Latest Odisha News

BREAKING NEWS

ମନରେଗା ଯୋଜନାରେ ଦୁର୍ନୀତି, ଅଧିକାରୀ ଓ ସରପଞ୍ଚଙ୍କଠାରୁ କେବେ ଆଦାୟ ହେବ ଟଙ୍କା ?  

ଯାଜପୁର : ବିଂଝାରପୁର ବ୍ଲକରେ ମନରେଗା ଯୋଜନାରେ ଦୁର୍ନୀତି । ଅଧିକାରୀ ଓ ସରପଞ୍ଚ ଲୁଟ୍‌ କରିଥିବା ଅଭିଯୋଗ । ବିଂଝାରପୁର ବ୍ଳକର ୨୦୧୯-୨୦ ଆର୍ଥିକ ବର୍ଷରେ ହୋଇଥିବା ମନରେଗା ଯୋଜନାର ତଦନ୍ତ ରିପୋର୍ଟ ଆସିବା ପରେ ଚର୍ଚ୍ଚା ଜୋର ଧରିଛି । ବାରମ୍ବାର ନୋଟିସ ଦିଆଯାଉଥିବା ବେଳେ ଟଙ୍କା ଦେବାର ନାଁ ଧରୁନାହାଁନ୍ତି ଦୁର୍ନିତିଗ୍ରସ୍ତ ଅଧିକାରୀ ଓ ସରପଞ୍ଚ ।

ସଂପୃକ୍ତ ଅଧିକାରୀଙ୍କ ଠାରୁ ୧୫ ଲକ୍ଷ ୭୨ ହଜାର ଟଙ୍କା ଆଦାୟ ପାଇଁ ନୋଟିସ ଦିଆଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ଟଙ୍କା ଆଦାୟ ହୋଇପାରି ନାହିଁ । ଏହି ଟଙ୍କା ୩ଟି ପଞ୍ଚାୟତର ସରପଞ୍ଚ ଓ ସରକାରୀ ଅଧିକାରୀଙ୍କ ଠାରୁ ଆଦାୟ ପାଇଁ ନୋଟିସ ଦିଆଯାଇଥିବା ବେଳେ ବାକି ୩ ଟି ପଞ୍ଚାୟତର ତଦନ୍ତ ରିପୋର୍ଟ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ସୂଚନା ଅଧିକାର କର୍ମୀ ।

ବିଂଝାରପୁର ବ୍ଲକର ଆଉଁରି, ସିଂହପୁର, ଜରି, ବାଙ୍ଗରା, ଫତେପୁର ଏବଂ ଓଳେଇଚନ୍ଦନପୁର ପଂଚାୟତରେ ମନରେଗା ଯୋଜନାରେ ହୋଇଥିବା ଦୁର୍ନିତିର ତଦନ୍ତ କରିଥିଲା କେନ୍ଦ୍ରୀୟ ଟିମ୍‌ । ଏହି ଟିମ ତଦନ୍ତ କରିବା ପରେ ବାଙ୍ଗରା, ଆଉଁରି ଓ ଓଳେଇଚନ୍ଦନପୁର ପଞ୍ଚାୟତର ତତ୍କାଳିନ ସରପଞ୍ଚ ଓ ପିଇଓ, ଜିଆରଏସ ଙ୍କ ଠାରୁ ୧୫ ଲକ୍ଷ ୭୨ ହଜାର ଟଙ୍କା ଆଦାୟ ଲାଗି ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଅନ୍ୟ ୩ଟି ପଞ୍ଚାୟତ ଜରି, ପଂତେପୁର ଏବଂ ସିଂହପୁର ପଞ୍ଚାୟତ ସଂପର୍କରେ କେନ୍ଦ୍ରୀୟ ଟିମର ରିପୋର୍ଟକୁ ବିଂଝାରପୁର ବ୍ଲକ ପ୍ରଶାସନ ଚାପି ଦେଇଥିବା ଅଭିଯୋଗ ହୋଇଛି ।

ସୂଚନା ଅଧିକାର ଆଇନରେ ୬୭ ପୃଷ୍ଠା ପାଇଁ ଟଙ୍କା ନେଇ ୬୨ ପୃଷ୍ଠାର ରିପୋର୍ଟ ଦେଇଛି ବ୍ଲକ ପ୍ରଶାସନ । ବାକି ୫ ପୃଷ୍ଠାରେ ଅନ୍ୟ ୩ ପଞ୍ଚାୟତର କଳା ଚିଠା ରହିଛି କି ? ଯାହାକୁ ଲୁଚାଇବା ପାଇଁ ବ୍ଲକ ପ୍ରଶାସନ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ସେପଟେ ଦୁର୍ନିତିଗ୍ରସ୍ତଙ୍କ ଠାରୁ ଟଙ୍କା ଆଦାୟ ପାଇଁ ପଦକ୍ଷେପ ନିଆଯାଉଛି ଏବଂ ସୂଚନା ଅଧିକାର ଆଇନର ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।

Leave A Reply

Your email address will not be published.