Latest Odisha News

ଥରାଉଛି ଜାଡ: ୧୦ ଡିଗ୍ରୀ ତଳେ ୧୧ ସହର

ଭୁବନେଶ୍ବର: ରାଜ୍ୟରେ ଥରାଉଛି ଜାଡ । ରାତି ତାପମାତ୍ରା କମୁଛି । କାଲୁଆ ଶୀତରେ ଥରୁଛି ଓଡିଶା । ଏଥିସହିତ ସକାଳୁ ସକାଳୁ କୁହୁଡିର ପରସ୍ତ ଜନଜୀବନଙ୍କୁ ଅସ୍ତବ୍ୟସ୍ତ କରି ରଖିଛି । ଆହୁରି ଦୁଇଦିନ ଏମିତି ଶୀତ ଥରାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ  ।

ଅନ୍ୟପଟେ ରାତିରେ ପାରଦ ପୂରା ତଳକୁ ଖସୁଛି । ୧୧ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି । ଘୁ.ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୫.୪ ଡିଗ୍ରି ସହ ପାଲଟିଥିଲା ସବୁଠୁ ଥଣ୍ଡା ସହର । ସେହିପରି ସିମିଳିଗୁଡ଼ାରେ ୭.୨, ଫୁଲବାଣୀରେ ୭.୫, ଝାରସୁଗୁଡ଼ାରେ ୭.୬, ରାଉରକେଲାରେ ୭.୯, କିରେଇ ଓ ଚିପିଲିମାରେ ୮.୮, ଦାରିଙ୍ଗବାଡିରେ ୯, ସୁନ୍ଦରଗଡରେ ୯.୧, ଅନୁଗୁଳରେ ୯.୬, କେନ୍ଦୁଝରଗଡ଼ରେ ୯.୯, ଭବାନୀପାଟଣା ଓ ବଲାଙ୍ଗୀରରେ ୧୦ ଡିଗ୍ରି ଲେଖାଏଁ ତାପମାତ୍ରା ରହିଥିଲା ।

ତେବେ ଗତ କିଛି ଦିନ ବ୍ୟବଧାନରେ ପୁଣି ରାଜଧାନୀ ଭୁବନେଶ୍ବର ଓ କଟକ ସହରର ପାରଦ ୧୩ ଡିଗ୍ରି ତଳକୁ ଖସିଛି । ଗତକାଲି ସକାଳ ସାଢ଼େ ୫ଟାରେ ଭୁବନେଶ୍ବର ତାପମାତ୍ରା ୧୬.୬ ଡିଗ୍ରି ରହିଥିଲା । ଆଜି ଏଥିରେ ଆଉ ୨.୧ ଡିଗ୍ରି ହ୍ରାସ ପାଇ ସକାଳ ସାଢ଼େ ୫ଟାରେ ୧୪.୫ ଡିଗ୍ରି ରହିଥିଲା । ପରେ ଆହୁରି ତଳକୁ ଖସି ୧୨.୮ ଡିଗ୍ରିରେ ପହଞ୍ଚିଥିଲା ।

ସେପଟେ ଆସନ୍ତା ୭ଦିନ ପାଇଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଦୁଇ ଦିନ ମଧ୍ୟରେ ଝାରସୁଗୁଡ଼ା, କେନ୍ଦୁଝର, କଳାହାଣ୍ଡି, ଖୋ‌ର୍ଦ୍ଧା, କଟକ, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ଦୃଶ୍ୟମାନ ହେବ । ସର୍ବନିମ୍ନ ତାପମାତ୍ରା ୨ରୁ୪ ଡିଗ୍ରି ବଢ଼ିବ ଏବଂ ଶୀତ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

Leave A Reply

Your email address will not be published.