Latest Odisha News

BREAKING NEWS

ପୋଲିସ ଉପସ୍ଥିତିରେ ଅତିକ୍‌-ଅଶରଫ୍‌ ହତ୍ୟାକାଣ୍ଡ ପରେ ଗୃହ ମନ୍ତ୍ରଣାଳୟ ସଜାଗ, ସାମ୍ବାଦିକଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ହେବ ଏସଓପି

ନୂଆଦିଲ୍ଲୀ : ସାମ୍ବାଦିକଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ହେବ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର୍(SOP) । ମିଳିଥିବା ସୂଚନା ଅନୁସାରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଗ୍ୟାଙ୍ଗଷ୍ଟର୍ ଅତିକ୍‌ ଅହମ୍ମଦ ଓ ତାଙ୍କ ଭାଇ ଅଶରଫ୍‌ଙ୍କ ଶନିବାର ହତ୍ୟା ପରେ ଏବେ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଗୃହ ମନ୍ତ୍ରଣାଳୟ SOP ପ୍ରସ୍ତୁତ କରିବ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର୍ (SOP) ପ୍ରସ୍ତୁତ କରିବାକୁ ଯାଉଛି।

ସୂଚନାଯୋଗ୍ୟ, ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ପୂର୍ବତନ ସାଂସଦ ଅତିକ୍ ଓ ତାଙ୍କ ଭାଇ ଅଶରଫଙ୍କୁ ପ୍ରୟାଗରାଜର କୋଲଭିନ୍ ହସ୍ପିଟାଲ ନିକଟରେ ଶନିବାର ରାତି ପ୍ରାୟ ୧୦.୩୦ ମିନିଟରେ ପୋଲିସ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ଗୁଳିକରି ହତ୍ୟା କରାଯାଇଥିଲା । ପୋଲିସ ଉଭୟଙ୍କୁ ମେଡିକାଲ ଚେକଅପ୍ ପାଇଁ ନେଉଥିଲା ବେଳେ ଏହି ଘଟଣା ଘଟିଥିଲା ‌। ପୋଲିସ ଭ୍ୟାନରୁ ଓହ୍ଲାଇ ଉଭୟ ହସ୍ପିଟାଲ ଆଡ଼କୁ ଯିବା ବେଳେ ସେମାନଙ୍କୁ ଅତି ନିକଟରୁ ତିନି ଯୁୁବକ ଗୁଳିମାଡ଼ କରିଥିଲେ । ଘଟଣାସ୍ଥଳରେ ଅତିକ୍ ଓ ଅଶରଫଙ୍କ ମୃତ୍ୟୁ ହୋଇଥିଲା । ଏହି ପୂରା ଘଟଣା ଲାଇଭ୍ କ୍ୟାମେରାରେ କଏଦ୍ ହୋଇଯାଇଥିଲା । ଅତିକ୍ ଓ ଅଶରଫଙ୍କୁ ଗୁଳି ମାରିବା ପରେ ତିନି ଯୁବକ ‘ଜୟ ଶ୍ରୀରାମ’ ଧ୍ବନି ଦେଇଥିଲ। ଆତତାୟୀମାନେ ସାମ୍ବାଦିକ ବେଶରେ ଆସିଥିଲେ ଓ ଘଟଣା ପରେ ତିନି ଯୁବକ ପୋଲିସ ଆଗରେ ଆତ୍ମସମର୍ପଣ କରିଥିଲେ ।

ସେପଟେ ପୋଲିସ ଉପସ୍ଥିତିରେ ପୂର୍ବତନ ସାଂସଦ ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ତଥା ପୂର୍ବତନ ବିଧାୟକ ଅଶରଫଙ୍କ ଗୁଳିକରି ହତ୍ୟା କରାଯିବା ପରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ। ସମାଜବାଦୀ ପାର୍ଟିର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି, ଉତ୍ତର ପ୍ରଦେଶରେ ଅପରାଧ ଶୀର୍ଷରେ ପହଞ୍ଚିଛି ଏବଂ ଅପରାଧୀଙ୍କ ମନୋବଳ ବଢ଼ିଯାଇଛି । ଯେତେବେଳେ ପୋଲିସର ସୁରକ୍ଷା ଘେରରେ ଜଣଙ୍କୁ ଖୋଲାଖୋଲି ଗୁଳିକରି ହତ୍ୟା କରାଯାଉଛି, ତେବେ ସାଧାରଣ ଲୋକଙ୍କ ସୁରକ୍ଷାକୁ କିଏ ପଚାରେ ? ବହୁଜନ ସମାଜ ପାର୍ଟି ସାଂସଦ କୁୱଁର ଦାନିଶ ଟ୍ୱିଟ୍ କରି କହିଛନ୍ତି, ୟୁପିରେ ଜଙ୍ଗଲ ରାଜ୍ ଚାଲିଛି। ଉପରୁ ନିର୍ଦ୍ଦେଶ ବିନା ଏହା ସମ୍ଭବ ନୁହେଁ। ରାଷ୍ଟ୍ରୀୟ ଲୋକ ଦଳର ସଭାପତି ତଥା ସାଂସଦ ଜୟନ୍ତ ଚୌଧୁରୀ ମଧ୍ୟ ଅତିକ୍ ଏବଂ ତାଙ୍କ ଭାଇଙ୍କ ଚାଞ୍ଚଲ୍ୟକର ହତ୍ୟା ଘଟଣା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ଗଣତନ୍ତ୍ରରେ ଏହା ସମ୍ଭବ କି? ଚୌଧୁରୀ ଆହୁରି କହିଛନ୍ତି, ରାଜ୍ୟରେ ସେ କେଉଁ ପ୍ରକାର ଆଇନ ଶୃଙ୍ଖଳା ରକ୍ଷା କରିଛନ୍ତି ତାହାର ଉତ୍ତର ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ପଡ଼ିବ । ଏହା ଜଙ୍ଗଲରାଜ ନୁହେଁ କି ? ଉତ୍ତର ପ୍ରଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯିବା ଉଚିତ ନୁହେଁ କି? ସେପଟେ ରାଜ୍ୟସଭା ସଦସ୍ୟ କପିଲ ସିବଲ ଟ୍ୱିଟ୍ କରି କହିଛନ୍ତି ଯେ ଉତ୍ତରପ୍ରଦେଶରେ ଦୁଇଟି ହତ୍ୟା: ୧- ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଅଶରଫ, ୨- ଆଇନ କାନୁନ।

ଏହି ଘଟଣା ପରେ ଉତ୍ତର ପ୍ରଦେଶରେ ୧୪୪ ଧାରା ଜାରି କରାଯାଇଛି। ରାଜ୍ୟର ସବୁ ପୁଲିସ୍ କର୍ମଚାରୀମାନଙ୍କ ଛୁଟି ବାତିଲ କରାଯାଇଛି ଓ ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯିବା ସହିତ ଅତିରିକ୍ତ ପୁଲିସ ଫୋର୍ସକୁ ମୁତୟନ କରାଯାଇଛି। ପରିସ୍ଥିତିକୁ ନଜରରେ ରଖି ପ୍ରୟାଗରାଜ ଓ ଏହାର ଆଖପାଖ ଜିଲ୍ଲା ଗୁଡ଼ିକରେ ରାପିଡ୍ ଆକ୍ସନ ଫୋର୍ସ ମଧ୍ୟ ମୁତୟନ କରାଯାଇଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏକ ତିନି ଜଣିଆ ଜୁଡିସିଆଲ କମିଶନ ଘଟଣାର ତଦନ୍ତ କରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Comments are closed.