ଭୁବନେଶ୍ୱର: ହୃଦୟର ଶୂନ୍ୟତାରୁ ଆପେଆପେ ଶୁଭୁଥିବା ଗୋଟେ ସୁମଧୁର ସଙ୍ଗୀତ , ଗୋଟେ ନାଁ ନୁହେଁ, ଗୋଟେ ଆବେଗ । ଓଡ଼ିଆ ଆଧୁନିକ ସଙ୍ଗୀତର ଯୁଗ ସ୍ରଷ୍ଟା । ଓଡ଼ିଶାର ସଙ୍ଗୀତ ସମ୍ରାଟ ଚିର ସବୁଜ ଅକ୍ଷୟ ମହାନ୍ତି। ସେ ଆଜି ଆମ ଗହଣରେ ନାହାନ୍ତି ସତ କିନ୍ତୁ ତାଙ୍କ ସଙ୍ଗୀତର ଯୁଗଳବନ୍ଦୀ ଯୁଗେ ଯୁଗେ ଅମର ହୋଇ ରହିଛି ।
ଓଡିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ ପୁରୁଷ ତଥା ସଙ୍ଗୀତ ଦୁନିଆର ବେତାଜ ବାଦଶାହା ଅକ୍ଷୟ ମହାନ୍ତି। ଅକ୍ଷୟ ମହାନ୍ତିଙ୍କର ଆଜି ଜନ୍ମ ଦିବସ । ସେ ଆଜି ନାହାନ୍ତି ସତ ମାତ୍ର ତାଙ୍କ ସଙ୍ଗୀତ ଆଜି ମଧ୍ୟ ପ୍ରତିଟି ହୃଦୟରେ ତାଙ୍କୁ ଜୀବନ୍ତ କରି ରଖିଛି । ୧୯୩୭ ମସିହାରେ ଅକ୍ଟୋବର ୧୨ରେ କେନ୍ଦ୍ରାପଡାର ବାଙ୍କି ମୁଣ୍ଡେଇ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଅକ୍ଷୟଙ୍କର ପଲାଟି ଦିନରୁ ଗୀତ ପ୍ରତି ଥିଲା ଗଭୀର ଆନ୍ତରିକତା । ଖୋକା ଭାଇ ନାମରେ ତାଙ୍କୁ ଜାଣିଥିଲେ ଲୋକେ । ଏକାଧାରରେ ସେ ଜଣେ ଓଡ଼ିଆ ଗାୟକ, ସଙ୍ଗୀତଜ୍ଞ, ଗାଳ୍ପିକ, ଔପନ୍ୟାସିକ ଓ ଭ୍ରମଣ କାହାଣୀ ଲେଖକ । ସେ ଓଡ଼ିଆ କଥାଚିତ୍ର, ପଲ୍ଲୀଗୀତ, ଭଜନମାନଙ୍କରେ କଣ୍ଠଦାନ କରିଛନ୍ତି, ତାଙ୍କୁ ଓଡ଼ିଆ ଆଧୁନିକ ଓ ସୁଗମ ସଙ୍ଗୀତର ଜନ୍ମଦାତା ବୋଲି କୁହାଯାଇଥାଏ । ଓଡ଼ିଶାର ଅନେକ ଲୋକକଥା ଓ ଗୀତକୁ ନେଇ ସେ ସଙ୍ଗୀତ ସଂଯୋଜନା କରିଛନ୍ତି ।୧୯୪୮ ମସହାରେ ଆକାଶବାଣୀର ପ୍ରତିଷ୍ଠା ଦିବସରେ ଜଣେ ଶିଶୁ କଳାକାର ଭାବେ ତାଙ୍କର ଥିଲା ପ୍ରଥମ ଗୀତ । ଏହା ପରେ ସେ ନିଜକୁ ସଙ୍ଗୀତ ଦୁନିଆ ଭିତରେ ହଜାଇ ଦେଇଥିଲେ । ତାଙ୍କ ଜୀବନ କାଳ ମଧ୍ୟରେ ସେ ୧୨୯ଟି ଚଳଚ୍ଚିତ୍ରର ପ୍ରଚ୍ଛଦପଟ ଗାୟକ ଥିଲେ । ଓଡ଼ିଶାର ପୁରପଲ୍ଲୀର କାହାଣୀରେ ଭରି ଦେଉଥିଲେ ମଧୁର ମୂର୍ଚ୍ଛନା ।ହେ ଫଗୁଣ ତୁମେ ଗଲା ପରେ ପରେ..ଅନେକ ଯାତନା ଏଠି …, ପୂଣ୍ୟର ନଦୀ ତୀରେ …ମନ ଯା’ର ଯାଯାବର…, ବୟସର କୃଷ୍ଣଚୁଡ଼ା ରଙ୍ଗ ତୁମ ମନ୍ଦ ନୁହେଁ…, ଯା’ରେ ଭାସି ଯା’…, ଗୀତ ଆଜି ବି ଲୋକ ମୁଖରେ ରହିଚି । କେବଳ ସଙ୍ଗୀତ ନୁହେଁ ସେ ମଧ୍ୟ ଜଣେ ଉଚ୍ଚକୋଟୀର ସାହିତ୍ୟିକ ଥିଲେ ।
ସଙ୍ଗୀତ ଜଗତରେ ବେତାଜ୍ ବାଦଶାହ ପାଲଟିଥିବା ଅକ୍ଷୟଙ୍କ ଶେଷ ଗୀତ ଥିଲା ‘ହାରି ଯାଇଥିବା ଲୋକର କି ଅଛି …ଯାହାକି ମ୍ୟୁଜିକ୍ ଆଲବମ୍ରେ ବେଶ୍ ସୁପରହିଟ୍ ହୋଇଥିଲା। ଆଉ ସେହି ଗୀତ ଏବେ ବି ପ୍ରତିଟି ହୃଦୟରେ ପ୍ରତିଟି ମୁହଁରେ ଗୁଣୁଗୁଣେଉଛନ୍ତି ସମସ୍ତେ ।
ଆଗର କେନ୍ଦ୍ରାପଡ଼ା ଓ ଏବର କଟକ ଜିଲ୍ଲାର ବାଙ୍କିମୁଣ୍ଡେଇ ଗାଁରେ ବାପା ବିଚିତ୍ରାନନ୍ଦ ମହାନ୍ତି ଓ ମାଆ ସୁବର୍ଣ୍ଣ ମଞ୍ଜରି ଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ । ସେ ଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟରୁ ଆଇ.ଏସ.ସି ଓ ରେଭେନ୍ସା ମହାବିଦ୍ୟାଳୟରୁ ବି.ଏ ପାସ କରିଥିଲେ । ମଧୁସୂଦନ ଆଇନ ମହାବିଦ୍ୟାଳୟରୁ, ସେ ଆଇନ ଶିକ୍ଷା ମଧ୍ୟ ଗ୍ରହଣ କରିଛନ୍ତି । କୌଣସି ପ୍ରକାରର ମାନକ ସଙ୍ଗୀତ ଶିକ୍ଷା ନେଇ ନଥିବା ଅକ୍ଷୟ, ମାତ୍ର ୨୨ ବର୍ଷ ବୟସରେ କଟକ ଆକାଶବାଣୀଠାରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ, ହେଲେ ସାତ ବର୍ଷ ପରେ ଚାକିରି ଛାଡ଼ି ପୁରା ସମୟ ସଙ୍ଗୀତ ପାଇଁ ହିଁ ଦେଇଥିଲେ ।
୧୯୬୭ରେ ପ୍ରବିଣା ମହାନ୍ତିଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇ ଜଣ ପୁଅ ଓ ଦୁଇ ଝିଅ ଅଛନ୍ତି । ବଡ ଭଉଣୀ ସୁଲକ୍ଷଣା ପଟ୍ଟନାୟକଙ୍କଠାରୁ ପ୍ରଭାବିତ ଅକ୍ଷୟ, ୧୯୪୮ ମସିହାରେ ଆକାଶବାଣୀର ପ୍ରତିଷ୍ଠା ଦିବସରେ ଜଣେ ଶିଶୁଶିଳ୍ପୀ ଭାବରେ ଅଂଶଗ୍ରହଣ କରିଥିଲେ । ଏହା ତାଙ୍କର ସଂଗୀତ କ୍ଷେତ୍ରରେ ପ୍ରଥମ ପ୍ରବେଶ ।୧୯୬୫ରେ ନିର୍ଦ୍ଦେଶକ ନିତାଇ ପାଲିତଙ୍କ ମଲାଜହ୍ନ କଥାଚିତ୍ର ପାଇଁ ସେ ସଙ୍ଗୀତ ତିଆରି କରିଥିଲେ । “ରକତ ଟଳମଳ” ଗୀତଟି ସେହି କଥାଚିତ୍ରର ଏକ ଜଣାଶୁଣା ଗୀତ । ସେ ୭୫ଟି ଓଡ଼ିଆ କଥାଚିତ୍ରରେ ସେ ତିଆରି କରିଛନ୍ତି ସଙ୍ଗୀତ ଓ ୯୨ଟି କଥାଚିତ୍ରରେ ଗୀତିକାର ସାଜିଛନ୍ତି ।
ଓଡ଼ିଆ ସଙ୍ଗୀତରେ ସେ ଆଣିଛନ୍ତି ଅନେକ ପରଖ । ତାଙ୍କ ପରଖର ଲମ୍ବା ଧାଡ଼ି ଲମ୍ବିଥିଲା ଓଡ଼ିଆ ପୁରାଣ ଆଉ ପୁରୁଣା ସାହିତ୍ୟ ଯାଏଁ, “କାଞ୍ଚି ଅଭିଯାନ”, “ରାଣ୍ଡୀପୁଅ ଅନନ୍ତା” ଆଉ “କୋଣାର୍କ ଗାଥା” ସେ ଭିତରୁ କିଛି । ସାଲବେଗଙ୍କ ରଚନା ‘କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ’ ଭିତରେ ସେ ଓଡ଼ିଆ ଭଜନରେ ନୂଆ ଧାରାଟିଏ ଆରମ୍ଭ କରିଥିଲେ । ‘ସାତ ଦରିଆପାରେ’ର ଦେଶ ପାଇଁ କଥା ଏଇ ସବୁ ଗୀତ ଭିତରେ ଅକ୍ଷୟ ନିଜ ପାଇଁ ଗୋଟିଏ ନିଆରା ପରିଚୟ ତିଆରିକରି ଯାଇଛନ୍ତି ଓଡ଼ିଆ ପ୍ରାଣରେ । ତିନୋଟି କଥାଚିତ୍ରରେ ସେ ଅଭିନୟ ବି କରିଛନ୍ତି ଆଉ ଗୋଟିଏ କଥାଚିତ୍ରରେ ସହନିର୍ଦେଶନା ଦେଇଛନ୍ତି ।ଜୟଦେବ ପୁରସ୍କାରରୁ ନେଇ ପ୍ରଚ୍ଛଦ ସଙ୍ଗୀତ ପାଇଁ ୭ ଗୋଟି ରାଜ୍ୟ ପୁରସ୍କାର, ରାଜ୍ୟ ସଙ୍ଗୀତକାର ପୁରସ୍କାର, ଅନେକଥର ଓଡ଼ିଶା ସିନେ କ୍ରିଟିକ ପୁରସ୍କାର ସହ ମରଣୋତ୍ତର ଉତ୍କଳ ଗୌରବ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।
ଅକ୍ଷୟଙ୍କ ଗୀତର ଫୁଆରା ଏବେ ବି ପ୍ରତିଟି ହୃଦୟତନ୍ତ୍ରୀରେ ପ୍ରତିଧ୍ୱନିତ ହେଉଛି । ଏବେ ବି ତାଙ୍କ ସଙ୍ଗୀତ ମତୁଆଲା କରିଛି ଶ୍ରୋତାଙ୍କୁ। ଯାହାକି ତାଙ୍କୁ ଚିର ସବୁଜ ଆଉ ଅମର କରି ରଖିପାରିଛି। ,..