Latest Odisha News

BREAKING NEWS

ବରଗଡରେ ମନରେଗା ଯୋଜନା ସଂପୂର୍ଣ୍ଣ ଫେଲ, ସରକାରୀ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ ଅଭିଯୋଗ

ବରଗଡ: ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକାରର ଯୋଜନା ରହିଥିଲେ ମଧ୍ୟ ଅନେକ ଯୋଜନା ଲୋକଙ୍କ ନିକଟକୁ ପହଞ୍ଚିପାରୁନାହି ଏବଂ ଯେଉଁ ଯୋଜନା ଲୋକଙ୍କ ନିକଟକୁ ପହଞ୍ଚିପାରୁଛି ସେଥିରେ ସରକାରୀ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ହିତାଧିକାରୀ ମାନେ ସରକାରଙ୍କ ଯୋଜନାର ଲାଭ ଉଠାଇପାରୁନାହାନ୍ତି । ହିତାଧିକାରୀ ମାନେ ସରକାରଙ୍କ ଯୋଜନାରେ ଉପକାର ପାଇବେ କ’ଣ ଓଲଟା ଖର୍ଚ୍ଚାନ୍ତ ହୋଇ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ଏହି ଯୋଜନାରେ । ଏପରି ଏକ ସଙ୍ଗୀନ ଅଭିଯୋଗ ଆସିଛି ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅଞ୍ଚଳରୁ ।

ସୂଚନା ଅନୁଯାୟୀ, ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକରେ ମନରେଗା ଯୋଜନାରେ କାର୍ଯ୍ୟ କରିଥିବା ଶତାଧିକ ଶ୍ରମିକଙ୍କୁ ନିଜ ନିଜର ମଜୁରୀ ପ୍ରଦାନ ନକରି ତାଙ୍କର ପାରିଶ୍ରମିକ ଅର୍ଥକୁ ହଡପ କରିଦିଆଯାଇଛି । ସେହିପରି ରାଜ୍ୟ ସରକାରଙ୍କ ଫାର୍ମ ପଣ୍ଡ ଯୋଜନା ଦ୍ୱାରା ଗାଇସିଲେଟ ବ୍ଲକରେ ପୋଖରୀ ଖନନ ପାଇଁ ୱାଟରସେଡ ଡିପାର୍ଟମେଣ୍ଟ ପକ୍ଷରୁ ଅନୁମୋଦନ କରାଯାଇଥିଲା । ହିତାଧିକାରୀ ମାନେ ସ୍ଥାନୀୟ ଶ୍ରମିକଙ୍କୁ ନିୟୋଜିତ କରି ପୋଖରୀ ଖନନ କରିଥିବା ବେଳେ ୱାଟରସେଡ ଡିପାର୍ଟମେଣ୍ଟ ର ଅଧିକାରୀ ମାନେ ଶ୍ରମିକ ମାନଙ୍କ ଟଙ୍କା ହଡପ କରିଦେଇଥିବା ନେଇ ଅଭିଯୋଗ ହୋଇଛି ।

ପୋଖରୀ ଖନନ ପାଇଁ ଦୀର୍ଘ ଦିନ ଧରି ପରିଶ୍ରମ କରିଥିବା ଅନେକ ଶ୍ରମିକ ନିଜ ନିଜର ପାରିଶ୍ରମିକ ପାଇପାରିନଥିବା ବେଳେ ହିତାଧିକାରୀ ମାନେ ମଧ୍ୟ ହାତ ଉଧାରୀ କରି ଅର୍ଥ ଲଗାଇ ପୋଖରୀ ଖନନ କାର୍ଯ୍ୟରେ ଖର୍ଚ୍ଚ କରିଦେଇଛନ୍ତି ମାତ୍ର ସେମାନଙ୍କୁ ମଧ୍ୟ ସରକାରଙ୍କ ଯୋଜନା ମୁତାବକ ରହିଥିବା ସବସିଡି ପଇସା ମିଳିପାରିନାହି । ତେବେ ଏହି ଘଟଣାକୁ ନେଇ ବରଗଡ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇ ଅଭିଯୋଗ ଜଣାଇଛନ୍ତି ଗାଇସିଲେଟ ବ୍ଲକ ଅନ୍ତର୍ଗତ ରାଇସପଦର, ଗୌରେନମୁଣ୍ଡା, ଭାଙ୍ଗମୁଣ୍ଡା ଏବଂ ଆଖପାଖ ଗ୍ରାମର ଶ୍ରମିକ ମାନେ ।

ଦୀର୍ଘ ଛଅ ମାସରୁ ଅଧିକ ସମୟ ହେବ ବହୁବାର ଜିଲ୍ଲାପ୍ରଶାସନକୁ ଏହି ସମସ୍ୟା ବିଷୟରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ସମସ୍ୟାର ସମାଧାନ କରାଯାଇନାହିଁ । ସେଠାକାର ପିଆଇଓ ସହିତ ଯୋଗାଯୋଗ କରିବାକୁ କୁହାଯାଇଥିଲା ମାତ୍ର ପିଆଇଓ ସହଯୋଗ ନକରି ଓଲଟା ହାତଗୁଞ୍ଜା ମାଗିଥିବା ଅଭିଯୋଗ ନେଇ ପୁଣି ଜିଲ୍ଲାପାଳଙ୍କ ଠାରେ ଫେରାଦ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା ।

ଶ୍ରମିକଙ୍କ ଠାରୁ ହାତଗୁଞ୍ଜା ମାଗୁଥିବା ପିଆଇଓ ଗୋପାଳ କୃଷ୍ଣ ଦାସଙ୍କୁ ଅନ୍ୟତ୍ର ବଦଳିକରାଯାଉ ଏବଂ ସମସ୍ତ ଶ୍ରମିକଙ୍କ ପାଉଣା ପ୍ରଦାନ କରାଯାଉ ବୋଲି ଜିଲ୍ଲାପାଳ ଏବଂ ପିଡି ଡିଆରଡିଏ ଙ୍କ ଠାରେ ଦାବି ଜଣାଇଛନ୍ତି ଅନେକ ଶ୍ରମିକ ଓ ହିତାଧିକାରୀ ।

ଦାଦନ ଶ୍ରମିକଙ୍କ ସଂଖ୍ୟା ହ୍ରାସ କରିବାକୁ ଯାଇ ରାଜ୍ୟସରକାର ଶ୍ରମିକଙ୍କୁ ନିଜ ଗ୍ରାମରେ କାମ ଯୋଗେଇଦେବା ପାଇଁ ନିଶ୍ଚିତ କରି ମନରେଗା ଯୋଜନାରେ କାର୍ଯ୍ୟ ଯୋଗେଇଦେଉଥିବା ବେଳେ କିନ୍ତୁ କିଛି ସରକାରୀ କର୍ମଚାରୀଙ୍କ ଶୋଷଣ ଚିନ୍ତାଧାରା କାରଣରୁ ରାଜ୍ୟ ସରକାରଙ୍କ ଯୋଜନା ଭଣ୍ଡୁର ହୋଇପଡୁଛି ।

ଆଗକୁ ସାଧାରଣ ନିର୍ବାଚନ ଆସୁଥିବାବେଳେ ଶ୍ରମିକ ଶ୍ରେଣୀର ଲୋକେ ଏପରି ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେବା ଘଟଣା ପ୍ରମାଣିତ କରିଦେଉଛି ଯେ ଗାଇସିଲେଟ ବ୍ଲକରେ ରାଜ୍ୟସରକାରଙ୍କ ମନରେଗା ଯୋଜନା ସଂପୂର୍ଣ୍ଣ ଫେଲ ମାରିଛି । ସରକାରଙ୍କ ଯୋଜନାରେ କିପରି ଜନସାଧାରଣଙ୍କୁ ସରକାରୀକଳ ହଇରାଣ କରୁଛନ୍ତି ଏବଂ ସରକାରଙ୍କ ଯୋଜନାରୁ ବଞ୍ଚିତ କରୁଛନ୍ତି ତାହା ଏହି ଘଟଣାରୁ ସହଜରେ ଅନୁମାନ କରାଯାଇପାରେ ।

 

Leave A Reply

Your email address will not be published.