ନୂଆଦିଲ୍ଲୀ: ବ୍ରିଟେନର ଜେଲରେ ଢିଲା ସୁରକ୍ଷା ବ୍ୟବସ୍ଥା ସାମ୍ନାକୁ ଆସିଛି। ସେପ୍ଟେମ୍ବର ଏବଂ ଅକ୍ଟୋବରରେ ଏଚଏମପି ମଞ୍ଚେଷ୍ଟର ଏବଂ ଏଚଏମପି ଲଙ୍ଗ ଲାର୍ଟିନ ଜେଲରେ କରାଯାଇଥିବା ଯାଞ୍ଚ ରିପୋର୍ଟରେ ଏହି ତ୍ରୁଟି ସାମ୍ନାକୁ ଆସିଛି। ଏହା ପରେ ଡ୍ରୋନ୍ ବ୍ୟବହାର ଦେଶର ସୁରକ୍ଷା ପ୍ରତି ବିପଦ ପାଲଟୁଛି ବୋଲି ଜଣା ପଡିଛି । ଯାଞ୍ଚରୁ ଜଣା ପଡିଛି ଯେ, ଏଠାରେ ଡ୍ରୋନ୍ ମାଧ୍ୟମରେ କଏଦୀମାନଙ୍କୁ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ପଠାଯାଉଥିଲା ।
ଜେଲର ମୁଖ୍ୟ ନିରିକ୍ଷକ ଚାର୍ଲି ଟେଲର, ହ୍ବାଇଟହଲ ଏବଂ ପୋଲିସକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ସେ ଆଶଙ୍କା କରୁଛନ୍ତି ଯେ, ଏହି ବନ୍ଦୀମାନେ ଶୀଘ୍ର ଜେଲରୁ ଖସି ଯାଇପାରନ୍ତି ଓ ଏକ ଗ୍ୟାଙ୍ଗ ଗଠନ କରି ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିପାରନ୍ତି। ଦେଶର ଏ ବର୍ଗର ଜେଲରେ ଡ୍ରଗ୍ସ, ମୋବାଇଲ୍ ଫୋନ୍ ଏବଂ ଅସ୍ତ୍ରଶସ୍ତ୍ର ବିକ୍ରିର ବେଆଇନ ବ୍ୟବସାୟ ବଢିଥିବାରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି । ସୂଚନାମୁତାବକ,ସୁରକ୍ଷାତ୍ମକ ଜାଲ ଏବଂ ସିସିଟିଭି ଭଳି ମୌଳିକ ଡ୍ରୋନ୍ ବିରୋଧୀ ସୁରକ୍ଷା ବ୍ୟବସ୍ଥା ମଧ୍ୟ ନଷ୍ଟ ହୋଇଯାଇଛି। ଇଂଲଣ୍ଡ ଏବଂ ୱେଲ୍ସର କେତେକ ଦୁର୍ଦ୍ଦାନ୍ତ ବନ୍ଦୀ ଏହି ଜେଲରେ ରହିଛନ୍ତି।
ଅନୁସନ୍ଧାନ ରିପୋର୍ଟରେ କୁହାଯାଇଛି ଯେ,ମଞ୍ଚେଷ୍ଟର ଜେଲରେ ଚାଲିଥିବା ଡ୍ରଗ୍ ଟେଷ୍ଟରେ ୩୯ ପ୍ରତିଶତ କଏଦୀ ପଜେଟିଭ ମିଳିଛନ୍ତି ଓ ଲଙ୍ଗ ଲାର୍ଟିନରେ ସର୍ଭେ କରାଯାଇଥିବା ପଚାଶ ପ୍ରତିଶତ କଏଦୀ କହିଛନ୍ତି ଯେ ଜେଲ ଭିତରେ ଡ୍ରଗ୍ସ ଏବଂ ମଦ ସହଜରେ ମିଳିଯାଏ ।
ଏହି ବିଫଳତା କର୍ମଚାରୀ,ବନ୍ଦୀ ଏବଂ ଜନସାଧାରଣଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ସେ ଚେତାବନୀ ଦେଇଛନ୍ତି। ଗ୍ୟାଙ୍ଗ କାର୍ଯ୍ୟକଳାପ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ଜେଲରେ ଡ୍ରଗ୍ସ ତଥା ଅନ୍ୟାନ୍ୟ ବେଆଇନ ଜିନିଷ କାରବାରକୁ ବନ୍ଦ କରିବାକୁ ଟେଲର ଜେଲ କର୍ମଚାରୀ , ପୋଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକୁ କହିଛନ୍ତି ।
Comments are closed.