Latest Odisha News

BREAKING NEWS

ହିମାଚଳରେ କଂଗ୍ରେସ ଶାସନକୁ ନଫେରିଲେ ପ୍ରିୟଙ୍କାଙ୍କ ପାଇଁ ଅଡ଼ୁଆ

ସିମଲା: ହିମାଚଳପ୍ରଦେଶରେ କଂଗ୍ରେସ ଶାସନକୁ ଫେରିବ  । ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ । ହିମାଚଳ ପ୍ରଦେଶରେ 1977 ମସିହାରୁ ହୋଇଥିବା ସମସ୍ତ ନିର୍ବାଚନରେ ଶାସନ ପରିବର୍ତ୍ତନ ହେବାର ଉଦାହରଣ ରହିଛି । ଥରେ ବିଜେପି ସରକାର କଲେ ଥରେ କଂଗ୍ରେସ ଏଠାରେ ଶାସନକୁ ଫେରୁଛି । ଏଭଳି ସମୟରେ ଯଦି ହିମାଚଳ ପ୍ରଦେଶରେ କଂଗ୍ରେସ ଶାସନକୁ ନଫେରେ ତେବେ ପ୍ରିୟଙ୍କାଙ୍କ ରାଜନୀତି କ୍ୟାରିୟରେ ଏହା ଏକ ବଡ଼ ପରାଜୟ କୁହାଯାଇପାରେ ।

ପୂର୍ବରୁ ହିମାଚଳ ପ୍ରଦେଶ ନିର୍ବାଚନରେ 1971 ମସିହାରୁ ରାଜ୍ୟ ଘୋଷଣା ହେବା ପରେ ଏଠାରେ କଂଗ୍ରେସ 5 ଥର ଶାସନ କରିଥିବା ବେଳେ ବିଜେପି 4ଥର ଏବଂ ଜନତା ଦଳ ଥରେ ଶାସନ କରିଛି । ଚଳିତ ବର୍ଷ କଂଗ୍ରେସ ଶାସନକୁ ଫେରୁଛି ନା ବିଜେପି ସରକାର ବଂଚାଇ ରଖୁଛି ତାହାକୁ ନେଇ ଆଲୋଚନା ହେଉଛି ।

ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରାରେ ବ୍ୟସ୍ତ ଥିବା ବେଳେ ପ୍ରିୟଙ୍କା ଗାନ୍ଧୀ ହିମାଚଳ ପ୍ରଦେଶ ନିର୍ବାଚନର ମଙ୍ଗ ଧରିଥିଲେ ।  ୬୮ ଆସନ ପାଇଁ  ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍‌ରେ ବନ୍ଦ ରହିଛି। ତେବେ ଏହାର ଫଳାଫଳ ଉପରେ କଂଗ୍ରେସର ଭବିଷ୍ୟତ ନିର୍ଭର କରୁଛି । ଯଦି କଂଗ୍ରେସ ହିମାଚଳରେ ସରକାର ଗଠନ କରେ । ତେବେ ଏହାର ସବୁ ଶ୍ରେୟ ପ୍ରିୟଙ୍କାଙ୍କୁ ଯିବ । ଯଦି କଂଗ୍ରେସ ହାରେ ତେବେ ଏହାର ପ୍ରଭାବ 2024 ନିର୍ବାଚନରେ କଂଗ୍ରେସକୁ ତଳିତଳାନ୍ତ କରିପାରେ ।

ସେପଟେ ବିଜେପି ହିମାଚଳରେ ନିର୍ବାଚନ ପରମ୍ପରା ଭାଙ୍ଗି ପୁନର୍ବାର କ୍ଷମତାକୁ ଆସିବାକୁ ଲକ୍ଷ୍ୟ ରଖିଛି ।  ୨୦୧୭ ବିଧାନସଭା ନିର୍ବା‌ଚନରେ ବିଜେପି ହିମାଚଳର ୬୮ ଆସନରୁ ୪୪ଟିରେ ଜିତିଥିଲା। ଅନ୍ୟପକ୍ଷେ କଂଗ୍ରେସକୁ ୨୧ଟି ଆସନ ମିଳିଥିଲା।  ଏଥର ବିଜେପି ଅନେକ ନୂଆ ଚେହେରାଙ୍କୁ ଟିକେଟ ଦେଇଛି । ତେବେ ଏହି ଚେହରା ବିଜେପିକୁ କେତେ ସହାୟ ହେଉଛି ତାହା ଫଳାଫଳ ଆସିବା ପରେ ଜଣାପଡିବ ।

ହିମାଚଳରେ ଏଥର   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜେପି ପାଇଁ ପ୍ରଚାର କରିଥିବାବେଳେ କଂଗ୍ରେସ ପାଇଁ  ପ୍ରିୟଙ୍କା ଗାନ୍ଧି ଭଦ୍ରା , ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ  ହିମାଚଳ ପ୍ରଦେଶରେ  ନିର୍ବାଚନ ପ୍ରଚାର କରିଛନ୍ତି।
ଗୁଜରାଟରେ କଂଗ୍ରେସ ସରକାର ଗଠନ କରିପାରିବ ନାହିଁ ଏକଥା ସମସ୍ତେ ଚର୍ଚା କରୁଛନ୍ତି । କିନ୍ତୁ  କଂଗ୍ରେସ ପାଇଁ ହିମାଚଳରେ ନିର୍ବାଚନ ଜିତିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।
Leave A Reply

Your email address will not be published.