ପୁରୀ: ପଶ୍ଚିମବଙ୍ଗ ଦୀଘାଠାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠାକୁ ନେଇ ବିବାଦ ଜୋର ଧରିଥିବା ବେଳେ ଗତକାଲି ଆଇନ ମନ୍ତ୍ରୀ ଅନୁସନ୍ଧାନ କରି ରିପୋର୍ଟ ଦେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି କରିଥିଲେ। ଏନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ତିନି ଗୋଟି ପର୍ଯ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ବସିଥିଲା। ଶ୍ରୀମନ୍ଦିରରେ ନବକଳେବର ସମୟରେ ବଳକାଥିବା ଦାରୁ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି।
ପ୍ରଥମ ପର୍ଯ୍ୟାୟରେ ଦେଉଳକରଣ, ତଢ଼ାଉକରଣ, ପାଟଯୋଶୀ ମହାପାତ୍ରଙ୍କ ସହ ଆଲୋଚନା କରାଯାଇଥିଲା। ରାଜ୍ୟ ସରକାର ଏହି ସଂଗୀନ ଧାର୍ମିକ ବିବାଦୀୟ ପରିସ୍ଥିତିରେ ହସ୍ତକ୍ଷେପ କରି ସମାଧାନ କରିବାକୁ ସେବାୟତ ମାନେ ମତ ରଖିଥିଲେ। ଯେକୌଣସି ସେବାୟତ ମହାପ୍ରଭୁଙ୍କୁ ନେଇ ବିବାଦୀୟ ମତ ରଖିବା ଏବଂ କାର୍ଯ୍ୟ କରିବା ନିନ୍ଦନୀୟ। ଦିଘାରେ ମନ୍ଦିର ପ୍ରତିଷ୍ଠା ହୋଇଥିବା ବେଳେ ସେଠାରେ ଉଭୟ ପଥର ଓ ନିମ କାଠ ମୂର୍ତ୍ତି ବିଜେ କରିବା ରାଜ୍ୟ ତଥା ଦେଶ ପ୍ରତି ବିପଦ ସୃଷ୍ଟି କରିବ। ଚାରି ଗୋଟି ଧାମ ରହିଥିବା ବେଳେ ପୁରୀ ଶ୍ରୀକ୍ଷେତ୍ର ଜଗନ୍ନାଥ ଧାମରୁ ବିବେଚିତ। ପୁରୀ ଛଡା ଅନ୍ୟ କୌଣସି ଧାମ ହୋଇପାରିବ ନାହିଁ ବୋଲି ଶ୍ରୀମନ୍ଦିର ବରିଷ୍ଠ ସେବାୟତ ମତ ରଖିଥିଲେ।
ପରେ ଦ୍ଵିତୀୟ ପର୍ଯାୟରେ ବାଡଗ୍ରାହୀ ମାନଙ୍କ ସହ ବୈଠକ ବସିଥିବା ବେଳେ ବୈଠକରେ ଚାରି ବାଡ଼ଗ୍ରାହୀ ମଧ୍ୟରୁ ତିନି ବାଡ଼ଗ୍ରାହୀ ଉପସ୍ଥିତ ରହିଥିଲେ। ଦିଘାରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିର ଧାମ ନୁହେଁ। ଏଣୁ ଧାମକୁ କାଟିବା ପାଇଁ ରାଜ୍ୟ ସରକାର ପଶ୍ଚିମବଙ୍ଗ ସରକାରଙ୍କୁ ଲିଖିତ ଭାବେ ଜଣାଇବା ଦରକାର। ଗୋଟିଏ ସ୍ଥାନରେ ପଥର ମୂର୍ତ୍ତି ଓ କାଠ ମୂର୍ତ୍ତି ପୂଜିତ ହେବା ଶାସ୍ତ୍ର ବିରୋଧୀ। ଶ୍ରୀମନ୍ଦିରରେ ଗଚ୍ଛିତ ଥିବା ଦାରୁ ସୁରକ୍ଷିତ ରହିଥିବା ବେଳେ ସେହି ଦାରୁରୁ ଦୀଘାରେ ପ୍ରତିଷ୍ଠିତ ବିଗ୍ରହ ହୋଇନଥିବା ନେଇ ମତ ରଖିଛନ୍ତି ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ର। ତେବେ ଯେଉଁ ଦଇତାପତି ସେବାୟତ ମାନେ ଦୀଘାରେ ପ୍ରତିଷ୍ଠା କାର୍ଯ୍ୟରେ ଯୋଗଦାନ କରିଛନ୍ତି ସେମାନେ ଭୁଲ କରିଛନ୍ତି। ସେହି ଦଇତାପତିମାନଙ୍କୁ ଡାକି ପଚରା ଉଚରା କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା।
ପରେ ତୃତୀୟ ପର୍ଯାୟରେ ତିନି ବିଶ୍ୱକର୍ମା ମହାରଣାଙ୍କ ସହ ଆଲୋଚନା କରାଯାଇଥିଲା। ତେବେ ବଳକା ରହିଥିବା କାଠରେ ବିଗ୍ରହ ନିର୍ମାଣ ସମ୍ଭବ ନୁହେଁ ବୋଲି ବିଶ୍ୱକର୍ମା ମହାରଣା ମାନେ ମତ ରଖିଥିଲେ। ଏପରିକି ବଳକା ରହିଥିବା ଦାରୁ କାଠ ସମୂହରେ ମଧ୍ୟ ଏତେ ବଡ଼ ବିଗ୍ରହ ହୋଇପାରିବ ନାହିଁ ବୋଲି ବିଶ୍ୱକର୍ମା ମହାରଣା ସ୍ପଷ୍ଟ କରିଥିଲେ। ଅନ୍ୟପକ୍ଷରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ବିବାଦ ସମ୍ପର୍କରେ ଆସନ୍ତାକାଲି ଅପରାହ୍ନ ୫ଟା ସୁଦ୍ଧା ମତାମତ ଦେବା ପାଇଁ ସମସ୍ତ ନିଯୋଗକୁ ଚିଠି ମାଧ୍ୟମରେ ନିବେଦନ କରାଯାଇଛି। ତେବେ ଆଜି ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ, ସୁରକ୍ଷା ପ୍ରଶାସକ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ।
Comments are closed.