ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମରେ ମାନସିକ ବିକୃତ ଯୁବକ ‘ପାଗଳ’ ଶଦ୍ଦ ଶୁଣି ନିଜ ମାଆଙ୍କୁ ଛୁରୀରେ ଭୂଷିବା ସହ ଘରେ ନିଆଁ ଲଗାଇ ଦେଇଛି । ଏହି ଘଟଣାରେ ମାଆ ରାନୁ ଶାହା (୫୯)ଙ୍କ ମୃତ୍ୟୁ ଘଟିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
ସୂଚନାଅନୁସାରେ, ରାନୁ ଶାହା ତାଙ୍କ ସ୍ୱାମୀ ଏବଂ ୨୭ ବର୍ଷର ମାନସିକ ବିକୃତ ପୁଅ ଅତରୀଶ ସହ ଗୁରୁଗ୍ରାମ ସ୍ଥିତ ଭିପୁଲ ଗ୍ରୀନ ସୋସାଇଟିରେ ରହୁଥିଲେ । ହେଲେ ଗତକାଲି ବିଳମ୍ୱିତ ରାତିରେ ଫ୍ଲାଟରେ ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକେ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ରାନୁ ଶାହାଙ୍କ ଘର କବାଟ ଭାଙ୍ଗିଥିଲା । ଆଉ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲା ।
ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ରାନୁ ଶାହାଙ୍କ ପୁଅ ଅତରୀଶ ସବୁବେଳେ ମାଆଙ୍କୁ ମାଡ଼ ମାରିଥାଏ । ଗତକାଲି କିଛି କଥାକୁ ନେଇ ସ୍ନେହରେ ରାନୁ ଅତରୀଶଙ୍କୁ ପାଗଳ ବୋଲି କହି ଦେଇଥିଲେ । ଏହି କାରଣରୁ ରାଗିଯାଇଥିବା ଅତରୀଶ ପ୍ରଥମେ ଛୁରୀରେ ମାଆ ରାନୁ ଶାହାଙ୍କୁ ଆକ୍ରମଣ କରିଥିଲା । ଏହାପରେ ଘରେ ନିଆଁ ଲାଗାଇ ଦେଇଥିଲା । ତେବ ଏହି ଘଟଣା ସମୟରେ ରାନୁ ଶାହାଙ୍କ ସ୍ୱାମୀ ଘରେ ଉପସ୍ଥିତ ନଥିଲେ ବୋଲି ଜଣାପଡ଼ିଛି ।
ପୁଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଖବର ଲେଖାଯିବା ସୁଦ୍ଧା ଅଭିଯୁକ୍ତ ପୁଅକୁ ଗିରଫ କରାଯାଇଛି କି ନାହିଁ ସୂଚନା ମିଳି ନାହିଁ ।
Comments are closed.