Latest Odisha News

ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି-ବାର ଆସୋସିଏସନ ସଭାପତି ମୁହାଁମୁହିଁ

ନୂଆଦିଲ୍ଲୀ:ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (ସଜେଆଇ) ଏବଂ ବାର ଆସୋସିଏସନ (ଏସସିବିଏ)  ମୁହାଁମୁହିଁ ହୋଇଛନ୍ତି । ସୁପ୍ରିମକୋର୍ଟ ପରିସରରେ ଲୟାର୍ସ ଚାମ୍ବର ପାଇଁ ଜମି ଆଲଟମେଣ୍ଟକୁ ନେଇ ବାର ଆସୋସିଏସନ ସଭାପତି ବିକାଶ ସିଂ ଏବଂ ପ୍ରଧାନ ବିଚାରପତି ଡି.ୱାଇ.ଚନ୍ଦ୍ରଚୁଡଙ୍କ ମଧ୍ୟରେ ଗୁରୁବାର ଜୋରଦାର ପାଟିତୁଣ୍ଡ ହୋଇଥିଲା । ଶେଷରେ ପ୍ରଧାନ ବିଚାରପତି ରାଗି ଯାଇ ବିକାଶ ସିଂଙ୍କୁ ‘ପ୍ରଧାନ ବିଚାରପତିଙ୍କୁ ଏମିତି ଧମକ ଦିଅ ନାହିଁ’ ବୋଲି କହିଥିଲେ । ଏପରିକି ତାଙ୍କୁ କୋର୍ଟରୁମ ଛାଡି ଚାଲିଯିବାକୁ ମଧ୍ୟ କହିଥିଲେ । ଏହା ପରେ କିଛି ସମୟ ପାଇଁ କୋର୍ଟ ପରିସର ଗୁମସୁମ ହୋଇ ଯାଇଥିଲା ।

ସୁପ୍ରିମକୋର୍ଟ ପରିସରରେ ଆଇନଜୀବୀ ପାଇଁ ଚାମ୍ବର ବ୍ଲକ ନିର୍ମାଣ ପାଇଁ ଜମି ଆବଣ୍ଟନ ମାମଲାର ଶୁଣାଣି ହେବାର ଥିଲା । କିନ୍ତୁ ଶୁଣାଣି ପାଇଁ ଏହି ଆବେଦନକୁ ତାଲିକାଭୁକ୍ତ କରିନଥିଲେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ । ଏହାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଯାହାକୁ ବିରୋଧ କରି ମାମଲାକୁ ପ୍ରଧାନ ବିଚାରପତିଙ୍କ ବାସଭବନ ପାଖକୁ ନେବାକୁ କହିଥିଲେ ଏସସିବିଏ ସଭାପତି ତଥା ବରିଷ୍ଠ ଆଇନଜୀବୀ ବିକାଶ ସିଂହ ।

ବରିଷ୍ଠ ଆଇନଜୀବୀଙ୍କ ଏପରି କଥାରେ ରାଗି ଯାଇଥିଲେ ସିଜେଆଇ । ଏପରି ଧମକ ନ ଦେବାକୁ ତାଙ୍କୁ କହିଥିଲେ । ଏପରିକି ସ୍ୱର ଉଚ୍ଚା ନ କରିବା ପାଇଁ ପ୍ରଧାନ ବିଚାରପତି କହିଥିଲେ ।  ଚିଫ ଜଷ୍ଟିସ ଚନ୍ଦ୍ରଚୂଡ କହିଥିଲେ, ବିଚାରପତିମାନେ ଏଠି ବସିନାହାନ୍ତି । ସେମାନଙ୍କ ଉପରେ ଅନେକ କେସର ବୋଝ ରହିଛି । ସିଜେଆଇ କହିଥିଲେ, ଏହି ମାମଲା ଏପ୍ରିଲ ୧୭କୁ ତାଲିକାଭୁକ୍ତ ହୋଇଛି । କିନ୍ତୁ ଏହା ପ୍ରଥମ ମାମଲା ଭାବେ ଶୁଣାଣି ପାଇଁ ତାଲିକାଭୁକ୍ତ କରାଯାଇପାରିବ ନାହିଁ । ସିଜେଆଇ କହିଥିଲେ, ମୁଁ ୨୨ ବର୍ଷ ହେବ କୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରୁଛି ।   ମୋତେ ଏଭଳି ବଳପୂର୍ବକ କେହି ଚାପ ପକାଇପାରି ନାହାଁନ୍ତି ।  ଶେଷ ଦୁଇ ବର୍ଷରେ ମୁଁ ଏଭଳି ହେବାକୁ ଦେବିନାହିଁ ବୋଲି କହିଥିଲେ ।

ଦେଶର ମୁଖ୍ୟ ନ୍ୟାୟଧୀଶଙ୍କୁ ଏପରି ବ୍ୟବହାର ପ୍ରଦର୍ଶନକୁ ସବୁ ସ୍ତରରେ ନିନ୍ଦା କରାଯାଉଛି । ଏ ନେଇ ବରିଷ୍ଠ ଆଇନଜୀବୀ କପିଲ ଶିବଲ ଏବଂ ଏନ.କେ କୋଏଲ ସୁପ୍ରିମକୋର୍ଟ ବାର ଆସୋସିଏସନ ପକ୍ଷରୁ ପ୍ରଧାନବିଚାରପତିଙ୍କୁ କ୍ଷମା ମାଗିଥିବା ଜଣାଯାଇଛି ।

 

Leave A Reply

Your email address will not be published.