Latest Odisha News

BREAKING NEWS

ପିଏମ୍ ଆବାସ ଯୋଜନା ବିବାଦ ! ବିଜେପିର ଆରୋପକୁ କାଉଣ୍ଟର କରି ଦୋଷ ଲଦିଲା ବିଜେଡି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ରବିବାର ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଆରୋପ ଉପରେ ବିଜେଡି ପ୍ରତିକ୍ରିୟା ରଖିଛି। ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି, ଡାହାଣୀ ହୋଇ ଲାଗିବା ଗୁଣିଆ ହୋଇ ଝାଡ଼ିବା ଭଳି କାମ କେନ୍ଦ୍ର ସରକାର କରୁଛନ୍ତି । ମୁଖ୍ୟମନ୍ତ୍ରୀ ଲେଖିବା ପରେ ୯ ଲକ୍ଷ ୫୯ ହଜାର ଘର ଦେଲେ । କିନ୍ତୁ ତା ପରେ ଗାଇଡ଼ ଲାଇନ ପରିବର୍ତ୍ତନ କରିବା ଦ୍ୱାରା ଅନେକ ଯୋଗ୍ୟ ହିତାଧିକାରୀ ଘର ପାଇବା ସମ୍ଭବ ହେଉ ନାହିଁ । ତେଣୁ ଯୋଗ୍ୟ ହିତାଧିକାରୀ ବାଛିବା କଷ୍ଟକର ହେଉଛି । ଗରିବ ଲୋକ ଘର ନ ପାଆନ୍ତୁ, ସେଥିପାଇଁ କେନ୍ଦ୍ର ସରକାର ସୁଚିନ୍ତିତ ଷଡ଼ଯନ୍ତ୍ର କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଅମର ପ୍ରସାଦ ଶତପଥୀ । ଏଥିସହ ଓଡ଼ିଶାରେ କେନ୍ଦ୍ରୀୟ ଯୋଜନାର ହରିଲୁଟ ହେଉଥିବା କେନ୍ଦ୍ର ମନ୍ତ୍ରୀଙ୍କ ଅଭିଯୋଗ ଉପରେ ବିଜେଡି ପ୍ରତିକ୍ରିୟା ରଖି କହିଛି, ସବୁ ଅଭିଯୋଗ ଗୁଡିକ ଅମୂଳକ ।

ସେପଟେ ବିଜେଡି ମୁଖପାତ୍ର ଇପସିତା ସାହୁ କହିଛନ୍ତି, ମନଗଢ଼ା କାହାଣୀ କହି ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଛି ବିଜେପି । ଓଡ଼ିଶା ବାସୀଙ୍କ ବିକାଶ ବିରୋଧରେ ଷଡ଼ଯନ୍ତ୍ର କରିଥିଲା ବିଜେପି । ପୂର୍ବରୁ ୧୫ ଲକ୍ଷ ଘର ଆବଶ୍ୟକ ଥିଲା । ହେଲେ ବିଜେପି ନେତାମାନେ ଚାପ ପକାଇ ଘର ବନ୍ଦ କରିଦେଇଥିଲେ । ବର୍ତ୍ତମାନ ଓଡ଼ିଶାବାସୀଙ୍କ ପ୍ରଶ୍ନ, ବାକି ୭ ଲକ୍ଷ ଲୋକଙ୍କୁ କେବେ ଘର ମିଳିବ । ଏଥିସହ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଟାର୍ଗେଟ କରି ଇପସିତା କହିଛନ୍ତି, ସାମ୍ବାଦିକ ସମ୍ମିଳନୀ କରିବା ପୂର୍ବରୁ ବିଜେପି ସାଂସଦମାନଙ୍କ ଜରିଆରେ ଓଡ଼ିଶାବାସୀଙ୍କୁ କ୍ଷମା ମାଗିବାର ଥିଲା । ପୃଥ୍ୱୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମନଗଢ଼ା କାହାଣୀ ଓ ଭିତ୍ତୀହିନ ବୟାନବାଜୀ କରିଛନ୍ତି । ବିଜେପିର ଓଡ଼ିଶା ବିରୋଧୀ ମନୋଭାବ ସ୍ପଷ୍ଟ । ଓଡ଼ିଶା ବିରୋଧରେ ବିଜେପି ଷଡ଼ଯନ୍ତ୍ର କରୁଛି । ତେଣୁ ୩୦ଟି ଜିଲ୍ଲା ପରିଷଦରେ ବିଜେପି ଏଥିଲାଗି ହାରିଲା । ସାଢ଼େ ଚାରିକୋଟି ଲୋକ ଜାଣିଛନ୍ତି ବିଜେପି ଓଡ଼ିଶା ବିରୋଧୀ । ରାଜ୍ୟବାସୀ ବିଜେପିକୁ ଉଚିତ ଜବାବ ଦେବେ ବୋଲି କହିଛନ୍ତି ଇପସିତା ସାହୁ ।

ସୂଚନାଯୋଗ୍ୟ, ରବିବାର ସାମ୍ବାଦିକ ସମ୍ମିଳନୀ କରି ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓଡ଼ିଶାରେ ସମ୍ପୂର୍ଣ୍ଣ ଅଚଳ ଅବସ୍ଥାରେ ଅଛି ବୋଲି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ପୃଥ୍ୱୀରାଜ କହିଥିଲେ, କଂଗ୍ରେସ ଶାସନ ଅମଳରେ ଓଡ଼ିଶାକୁ ଯେତେ ପକ୍କା ଘର ଆସିଛି, ମୋଦି ସରକାର ଅମଳରେ ୨୦୧୪ ରୁ ୨୦୨୨ ମସିହା ଭିତରେ ବିଗତ ୮ବର୍ଷରେ ତାଠାରୁ ତିନିଗୁଣା ପକ୍କା ଘର ଓଡ଼ିଶାକୁ ମିଳିଛି । ଯଦି ରାଜ୍ୟ ସରକାର ଠିକ୍ ଢଙ୍ଗରେ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିଥାନ୍ତେ ତାହାଲେ ଓଡ଼ିଶାରେ ଚାତକ ଭଳି ଅନେଇ ବସିଥିବା ବାସହୀନ ହିତାଧିକାରୀଙ୍କ ସଂଖ୍ୟାରେ ପୁର୍ଣ୍ଣଚ୍ଛେଦ ପଡିଥାନ୍ତା ବୋଲି ବିଜେପି କହିଛି । ବିଜେଡି ସରକାରର ଆନ୍ତରିକତା ଅଭାବ, ଦୁର୍ନୀତି ଓ ଭ୍ରଷ୍ଟାଚାର ମନୋଭାବ କାରଣରୁ ଆଜି ରାଜ୍ୟକୁ ଆସିଥିବା ୯ ଲକ୍ଷ ୬୦ ହଜାର ପକ୍କା ଘର ବଣ୍ଟା ନହୋଇ ପଡି ରହିଥିବା ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ।

Leave A Reply

Your email address will not be published.