Latest Odisha News

ଭୁବନେଶ୍ୱର ଏବଂ ବ୍ରହ୍ମପୁରରେ ‘ବୟନିକା’ର ମେଗା ସୋ’ରୁମ୍, ହସ୍ତତନ୍ତ ପୋଷାକ କିଣିବାକୁ ଲୋକଙ୍କ ଭିତରେ ଉତ୍ସାହ

ଭୁବନେଶ୍ୱର: ଓଡ଼ିଶାର ଅନନ୍ୟ ହସ୍ତତନ୍ତ ଶାଢ଼ି, କପଡ଼ା ଓ ପୋଷାକର ବିଶେଷ ଚାହିଦା ରହିଛି । ଏହାକୁ ଅଧିକ ଲୋକପ୍ରିୟ କରିବା ପାଇଁ ‘ବୟନିକା’ ପକ୍ଷରୁ ରାଜଧାନୀ ଭୁବନେଶ୍ୱର ଏବଂ ରେଶମ ସହର ବ୍ରହ୍ମପୁରରେ ଦୁଇଟି ନୂଆ ମେଗା ସୋ’ରୁମ୍ ଖୋଲାଯାଇଛି । ହସ୍ତତନ୍ତ ଉତ୍ପାଦ କିଣିବା ପାଇଁ ଏହି ଦୁଇଟି ସୋ’ରୁମରେ ଲୋକଙ୍କର ବେଶ୍ ଭିଡ଼ ଜମୁଥିବାର ଦେଖିବାକୁ ମିଳୁଛି।ଦେଶ ବିଦେଶର ପର୍ଯ୍ୟଟକଙ୍କ ସୁବିଧା ପାଇଁ ‘ବୟନିକା’ ପକ୍ଷରୁ ୨୦୨୪ ଜୁଲାଇ ୨୬ରେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦର ପରିସରରେ ଏହି ସୋ’ ରୁମ୍ ଖୋଲାଯାଇଥିଲା ସେହିପରି ସେପ୍ଟେମ୍ବର ୨୧ରେ  ବ୍ରହ୍ମପୁର ସହରରେ ‘ବୟନିକା’ର ଦ୍ୱିତୀୟ ମେଗା ସୋ’ରୁମ୍ ଖୋଲିଥିଲା । ଏହି ଦୁଇଟି ବ୍ୟବସାୟ ପ୍ରତିଷ୍ଠାନରେ ବର୍ତ୍ତମାନ ସୁଦ୍ଧା ୨ କୋଟିରୁ ଅଧିକ ଟଙ୍କାର କାରବାର ହୋଇଛି। ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦର ପରିସରରେ ଥିବା ସୋ’ରୁମରେ ୮୦ ଲକ୍ଷ ଟଙ୍କା ଏବଂ ବ୍ରହ୍ମପୁରସ୍ଥିତ ସୋ’ରୁମରେ ୧ କୋଟି ୫୦ ଲକ୍ଷ ଟଙ୍କାର କାରବାର ହୋଇଥିବା ଜଣାପଡ଼ିଛି। ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର କଥା ବଖାଣୁଥିବା ହସ୍ତତନ୍ତ ଶାଢ଼ି, କପଡ଼ା ଓ ପୋଷାକ କିଣିବା ପାଇଁ ରାଜ୍ୟ ଏବଂ ଦେଶ ବିଦେଶର ପର୍ଯ୍ୟଟକଙ୍କ ଭିତରେ ବିଶେଷ ଉତ୍ସାହ ରହିଥିବା ଦେଖିବାକୁ ମିଳୁଛି।

‘ବୟନିକା’ର ଏହି ଦୁଇଟି ସୋ’ରୁମରେ ଓଡ଼ିଶାର କୁଶଳୀ ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ଆକର୍ଷଣୀୟ ହସ୍ତତନ୍ତ ଶାଢ଼ି ଓ କପଡ଼ା ଉପଲବ୍ଧ ରହିଛି । ତା’ଭିତରେ ଜିଆଇ ମାନ୍ୟତା ପାଇଥିବା ଓଡ଼ିଶା ଇକ୍କତ, ଖଣ୍ଡୁଆ ପାଟ, ଗୋପାଳପୁରର ଟସର କପଡ଼ା, କୋଟପାଡ଼ ଶାଢ଼ି ଓ କପଡ଼ା, ଧଳାପଥର ପରଦା, ସମ୍ବଲପୁରୀ ବାନ୍ଧ ଶାଢ଼ି ଓ କପଡ଼ା, ବମକେଇ ଶାଢ଼ି, ହବସପୁରୀ ଶାଢ଼ି, ଫୋଡ଼ାକୁମ୍ଭ ଏବଂ ବ୍ରହ୍ମପୁରର ରେଶମ ଶାଢ଼ି ରହିଛି। ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ନୂଆ ସୋ’ରୁମ୍ ଖୋଲିବାକୁ ବୟନିକା ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।

Comments are closed.