ନୂଆଦିଲ୍ଲୀ: ମେଟା ଇଣ୍ଡିଆ ଏହାର ସିଇଓ ମାର୍କ ଜୁକରବର୍ଗ ଭାରତ ଉପରେ ଦେଇଥିବା ଟିପ୍ପଣୀ ପାଇଁ କ୍ଷମା ମାଗିଲା ମେଟା। ଫେସବୁକ୍ ପ୍ରତିଷ୍ଠାତା ଏବଂ ମେଟା ସିଇଓ ମାର୍କ ଜୁକରବର୍ଗ ଜୋ ରୋଗାନଙ୍କ ପୋଡକାଷ୍ଟରେ ଭାରତ ବିଷୟରେ କିଛି ଭୁଲ ସୂଚନା ଦେଇଥିଲେ। ଯାହାକୁ ନେଇ ଏକ ସଂସଦୀୟ କମିଟି ମେଟାକୁ ସମନ କରିବ ବୋଲି କୁହାଯାଇଥିଲା।
ହେଲେ ଭାରତ ଉପରେ ମାର୍କ ଜୁକରବର୍ଗଙ୍କ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରଯାଇଛି। ଏହି ସୂଚନା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଆଇଟି ଏବଂ ଯୋଗାଯୋଗ ବ୍ୟାପାର ସଂସଦୀୟ କମିଟିର ଅଧ୍ୟକ୍ଷ ନିଶିକାନ୍ତ ଦୁବେ ଦେଇଛନ୍ତି। ନିଶିକାନ୍ତ ଦୁବେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ‘ଭାରତୀୟ ସଂସଦ ଏବଂ ସରକାରଙ୍କ ଉପରେ ୧୪୦ କୋଟି ଲୋକଙ୍କ ଆଶୀର୍ବାଦ ଏବଂ ସାର୍ବଜନୀନ ବିଶ୍ୱାସ ରହିଛି।’ ମେଟା ଭାରତୀୟ ଅଧିକାରୀ ଶେଷରେ ତାଙ୍କ ଭୁଲ ପାଇଁ କ୍ଷମା ମାଗିଛନ୍ତି।
ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ସଂସଦୀୟ କମିଟିର ଅଧ୍ୟକ୍ଷ ଥିବା ବିଜେପି ସାଂସଦ ନିଶିକାନ୍ତ ଦୁବେ ଏହି ପ୍ରସଙ୍ଗରେ ମେଟାକୁ ସମନ କରିବା ବିଷୟରେ କହିଥିଲେ। ଏହାକୁ ଭୁଲ ସୂଚନା ବୋଲି ଅଭିହିତ କରି ସେ କହିଛନ୍ତି ଯେ ଏପରି ମନ୍ତବ୍ୟ ଯେକୌଣସି ଗଣତାନ୍ତ୍ରିକ ଦେଶର ପ୍ରତିଛବିକୁ ଖରାପ କରିଥାଏ। ଦୁବେ କହିଛନ୍ତି, ଏହି ଭୁଲ ପାଇଁ ମେଟାକୁ ଭାରତୀୟ ସଂସଦ ଏବଂ ଦେଶର ଜନତାଙ୍କ ନିକଟରେ କ୍ଷମା ମାଗିବାକୁ ପଡିବ।
ପ୍ରକୃତରେ, କହିବାକୁ ଗଲେ ଫେସବୁକ୍ ପ୍ରତିଷ୍ଠାତା ଏବଂ ମେଟା ସିଇଓ ମାର୍କ ଜୁକରବର୍ଗ ଜୋ ରୋଗାନଙ୍କ ପୋଡକାଷ୍ଟରେ ଭାରତ ବିଷୟରେ କିଛି ଭୁଲ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଭାରତ ସମେତ ବିଶ୍ୱର ଅନେକ ସରକାର କୋଭିଡ-୧୯ ପରେ ହୋଇଥିବା ନିର୍ବାଚନରେ ହାରିଯାଇଛନ୍ତି । ମାର୍କ କହିଥିଲେ ଯେ ସରକାରଙ୍କ ପରାଜୟ ଦର୍ଶାଉଛି ଯେ କୋଭିଡ୍ ମହାମାରୀ ପରେ ଲୋକଙ୍କ ବିଶ୍ୱାସ ହ୍ରାସ ପାଇଛି। ମାର୍କ ଜୁକରବର୍ଗଙ୍କ ଏହି ଦାବି ଭୁଲ ଥିଲା। ୨୦୨୪ ମସିହାରେ ଭାରତରେ ହୋଇଥିବା ନିର୍ବାଚନରେ ଏନଡିଏ ପୁଣିଥରେ ବିଜୟୀ ହୋଇଛି। ମାର୍କଙ୍କ ଏହି ବକ୍ତବ୍ୟ ପରେ, ଅନେକ ମନ୍ତ୍ରୀ ତାଙ୍କୁ ସମାଲୋଚନା କରିଥିଲେ।