Latest Odisha News

BREAKING NEWS

ନ ଥିବ ଭିଡ, ନ ଥିବ ଠେଲାପେଲା- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦିବ୍ୟାଙ୍ଗଙ୍କୁ ମିଳିବ ସ୍ୱତନ୍ତ୍ର ସୁବିଧା

ପୁରୀ:ଏଣିକି ମହାପ୍ରଭୁଙ୍କ ଦର୍ଶନ ସୁରୁଖୁରୁରେ ପାଇବେ ଦିବ୍ୟାଙ୍ଗ । ଆଉ ଠେଲାପେଲାର ସାମ୍ନା କରିବେ ନାହିଁ । ଦିବ୍ୟାଙ୍ଗମାନେ ବାହାର କାଠ ନିକଟରୁ  ମହାପ୍ରଭୁଙ୍କ ଦର୍ଶନ ସୁବିଧା ପାଇ ପାରିବେ । ଥରେ ନୁହେଁ, ଦିନକୁ ଦୁଇଥର ଏହି ଦର୍ଶନ ମିଳିବ । ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ  ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏଥିପାଇଁ ଆଲୋଚନା ହୋଇଛି ।

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ।ବୈଠକରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମେତ ପରିଚାଳନା କମିଟି ସଦସ୍ୟ ଓ ଅଧିକାରୀମାନେ ଦିବ୍ୟାଙ୍ଗମାନେ କିପରି ଶ୍ରୀଜୀଉଙ୍କ ଦର୍ଶନ ସୁରୁଖୁରୁରେ କରିପାରିବେ ସେ ନେଇ ଆଲୋଚନା କରିଥିଲେ।

ଦିବ୍ୟାଙ୍ଗମାନଙ୍କ ଦର୍ଶନ ନେଇ ସ୍ୱତନ୍ତ୍ର ଭାବେ ଏସଓପି ପ୍ରସ୍ତୁତି ନେଇ ଯୋଜନା ପ୍ରସ୍ତୁତ କରାଯାଇଛି । ଏଥିପାଇଁ ଅନଲାଇନ୍ ଓ ଅଫଲାଇନ୍ ମାଧ୍ୟମରେ ନାମ ପଞ୍ଜିକରଣ କରିବା ସହିତ ନିର୍ଦ୍ଧାରିତ ସମୟରେ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି। ବାହାର କାଠ ନିକଟରୁ ଏହି ଦର୍ଶନର ସୁବିଧା ଦିନକୁ ଦୁଇଥର  ଭକ୍ତ ପାଇପାରିବେ ।

ଏହି ଯୋଜନା ଅନୁଯାୟୀ,  ଉତ୍ତରଦ୍ୱାର ଦେଇ ଦିବ୍ୟାଙ୍ଗମାନେ ଶ୍ରୀମନ୍ଦିରକୁ  ପ୍ରବେଶ କରିବେ ।  ଘଣ୍ଟିଦ୍ୱାର ହୋଇ ଜୟବିଜୟ ଦ୍ୱାର ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ତେବେ ହୁଇଲ ଚେୟାରରେ ଯାଇ ଦର୍ଶନକୁ ବିରୋଧ ହେତୁ ଦିବ୍ୟାଙ୍ଗ ମାନଙ୍କୁ ସ୍ୱତନ୍ତ୍ର ଭାବେ ବୋଝିଆ କରି ଦର୍ଶନ ପାଇଁ ନିଆଯିବାକୁ ନିଷ୍ପତି ନିଆଯାଇଛି।

ଦିବ୍ୟାଙ୍ଗ  ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ପୂର୍ବରୁ କୋର୍ଟ ନିର୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏପରି ବ୍ୟବସ୍ଥା ଗ୍ରହଣ ଦିଗରେ ପଦକ୍ଷେପ ନିଆଯାଉଛି। ତେବେ ଆଜିର ବୈଠକର ନିଷ୍ପତି ଚୁଡାନ୍ତ ହୋଇନଥିବା ବେଳେ ପ୍ରସ୍ତାବ ଗୁଡିକୁ ବିଚାର କରି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି।

Leave A Reply

Your email address will not be published.