍ୟବହାର କାଟାଗୋରୀରେ ଆସେ। ତେଣୁ ଉକ୍ତ ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, କଲେକ୍ଟର ଭବ୍ୟା ମିତ୍ତଲ ସୁଭାଷ କାକଡେଙ୍କୁ ନେପାନଗରରେ ଖାଲି ପଡିଥିବା ପିଅନ ପଦବୀକୁ ସ୍ଥାନାନ୍ତର କରିଥିଲେ। ଏଥିସହ ତାଙ୍କର ନିଲମ୍ବନ ସମାପ୍ତ ହୋଇଥିଲା ଏବଂ ସେହି ସମୟକୁ ‘କାର୍ଯ୍ୟମୁକ୍ତ ଦିବସ’ ଭାବରେ ଘୋଷଣା କରାଯାଇଥିଲା। କଲେକ୍ଟରଙ୍କ ଏହି ନିଷ୍ପତ୍ତି ପ୍ରଶାସନିକ ଶୃଙ୍ଖଳା ବଜାୟ ରଖିବା ଏବଂ ଦୁର୍ନୀତି ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବାର ଏକ ସ୍ପଷ୍ଟ ଉଦାହରଣ | ଏହି କାର୍ଯ୍ୟ ପାଇଁ ସାଧାରଣ ଜନତା କଲେକ୍ଟରଙ୍କୁ ପ୍ରଶଂସା କରିଥିବାବେଳେ ଏହା ସରକାରୀ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି।
Comments are closed.